ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ପରିପ୍ରକାଶ କରିଛି, ତ୍ରିଗୁଣ ପ୍ରଭାବକୁ ମଧ୍ୟ ଖୁବ ସୁନ୍ଦର ଭାବରେ ଉପସ୍ଥାପିତ କରିଛି। ସୃଷ୍ଟି କର୍ତ୍ତା ବ୍ରହ୍ମା ଯେତେବେଳେ ସତ୍ୱ ଗୁଣର ପ୍ରଭାବରେ ଥାଇ ନିଜର ଚାରି ମୁଖରୁ ଚାରି ପୁତ୍ର ଜନ୍ମ ଦେଲେ ଯଥା ସନକ, ସନନ୍ଦନ, ସନାତନ ଓ ସନତ କୁମାର ସେମାନେ ସମସ୍ତେ ନିବୃତ୍ତି ମାର୍ଗ ଚୟନ କରି ମୋକ୍ଷ ଦିଗରେ ଅଗ୍ରସର ହେଲେ। ଶ୍ରୀଜଗନ୍ନାଥ ଦାସ କହିଲେ
ଗୋବିନ୍ଦ ପାଦ ଧ୍ୟାନ ବଳେ।
ସଂଯୁକ୍ତ ଭକତି ନିଶ୍ଚଳେ।।
ବିଷ୍ଣୁର ଅଂଶେ ଚାରି ଭ୍ରାତ।
ବ୍ରହ୍ମାର ମନ ମଧ୍ୟୁ ଜାତ।।
ଏହା ପରେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ଠାରେ ରଜ ଗୁଣର ପ୍ରାବଲ୍ୟ ଅନୁଭୂତ ହେଲା ଓ ଶରୀର ଦୁଇ ଭାଗ ହୋଇ ଗୋଟିଏ ପୁରୁଷ ରୂପ ଧାରଣ କରି ହେଲେ ମନୁ ଓ ଅନ୍ୟ ଭାଗଟି ପ୍ରକୃତି ସ୍ୱରୂପ ହୋଇ ସ୍ତ୍ରୀ ରୂପକୁ ଧାରଣ କରି ହେଲେ ଶତରୁପା। ଏହାପରେ ବ୍ରହ୍ମା ମନୁ ଓ ଶତରୁପାଙ୍କୁ ସୃଷ୍ଟିର ଅଭିବୃଦ୍ଧି କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇ ପୁନଃ ସତ୍ୱ ଗୁଣ ଫେରି ପାଇବା ପାଇଁ ଧ୍ୟାନ ମଗ୍ନ ହେଲେ ଏହି ସମୟ ଭିତରେ ମନୁ ଓ ଶତରୁପା ସୃଷ୍ଟି ପ୍ରକ୍ରିୟାରେ ନିଜକୁ ନିୟୋଜିତ କରି ସନ୍ତାନ ଉତ୍ପାଦନ କରିବାରେ ଲାଗିଲେ (ଏହି ପ୍ରସଙ୍ଗ ଭାଗବତ ର ପ୍ରସଙ୍ଗ ଆଲୋଚନା ସମୟରେ ସଠିକ ଭାବରେ କରିବା )
ଏଵେ ଅବତାର ବିଷୟରେ ଆଲୋଚନା ଜାରି ରହିଛି ତେଣୁ ଜାଣିବା ଗୋଟିଏ ଗୋଟିଏ ଅବତାର ଗ୍ରହଣ ପଛର ପ୍ରକୃତ କାରଣ। ପ୍ରଥମେ ବରାହ ଅବତାରର କାହାଣୀ, ଧ୍ୟାନ ବଳରେ ବ୍ରହ୍ମା ଜ୍ଞାତ ହେଲେ ଯେ ଯେଉଁ ପୃଥିବୀ ଉପରେ ସମସ୍ତ ସୃଷ୍ଟିର ସର୍ଜନା ହେଉଥିଲା ତାହାକୁ ଅସୁର ମାନେ ପାତାଳକୁ ନେଇ ଯାଇଛନ୍ତି ଅର୍ଥାତ ଗୋପ୍ୟ କରିଦେଇଛନ୍ତି। ବ୍ରହ୍ମାଙ୍କୁ କେବଳ ପରଂବ୍ରହ୍ମଙ୍କ ଦ୍ୱାରା ସୃଷ୍ଟି କରିବାର ଦାୟିତ୍ୱ ମିଳିଥିଲା, ତାର ସଂରକ୍ଷଣ ଓ ପାଳନ ଦାୟିତ୍ୱ ତାଙ୍କୁ ନ୍ୟସ୍ତ ହୋଇ ନଥିବାରୁ ସେ ପୃଥିବୀର ଉଦ୍ଧାର ପାଇଁ ନିଜକୁ ଅଯୋଗ୍ୟ ମଣି ସେହି ପରଂବ୍ରହ୍ମଙ୍କୁ ଆକୁଳ ପ୍ରାର୍ଥନା କଲେ।
ସଙ୍ଗେ ସଙ୍ଗେ ପରମେଶ୍ୱର ଏକ ଶୁକର ରୂପ ଧାରଣ କରି ପାତାଳ ପୂରରୁ ପୃଥିବୀକୁ ଉଦ୍ଧାର କଲେ ଶ୍ରୀଜଗନ୍ନାଥ ଦାସ ଏହି କାହାଣୀକୁ ଅତି ସୁନ୍ଦର ଭାବରେ ବର୍ଣନା କରିଛନ୍ତି ଅର୍ଥାତ ବ୍ରହ୍ମାଙ୍କ ସ୍ତୁତି :- ମୁଁ ସୃଷ୍ଟି ସରଜିବି କାହିଁ।
ଏ ଜଳେ ଧରଣୀ ତ ନାହିଁ।।
ତାର ଉଦ୍ଧାରେ ଯତ୍ନ କର।
ଯେମନ୍ତେ ସୃଷ୍ଟିର ସଂଚାର।।
ବ୍ରହ୍ମାଙ୍କ ଏଭଳି ସ୍ତୁତି ଶୁଣି ଭଗବାନ ସଙ୍ଗେ ସଙ୍ଗେ ପୃଥିବୀ ଉଦ୍ଧାର କଲେ
ତକ୍ଷଣେ ପ୍ରଭୁ ନରହରି।
ବାଳ ଶୁକର ରୂପ ଧରି।।
ଅଙ୍ଗୁଷ୍ଟ ପ୍ରମାଣ ଶରୀରେ।
ଜନ୍ମିଲେ ବ୍ରହ୍ମା ନାସାଦୀରେ।।
ପ୍ରତ୍ୟେକ ଅବତାର ଗୋଟିଏ ଗୋଟିଏ ବିଶେଷ କାର୍ଯ୍ୟ ସାଧନ ପାଇଁ ଆସିଥାନ୍ତି ପୁନଃ ସେହି କାର୍ଯ୍ୟ ସାଧନ କରି ପରମେଶ୍ୱରଙ୍କ ଶରୀରରେ ଲୀନ ହୁଅନ୍ତି। ତେଣୁ ଏହି ଅବତାର ଯାହା ବରାହ ଅବତାର ରୂପେ ଖ୍ୟାତ ତାଙ୍କର କାର୍ଯ୍ୟ ସିଦ୍ଧିର ସମ୍ପୂର୍ଣ କାହାଣୀ ପ୍ରସଙ୍ଗ କ୍ରମେ ଆଗକୁ ଜାଣିବା। ଏଵେ ଜାଣିବା ପରମେଶ୍ୱରଙ୍କ ଅଂଶାବତାର ରୂପେ ଜନ୍ମ ନେଇଥିବା ନାରଦଙ୍କ ବିଷୟରେ । ଯେ ସଚାରଚର ମନ୍ୟୁଷ ମାନଙ୍କୁ ଭକ୍ତି ମାର୍ଗ ଦେଖାଇ ଥିଲେ।
ସୃଷ୍ଟି କର୍ତ୍ତା ବ୍ରହ୍ମା ଦେଖିଲେ ସାଂସାରିକ କର୍ମ ବନ୍ଧନରେ ପଡି ସମଗ୍ର ମାନବ ଜାତି କାମନା ଜାଲରେ ଛନ୍ଦି ହୋଇ ପଡୁଛନ୍ତି ସେମାନଙ୍କ ମନରେ ଭକ୍ତି ଜାଗ୍ରତ ନକଲେ ସେମାନେ ଏ ବନ୍ଧନରୁ ମୁକ୍ତି ପାଇବେ ନାହିଁ। ତେଣୁ ପୁନଃ ଶ୍ରୀ ବିଷ୍ଣୁଙ୍କୁ ଆରାଧନା କରି ତାଙ୍କରି ଅଂଶ ବିଶିଷ୍ଟ ପରମ ଜ୍ଞାନୀ ନାରଦଙ୍କୁ ନିଜ ମାନସ ପୁତ୍ର ଭାବରେ ଜାତ କରାଇଲେ। ଯେକି ପଞ୍ଚରାତ୍ର ଓ ନାରଦ ଭକ୍ତି ସୂତ୍ର ଆଦି ରଚନା କରି ଜଗତରେ ଭକ୍ତିର ସଂଚାର କଲେ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-111-the-srimad-bhagwat-gives-us-descriptions-of-the-pastimes-of-god/
ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି ଅନେକ ଅବତାର କାହାଣୀ । ଏଵେ ଭାଗବତ ଆଧାରରେ ପରଂବ୍ରହ୍ମଙ୍କୁ ସ୍ତୁତି କରିବା ଯେପରି ବ୍ରହ୍ମା କରୁଛନ୍ତି
କାଳ ସ୍ୱରୂପ ନାରାୟଣ।
ସୃଷ୍ଟି ପାଳନ ସଂହାରଣ।।
ଖେଳଇ ନିଜ ମାୟା ବଳେ।
କେ ତା ଦେଖିବ ଚର୍ମ ଡୋଳେ।।
ତାର ଶରୀରୁ ଆତ୍ମା ଜାତ।
ଲୀଳାରେ ସୃଜଇ ଜଗତ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.