ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା କରିବାର ଉପଦେଶ ଦେବର୍ଷି ନାରଦ ଭଗବାନ ବ୍ୟାସଦେବଙ୍କୁ ଦେଇ କହିଲେ ମନ୍ୟୁଷ ମାନଙ୍କ ତପସ୍ୟା, ବେଦାଧ୍ୟୟନ, ଯଜ୍ଞାନୁଷ୍ଠାନ, ସଦଗୁଣ କଥନ ତଥା ସଦଜ୍ଞାନ ଫଳରେ ପୁଣ୍ୟ ଶ୍ଳୋକ ପରମାତ୍ମାଙ୍କ ସମ୍ବନ୍ଧରେ ଆତ୍ମ ଜ୍ଞାନ ଜାତ ହୋଇଥାଏ। ଯଦି ଜଣେ କବି ବହୁ ସୁନ୍ଦର ଅଳଙ୍କାର ପୂର୍ଣ୍ଣ ତଥା ରୀତି ଗୁଣ ସମନ୍ୱିତ କବିତା ରଚନା କରେ ତେବେ ସଂସାର ତାଙ୍କୁ ନିଶ୍ଚୟ ପ୍ରଶଂସା କରିବ। କିନ୍ତୁ ଭଗବତ ଲୀଳା ବର୍ଣନା ବ୍ୟତିରେକ ଅନେକ ଉପମା ଅଳଙ୍କାର ଯୁକ୍ତ କାବ୍ୟରେ କୌଣସି ନୂତନତା ନଥାଏ ଏହା ଶ୍ରୁତି ସୁଖକର ହେଲେ ମଧ୍ୟ ହୃଦୟ ସ୍ପର୍ଶୀ ହୁଏନି। ଏଣୁ ହେ ବ୍ୟାସଦେବ ତୁମେ ସଜ୍ଜନ ମନୋହାରିଣୀ, ଜଗତପାବନୀ ଶ୍ରୀକୃଷ୍ଣଙ୍କ ଲୀଳାବର୍ଣନାରେ ପୂର୍ଣ୍ଣ ଗୋଟିଏ ଏପରି ଗ୍ରନ୍ଥ ରଚନା କର ଯାହା ସମଗ୍ର ଜଗତକୁ ଶ୍ରୀକୃଷ୍ଣ ଭକ୍ତିରେ ରଙ୍ଗାଇତ କରି ଚରମ ଆନନ୍ଦ ସହ ମୋକ୍ଷ ପ୍ରାପ୍ତିର ପଥ ପଦର୍ଶିତ କରିବ।
ହଁ ତୁମେ ପ୍ରଶ୍ନ କରିଛ ଶ୍ରୀକୃଷ୍ଣଙ୍କ ଅମୀୟ ଲୀଳା ବର୍ଣନା ତୁମେ କିପରି କରିବ, ଏଥିପାଇଁ ମୋର ନିବେଦନ ହେଲା, ହେ ବ୍ୟାସ ତୁମେ ସାଧାରଣ ମନୁଷ୍ୟ ନୁହଁ! ତୁମେ ଅଜନ୍ମା ହୋଇ ମଧ୍ୟ ପରମାତ୍ମାଙ୍କ ଅଂଶାବତାର ଭାବରେ ଜଗତରେ ଲୋକ କଲ୍ୟାଣ ପାଇଁ ଜନ୍ମ ନେଇଛ। ମୋର ଉପଦେଶ ହେଲା ତୁମେ ଏକାନ୍ତରେ ବସି ପରଂବ୍ରହ୍ମଙ୍କ ଚିନ୍ତାରେ ନିଜକୁ ହଜେଇ ଦିଅ। ତୁମ ସମ୍ମୁଖରେ ଉଦ୍ଭାସିତ ହେବ ଶ୍ରୀକୃଷ୍ଣଙ୍କ ଅପୂର୍ଵ ଲୀଳା ମାଧୁରୀ। କାରଣ ସେହିଁ ପରମେଶ୍ୱର, ତେଣୁ ଯାହା ଦେଖିବ ତାହା ଲେଖିବ ଆଉ ତାହା ହେବ ଜଗତରେ ଏକ ଅମୂଲ୍ୟ ଗ୍ରନ୍ଥ ଭାଗବତ। ତୁମ ପରି ବୁଦ୍ଧିମାନଙ୍କ ପ୍ରଖର ବୁଦ୍ଧି, ତୁମ ପରି ତପସ୍ବୀଙ୍କ ଉଗ୍ର ତପସ୍ୟା ବେଦ ମାର୍ଗର ନିର୍ଦେଶ ତୁମ ଧ୍ୟାନ, ଧାରଣା, ଜପ, ତପ ସବୁରି ଆଧାରରେ ରଚନା କର ଏହି ଭଗବତ ଲୀଳା ପୂର୍ଣ୍ଣ ମହାକାବ୍ୟ ଶ୍ରୀମଦ ଭାଗବତ, ଯାହା ସମଗ୍ର ଜଗତକୁ ଶାଶ୍ୱତ ଶାନ୍ତି ସହିତ ଦିବ୍ୟ ଜ୍ଞାନ ପ୍ରଦାନ କରିବ।
ଏହା ମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-121-god-shri-krishna-is-the-absolute-brahma-who-is-neither-born-nor-dissolved/
ଦେବର୍ଷି ନାରଦଙ୍କ ଏହି ଭାବ ତଥା ତତ୍ୱ ପୂର୍ଣ୍ଣ ଉପଦେଶ, ଭଗବାନ ବ୍ୟାସଦେବଙ୍କ ମନରେ ଦୃଢ଼ ସଂକଳ୍ପ ସୃଷ୍ଟି କଲା। ଆଗରୁ ନିଜ ମନରେ ସୃଷ୍ଟି ହୋଇଥିବା ଅପୂର୍ଣ୍ଣତା ଦୁରେଇ ଗଲା ସେ ଉପଲବ୍ଧି କଲେ ଯେ ସମସ୍ତ ସୁଗୁଣଧାରୀ, ମଦନମୋହନ ତଥା ମୁରଲୀଧାରୀ, ବାଙ୍କଚୁଲିଆ ନଟବରଙ୍କ ଲୀଳା ହିଁ ତାଙ୍କୁ ସବୁ ପୂର୍ଣ୍ଣତା ଦେବ। ତେଣୁ ନିଜ ହୃଦୟରୁ ସମସ୍ତ କାମନା ବାସନା, ଚଞ୍ଚଳତା ଓ ସମସ୍ତ ଐହିଁକି ସୁଖକୁ ଦୂର କରି କେବଳ ଭଗବତ ଚିନ୍ତନରେ ମନ ନିବେଶ କଲେ। ନାରଦଙ୍କ ଉପଦେଶ କାମ ଦେଲା ଓ ସେ ବିଶ୍ୱ ମୋହନ ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳା ମାଧୁରୀ ସହିତ ଅନେଜ ତଥ୍ୟ ଓ ତତ୍ୱରେ ପୂର୍ଣ୍ଣ ଶ୍ରୀମଦ ଭାଗବତ ରଚନା କରିଲେ। ସେହି ସଂସ୍କୃତ ଭାଗବତର ଏକ ଶ୍ଳୋକ କହେ
“ଇଦଂ ହି ପୁଂସ ସପ୍ତଶଃ ଶ୍ରୁତସ୍ୟ ବା
ସ୍ଵିଷ୍ଟସ୍ୟ ସୂକ୍ତସ୍ୟ ଚ ବୁଦ୍ଧି ଦତ୍ତୟୋଃ
ଅବିଚ୍ୟୁତ ଅର୍ଥଃ କବିଭିର୍ନି ରୂପୀତୋ
ଯଦୁତ୍ତୋମ ଶ୍ଳୋକଗୁଣାନୁ ବର୍ଣ୍ଣନମ।।
ଏହାର ଭାବାର୍ଥ ଏଇଆ ଯେ ତୁମେ ଯାହା ଶୁଣିଛ, ସୃଷ୍ଟି କରିଛ, ବୁଦ୍ଧି ଦେଇଛ ସବୁ ସଂସାର ହିତ ପାଇଁ କିନ୍ତୁ ଭଗବତ ଲୀଳା ବର୍ଣନା ଜଗତ ଉଦ୍ଧାର ପାଇଁ। ଆସନ୍ତୁ ତେବେ ଜଗତ ଉଦ୍ଧାର ପାଇଁ ଓଡ଼ିଆ ଭାଗବତର ଶ୍ରୀଜଗନ୍ନାଥ ଦାସଙ୍କ ଅମୂଲ୍ୟ ପଦ
ମୋର ଭକତି ବିନୁ ନର।
ନୁହଁଇ ଭବ ଜଳୁ ପାର।।
ନିରତେ ଚିନ୍ତ ନରହରି।
ଭବ ସାଗରୁ ହୁଅ ପାରି।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.