ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅବତାରଙ୍କ ବିଷୟରେ ସୁନ୍ଦର ସୁନ୍ଦର ଉପସ୍ଥାପନା ରହିଛି। ପ୍ରସଙ୍ଗ କ୍ରମରେ ଏହାର ଆଲୋଚନା ହୋଇ ପାରିଥାନ୍ତା କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗ ଗୁଡିକୁ କ୍ରମାନ୍ୱୟରେ ଉପସ୍ଥାପନା କରିବାର ପ୍ରୟାସ କରାଯାଇଛି। ଏଵେ ଏହି କ୍ରମରେ ଆଲୋଚନା କରିବାପାଇଁ ଆମେ ନର-ନାରାୟଣ ପ୍ରସଙ୍ଗ ଉପସ୍ଥାପିତ କରୁଛୁ।
ସୃଷ୍ଟି ସଂରଚନା କାଳରେ ସୄଷ୍ଟ ଦେବତା ମାନଙ୍କ ମଧ୍ୟରେ କାମର ଦେବତା କାମଦେବ ନିଜ ଅଦ୍ଭୁତ କ୍ରିୟା କର୍ମ ପାଇଁ ସଂସାରରେ ଖୁବ ପରିଚିତ ଥିଲେ। ତାଙ୍କ ଫୁଲଶର ପ୍ରୟୋଗ କରି ଦେବ, ଋଷି, ଗନ୍ଧର୍ବ ତଥା ମାନବ ମାନଙ୍କୁ ମଧ୍ୟ ସେ ନିଜ ଵଶବର୍ତ୍ତୀ କରିପାରନ୍ତି। ସେଥିପାଇଁ ତାଙ୍କୁ ବିଶ୍ଵବିଜୟୀ ଆଖ୍ୟା ପ୍ରଦାନ କରାଯାଇଛି। ଅବଶ୍ୟ ସଂସାରରେ ନିଜର ପଞ୍ଚଶର ପ୍ରୟୋଗ ଜନିତ ନାନା ଉତ୍ପାତ ଯୋଗୁ ସଂହାର କର୍ତ୍ତା ଶିବ ତାଙ୍କୁ ଭସ୍ମ କରିଦେଇଛନ୍ତି, କିନ୍ତୁ ସଂସାରରୁ କାମନାଙ୍କୁ ତଡି ପାରି ନାହାନ୍ତି।
ତେଣୁ ସାରା ସଂସାରରେ କାମ ବାସନା ଆଜି ବି ପୂର୍ଣ୍ଣ ହୋଇ ରହିଛି ଓ ଏହି ପ୍ରଭାବରୁ ନିସ୍ତାର କରିବାର ଉପାୟ କ୍ରୋଧ ନୁହେଁ କେବଳ ବ୍ରହ୍ମଚର୍ଯ୍ୟ ଓ ତପସ୍ୟା ବଳରେ କାମ ବାସନାଙ୍କୁ ଜୟ କରିହୁଏ। ସାରା ସଂସାରରେ ଏହି ତତ୍ତ୍ୱର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଭଗବାନ ନିଜେ କାମଦେବଙ୍କ ପତ୍ନୀ “ମୂର୍ତ୍ତି”ଙ୍କ ଗର୍ଭରୁ ଦୁଇଟି ଖୁବ ସୁନ୍ଦର ଅବତାର ପୁରୁଷ ନର ଓ ନାରାୟଣ ରୂପେ ପ୍ରକଟିତ ହୋଇଥିଲେ। ମଣିଷର ମନ ଓ ଇନ୍ଦ୍ରିୟ ମାନଙ୍କ ଉପରେ ବିଜୟ ହାସଲ କରିବାର ଉପାୟ ବା ମାର୍ଗ ପ୍ରଚାରିତ କରିବା ଥିଲା ଏହି ଅବତାରଙ୍କ ମୂଖ୍ୟ ଉଦ୍ୟେଶ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-112-every-incarnation-comes-to-perform-a-special-task/
ଏପରି ଭାବରେ ବିଶ୍ୱ ବ୍ରହ୍ମାଣ୍ଡରେ ଅସଂଖ୍ୟ ଅବତାର ତତ୍ୱ ରହିଛି। ସେହିପରି ଏକ ତତ୍ୱ ହେଲା ଲୁପ୍ତ ପ୍ରାୟ ସାଂଖ୍ୟଶସ୍ତ୍ରର ଉଦ୍ଧାର ପାଇଁ ଭଗବାନ କପିଳ ରୂପ ଧାରଣ କରିଥିଲେ। ଏହି କପିଳ ଅବତାର ରେ ସେ ସାଂଖ୍ୟଶସ୍ତ୍ରକୁ ପ୍ରଚାର କରିବା ଉଦେଶ୍ୟରେ ସେ ଆସୁରୀ ନାମଙ୍କ ଋଷିଙ୍କୁ ସେହି ଶାସ୍ତ୍ର ଶିକ୍ଷା ଦେଇଥିଲେ। ଏହା ସତ୍ୟ ଯୁଗର ଘଟଣା, ତେଣୁ ପ୍ରତ୍ୟେକ ସତ୍ୟ ଯୁଗରେ ଭଗବାନ ବିଭିନ୍ନ ଶାସ୍ତ୍ର ଉଦ୍ଧାର ପାଇଁ ଓ ଏହି ଶାସ୍ତ୍ର ଜ୍ଞାନ ପ୍ରସାର ପାଇଁ ଅବତାର ଗ୍ରହଣ କରିବାର ଉଦାହରଣ ମିଳେ।
ଏଭଳି ଆହୁରି ଅନେକ ରୂପ ଅନେକ ଅବତାରର ଚର୍ଚ୍ଚା ଜାରି ରହିବ। ଏଵେ ଅବୋଧ ଭାଷାର ସୁନ୍ଦର ପଦଟିଏ..
ହେଁ ମନ ମୌଜୀ ନାଥ ସୂତ୍ରଧର ବିଶ୍ୱବିହାରୀ।
ନୟେ ନୟେ ନିତି ସ୍ୱାଙ୍ଗ ରଚେ ଲୀଳା ବିସ୍ତାରି।।
ଏକ ରୂପତେଂ ରଚେଂ ଏକତେଂ ଜଗ କୋ ପାଳନ।
ରୁଦ୍ର ରୂପ ଧରି କରେଂ ବିଶ୍ଵକୋ ୱେ ସଂହାରନ।।
ଏହାକୁ ଶ୍ରୀଜଗନ୍ନାଥ ଦାସ ଅତ୍ୟନ୍ତ ସରଳ ଭାବରେ ଉପସ୍ଥାପନା କଲେ
ସେ ନାନା ବିଧ ରୂପ ହୋନ୍ତି।
କ୍ରମେ ତାହାର ଦେହେ ଯାନ୍ତି।।
ଏ ଭାଗବତ ଜ୍ଞାନ ରସ।
କହିଲା ଜଗନ୍ନାଥ ଦାସ।।
ଜୟ ଜଗନ୍ନାଥ
(ଦ ତ୍ରି. ଉଵାଚ)
Comments are closed.