Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୩: ଯେଉଁମାନେ ଇନ୍ଦ୍ରିୟ ଓ ମନରେ ସର୍ବଦା କୃଷ୍ଣ ରସ ପାନରେ ନିୟୋଜିତ ଥାନ୍ତି ସେମାନେ ହିଁ ଗୋପୀ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ଭିତ୍ତି ଭୂମି ହେଲା ଜ୍ଞାନ, ବୈରାଗ୍ୟ ଓ ଭକ୍ତି। ଭାଗବତରେ ଯେଉଁ ଭକ୍ତିଧାରା ପ୍ରବାହିତ ହୁଏ, ତାର ଆଧାର ବା ଶ୍ରେଷ୍ଠ ନିଦର୍ଶନ ହେଲେ ଗୋପୀମାନେ। ଶ୍ରୀକୃଷ୍ଣ ଲୀଳା ବର୍ଣନାରେ ଗୋପୀ ମାନଙ୍କ ଭକ୍ତିର ଚର୍ଚ୍ଚା ବିନା ତାହା ସମ୍ପୂର୍ଣ ଲାଗେନାହିଁ। ଆମେ ଆଗରୁ ରାସ ବର୍ଣନା ବେଳେ ମଧ୍ୟ ଗୋପୀ ମାନଙ୍କ ବିଷୟରେ ଆଲୋଚନା କରିଥିଲେ, ଏଵେ ଆସନ୍ତୁ ଜାଣିବା ଗୋପୀ ଭାବ ବିଷୟରେ। ସାଧାରଣତଃ ଗୋପୀ ଶବ୍ଦଟିର ନିଷ୍ପନ୍ନ ଓ ତାତ୍ୱିକ ବିସ୍ଲେସଣ ହିଁ ଆମକୁ ସୂଚାଇ ଦେଇଥାଏ “ଗୋପୀ ଭାବ ” କଣ
“ଗୋଭିଃ ପୀବତି କୃଷ୍ଣ ରସମିତି”
ଏହାହିଁ ଗୋପୀ ଶବ୍ଦର ବିସ୍ଲେସଣ ଅର୍ଥାତ ଯେଉଁମାନେ ଇନ୍ଦ୍ରିୟ ଓ ମନରେ ସର୍ବଦା କୃଷ୍ଣ ରସ ପାନରେ ନିୟୋଜିତ ଥାନ୍ତି ସେମାନେ ହିଁ ଗୋପୀ, ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରେ ଯଥାର୍ଥ ରେ ଲେଖିଲେ
ଷୋଳ ସହସ୍ର ଗୋପନାରୀ।
ମୋତେ ବରିଲେ ତପ କରି।।
ସେ ମୋର ଭକତ ବିଶ୍ୱାସ।
ମୁଁ ତାଙ୍କ ପୁରାଇବି ଆଶ।।
ଏଠାରେ ଗୋପ ନାରୀ ମାନଙ୍କୁ ମଧ୍ୟ ଗୋପୀ ଆଖ୍ୟା ଦିଆଗଲା ଏବଂ ଶ୍ରୀକୃଷ୍ଣ ନିଜେ କହିଲେ ସେମାନେ କୃଷ୍ଣ ସଙ୍ଗ ଅନେକ ତପ କରି ଲାଭ କରିଛନ୍ତି, ଯେଉଁମାନେ ଘୋର ତପ ଆଚରଣ କରି ଶ୍ରୀକୃଷ୍ଣଙ୍କ ସଙ୍ଗ ଲାଭ କଲେ, ସେମାନେ ଶ୍ରୀକୃଷ୍ଣଙ୍କ ଠାରେ ଭାବ ନଲଗେଇବେ କିପରି। ତେବେ ଏ ଗୋପୀ ମାନେ ପ୍ରକୃତରେ କିଏ ଓ କେଉଁଠାରେ ଏମାନେ ତପ କଲେ। ତାର ପୂର୍ଣ୍ଣ ବିବରଣୀ ନ ଜାଣିଲେ ଆମେ ସମ୍ପୂର୍ଣ ରୂପେ ଗୋପୀ ଭାବକୁ ବୁଝି ପାରିବନି। ଏକଥା ସ୍ୱୟଂ ସୃଷ୍ଟି କର୍ତ୍ତା ବ୍ରହ୍ମା ମଧ୍ୟ ସ୍ୱୟଂ ପରଂବ୍ରହ୍ମଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ପରଂବ୍ରହ୍ମ କହିଲେ ପୂର୍ବକାଳରେ ବା ସୃଷ୍ଟିର ଉତ୍ପତି ପରେ ପରେ ଶ୍ରୁତିଗଣ ଶ୍ୱେତଦ୍ବୀପକୁ ଯାଇ ସେଠାରେ ମୋର ପ୍ରଥମ ସ୍ୱରୂପ ବିରାଟ ପୁରୁଷଙ୍କୁ ଅତି ଆକୁଳ ସ୍ୱରରେ ସ୍ତବନ ଓ ନିବେଦନ କଲେ ହେସର୍ବଭୁତ ଭୂମା ଆପଣଙ୍କ ଏହି ସହସ୍ର ପାଦ, ସହସ୍ର ବାହୁ, ସହସ୍ର ମସ୍ତକ ଇତ୍ୟାଦି ଧାରଣ କରିଥିବା ବିରାଟ ସ୍ୱରୂପ ଆମ୍ଭ ମାନଙ୍କୁ ଆନନ୍ଦ ଦେବା ପରିବର୍ତେ ଆମମାନଙ୍କ ମନରେ ଭିତି ସଂଚାର କରୁଛି।

ତେଣୁ ଦୟାପୂର୍ବକ ଆମମାନଙ୍କୁ ଆପଣଙ୍କ ଦିବ୍ୟ ମନମୋହନ ସ୍ୱରୂପକୁ ଦର୍ଶନ କରାନ୍ତୁ, ସଙ୍ଗେ ସଙ୍ଗେ ପରଂବ୍ରହ୍ମ କହିଲେ ସେହି ରୂପ ଦେଖିବାକୁ ହେଲେ ନିତ୍ୟ ଗୋଲକ ଧାମ ଯିବାକୁ ପଡିବ ଏହି ଦିବ୍ୟ ଗୋଲକଧାମ ଅତ୍ୟନ୍ତ ଆନନ୍ଦ ଦାୟକ, ଅବିନାଶୀ ନିର୍ବିକାର ତଥା ଜ୍ଞାନାନନ୍ଦ ସ୍ୱରୂପ ଏହାପରେ ପରଂବ୍ରହ୍ମ ତାଙ୍କର ନିତ୍ୟ ବିହାର ସ୍ଥଳ ବୃନ୍ଦାବନ ଧାମ ଦର୍ଶନ କରାଇଲେ। ଶ୍ରୁତିଗଣ ସେଠାରେ ମନୋହର ନିକୁଞ୍ଜ, କାମନା ପୂର୍ଣ୍ଣ କରୁଥିବା କଳ୍ପ ବୃକ୍ଷ, ସୁନ୍ଦର ନଦୀ, ଝରଣା, ପର୍ବତ କନ୍ଦର ଇତ୍ୟାଦି ଦର୍ଶନ କଲେ। ଋତୁ ଓ ଧାତୁ ପୂର୍ଣ୍ଣ ଗୋବର୍ଦ୍ଧନ ପର୍ବତ, ସୁନ୍ଦର ବୃକ୍ଷ ରାଜି ଓ ସେଥିରେ ସୁନ୍ଦର ସୁନ୍ଦର ପକ୍ଷୀ ମାନଙ୍କ କାକଳି ଶୁଣି ସେମାନେ ମୁଗ୍ଧ ହେଲେ, ସବୁଠାରୁ ବଡ଼ କଥା କୋଟି କନ୍ଦର୍ପ ଶୋଭା ଯୁକ୍ତ ପରଂବ୍ରହ୍ମ ଙ୍କ ସ୍ୱରୂପ ମଧ୍ୟ ଶ୍ରୁତିଗଣ ଦର୍ଶନ କଲେ ଏହି ସମୟରେ ଶ୍ରୁତିଗଣଙ୍କ ମନରେ କାମିନୀ ଭାବ ଜାତ ହେଲା।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-122-the-bhagavata-lila-is-described-for-the-salvation-of-the-world/

ସେମାନେ ଭଗବାନଙ୍କ ସେହି କମନୀୟ ସ୍ୱରୂପଙ୍କ ସାନିଧ୍ୟ ପାଇଁ ଆକୁଳ ହେଲେ। ଶ୍ରୁତିଗଣଙ୍କ ଏହି ଭାବନା ଜାଣି ପରଂବ୍ରହ୍ମ କହିଲେ ତୁମ କାମନା ଦୁର୍ଲଭ ଓ ଦୁର୍ଘଟ, ଯାହା ପୁରଣ କରିବା ମୋ ପକ୍ଷରେ ବର୍ତ୍ତମାନ ସମ୍ଭବ ନୁହେଁ। କିନ୍ତୁ ଆଗାମୀ ସୃଷ୍ଟିରେ ମୁଁ ଏହା ନିଶ୍ଚୟ ପୂରଣ କରିବି। ସେହି ସମସ୍ତ ବିବରଣୀ ଯଦୁ କୂଳ ଗୁରୁ ଗର୍ଗ ମୁନିଙ୍କ ପ୍ରଦତ୍ତ ବିବରଣୀରୁ ଜାଣିବା କିନ୍ତୁ ଆଗାମୀ ଅଧ୍ୟାୟରେ ବର୍ତ୍ତମାନ ସେହି ଭାଗବତର ଅମୀୟ ବାଣୀ
ଅବ୍ୟୟ ଅକ୍ଷୟ ଏ ଧର୍ମ।
କହନ୍ତି ପୁଣ୍ୟ ଶ୍ଳୋକ ଜନ।।
ଜାତ ଯେ ହୋଇ ଏ ସଂସାର।
ମରଣ ଧ୍ରୁବଟି ତାହାର।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

 

Comments are closed.