Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୭: ବ୍ରଜବାସୀ ଗୋପୀ ମାନଙ୍କ ପଖାତର ରାଗାନୁଗା ଭକ୍ତି ଦେଖାଯାଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ ବର୍ଣନାରେ ଭକ୍ତ ମାନଙ୍କଠାରେ ଦୁଇ ପ୍ରକାର ଭକ୍ତି ଦେଖାଯାଏ। ଯଥା ବୈଧୀ ଓ ରାଗାନୁଗା ଭକ୍ତି। ଆମେ ଦୁଇଟି ଯାକ ଭକ୍ତିର ସ୍ୱରୂପ ଗତ ଅଧ୍ୟାୟରେ ଆଲୋଚନା କରିସାରିଛେ ଓ ଏହା ବି ଜାଣିଛେ ବ୍ରଜବାସୀ ଗୋପୀ ମାନଙ୍କ ପଖାତର ରାଗାନୁଗା ଭକ୍ତି ଦେଖାଯାଏ। ବର୍ତ୍ତମାନ ଜାଣିବା ଏହି ଭକ୍ତିରେ ଆକ୍ରାନ୍ତ ଗୋପୀ ମାନଙ୍କ ଠାରେ କି କି ଲକ୍ଷଣ ଦେଖାଯାଏ, ସଂସ୍କୃତ ଭାଗବତରେ ଏହା ଏପରି ବର୍ଣିତ
“ବାଗଗଦଗଦା ଦ୍ରବତେ ଯସ୍ୟ ଚିତ୍ତମ ରୁଦତ୍ୟ ଭୀଷ୍ମ ହସତି କ୍ଵଚିତ।।
ନିର୍ଲଜ ଉଦଗାୟତି ନୃତ୍ୟତେ ଚ।
ମଭକ୍ତିଯୁକ୍ତୋ ଭୁବନଂ ପୁନାତି।।
ଅର୍ଥାତ ରାଗାନୁଗା ଭକ୍ତି ଉଦୟ ହେଲେ ଭକ୍ତର (ଏଠାରେ ଗୋପୀ ମାନଙ୍କର) ବାକ୍ୟ ଗଦ ଗଦ ହୋଇଯାଏ, ଚିତ୍ତ ଦ୍ରବିତ ହୁଏ, ଭକ୍ତ କେତେବେଳେ କାନ୍ଦେ ତ କେତେବେଳେ ହସେ, ନିର୍ଲଜ ଭଳି ପ୍ରଳାପ କରେ ଓ ଗାନ କରେ। ତାସହିତ ନୃତ୍ୟ ମଧ୍ୟ କରେ ଶାସ୍ତ୍ର ଏପରି ଲକ୍ଷଣ ଭକ୍ତ ଠାରେ ପ୍ରକାଶିତ ହେଲେ ତାହାକୁ ଅହେତୁକୀ, ଅପ୍ରତିହତା ଓ ଏକଭକ୍ତି ଭାବରେ ବର୍ଣନା କାରାଯାଏ।

ବିଶେଷ ଭାବରେ ଆଲୋଚନା କଲେ ଜଣାଯାଏ ଯେ ଗୋପୀ ମାନଙ୍କ ଠାରେ ଦୃଶ୍ୟମାନ ଏହି ରାଗାତ୍ମିକା ଭକ୍ତିକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଏ ପ୍ରଥମଟି ସମ୍ବନ୍ଧରୁପା ଓ ଦ୍ଵିତୀୟଟି କାମରୁପା
ସମ୍ବନ୍ଧରୁପା:-ପିତା, ମାତା, ସଖା, ଦାସ ପ୍ରଭୃତିର ସମ୍ବନ୍ଦ ରେ ଅଭିମାନ ବଶତଃ ଯେଉଁ ମାନେ ଭାବ ସହିତ ଯଥା ଯୋଗ୍ୟ ଭାବରେ ଶ୍ରୀକୃଷ୍ଣ ଙ୍କ ସେଵା କରନ୍ତି, ସେହି ଭକ୍ତିକୁ ହିଁ
ସମ୍ବନ୍ଧରୁପାରାଗାତ୍ମିକା କୁହାଯାଏ। ବ୍ରଜରେ ଏହାର ଉଦାହରଣ ହେଲେ ନନ୍ଦ, ଯଶୋଦା ପିତୃ ମାତୃ ବର୍ଗ, ସୁବଳ ମଧୁମଙ୍ଗଳ ଆଦି ସଖା ବର୍ଗ ଶ୍ରୀରକ୍ତକ, ପତ୍ରକ ଆଦି ଦାସ ବର୍ଗ।

କାମରୁପା:-ଏଠାରେ କାମ ଶବ୍ଦର ଅର୍ଥ ଦେହଜ କାମ ନୁହେଁ, ହୃଦୟର ପ୍ରେମରୁ ଜାତ ରାଗାତ୍ମିକା ଭକ୍ତି ଯାହା ବ୍ରଜବାସୀ ଗୋପୀ ମାନଙ୍କ ଠାରେ କେବଳ ଦେଖାଯାଏ। ଏଠାରେ କାମ ଓ ପ୍ରେମ ମଧ୍ୟରେ ପ୍ରଭେଦ ଦର୍ଶାଇ କବିରାଜ କୃଷ୍ଣ ଦାସ ଚୈତନ୍ୟ ଚରିତାମୃତରେ କହିଛନ୍ତି।
“ଆତ୍ମେନ୍ଦ୍ରିୟ ପ୍ରୀତି ବାଞ୍ଚା ତାରେ ବଲି କାମ।
କୃଷ୍ଣେନ୍ଦ୍ରିୟ ପ୍ରୀତିବାଞ୍ଚା ଧରେ ପ୍ରେମ ନାମ।।
ଅର୍ଥାତ ଯେଉଁ ପ୍ରୀତି ବଞ୍ଚା ଆତ୍ମକୈନ୍ଦ୍ରିକ ତାହା କାମ ଓ ଯେଉଁ ପ୍ରୀତି ବାଞ୍ଚା କୃଷ୍ଣ କୈନ୍ଦ୍ରିକ ତାହା ପ୍ରେମ (ଅପ୍ରାକୃତ ପ୍ରେମ) ଏହି ପ୍ରେମ ଭାବକୁ ବୁଝିବା ଅତ୍ୟନ୍ତ ଗହନ କାର୍ଯ୍ୟ ତେଣୁ ସମୟ ସମୟରେ ଶାସ୍ତ୍ର କାର ମାନେ ଗୋପୀ ମାନଙ୍କ ଏହି ଭକ୍ତିକୁ କେବଳ କାମ ରୁପା ଭକ୍ତି ବୋଲି କହିଥାନ୍ତି।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-126-what-is-the-meaning-of-gopi-bhaba/

ଆମେ ଆଗାମୀ ଅଧ୍ୟାୟ ମାନଙ୍କରେ ଏହାର ବିଷଦ ଆଲୋଚନା କରିବା ବର୍ତ୍ତମାନ ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତରୁ କିଛି ପଦର ସ୍ମରଣ
ଅମୃତ ବିନୟ ବଚନ।
କହି ତୋଷିବ ପ୍ରାଣୀ ମନ।।
ଏଭାବେ ଲଭି କୃଷ୍ଣ ପାଦ।
ହରିବ ବିଷୟା ବିଷାଦ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.