ଶ୍ରୀ ଭାଗବତ ସାର ୧୨୮: ଅସୁସ୍ଥ କୃଷ୍ଣଙ୍କୁ ସୁସ୍ଥ କରିବା ପାଇଁ ଗୋପୀମାନେ ନିଜ ନିଜର ପାଦ ଧୂଳି ପ୍ରଦାନ କରି ନର୍କଗାମୀ ହେବାକୁ ପଛାନ୍ତି ନାହିଁ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କୃଷ୍ଣଭକ୍ତି ରସ ସହିତ ଗୋପୀ ପ୍ରେମ ରସରେ ଭରପୁର ଅଟେ। ସେଥିପାଇଁ ଗୋପୀ ଭକ୍ତି ଭାବକୁ ସାଧାରଣରେ “କାମ ରୁପା” ବୋଲି ବିବେଚନା କରାଯାଏ। ରୂପ ଗୋସ୍ୱାମୀ କହିଛନ୍ତି “ପ୍ରେମୈବ ଗୋପରାମାଣାଂ କାମ ଇତ୍ୟଗମତ ପ୍ରଥାମ”। ଗୋପୀ ମାନଙ୍କ ଭକ୍ତିରେ କାମ ପ୍ରଥମେ ଆସିଥାଏ, କିନ୍ତୁ ଏହି କାମ ଦେହଜ ନୁହେଁ ଏହା ଆତ୍ମିକ ଗୋପୀ ମାନଙ୍କ କାମରୁପା ରା଼ଗାତ୍ମିକା ଭକ୍ତିର ବୈଶିଷ୍ଟ୍ୟ ହେଉଛି ଯେ ସେମାନେ ଶ୍ରୀକୃଷ୍ଣଙ୍କ ସୁଖ ପାଇଁ ଧର୍ମ, କର୍ମ, ସ୍ୱଜନ, ଆର୍ଯ୍ୟପଥ ଆଦିକୁ ସର୍ବୋତ ଭାବେ ବିସର୍ଜନ ଦେଇଥାନ୍ତି।
କେବଳ ଆଉ କେବଳ ଶ୍ରୀକୃଷ୍ଣଙ୍କୁ ସୁଖୀ କରିବା ସେମାନଙ୍କର ଲକ୍ଷ ହୋଇଥାଏ, କୃଷ୍ଣ ସୁଖ ତାତ୍ପର୍ଯ୍ୟମୟ ସେବାର ବିଶୁଦ୍ଧ କାମନାକୁ କେବଳ କାମ ନକହି କାମରୁପା ଭକ୍ତି କହିବା ଅଧିକ ଯୁକ୍ତି ଯୁକ୍ତ ହୋଇଥାଏ। କାରଣ ଏହି ପ୍ରକାର ଭକ୍ତି ବ୍ରଜ ବାସୀ ଗୋପୀଙ୍କ ଛଡା ସଂସାରରେ ଆଉ କାହା ପାଖରେ ଦେଖା ଯାଏନି। ବ୍ରଜଗୋପୀ ମାନଙ୍କର ବିଶେଷ ପ୍ରେମ ଅନିର୍ବଚନୀୟ ମାଧୁର୍ଯ୍ୟରସ ପ୍ରାପ୍ତି ପୂର୍ବକ, ବିଶେଷ କାମ କ୍ରୀଡାର କାରଣ ହୋଇଥାଏ। ଏହି ଅପ୍ରାକୃତ ସମ୍ଭୋଗ ତୃଷାକୁ ଗୋପାଙ୍ଗନା ମାନେ ନିଜ ଅଙ୍ଗ ଭାବରେ ଗ୍ରହଣ କରିଥାନ୍ତି, ଏଥିରେ ନିଜ ସୁଖ ଅପେକ୍ଷା କୃଷ୍ଣ ଙ୍କ ସୁଖ ପ୍ରାପ୍ତିର ବ୍ୟବସ୍ଥା ଅଧିକ ଥାଏ।
ଉଦାହରଣ ସ୍ୱରୂପ ଅସୁସ୍ଥ କୃଷଙ୍କୁ ସୁସ୍ଥ କରିବା ପାଇଁ ଗୋପୀ ମାନେ ନିଜ ନିଜର ପାଦ ଧୂଳି ପ୍ରଦାନ କରି ନର୍କ ଗାମୀ ହେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। କୃଷ୍ଣଙ୍କ ପାଇଁ ଗୋପୀ ମାନଙ୍କ ମନରେ ଉତ୍ପନ ହେଉଥିବା ସମ୍ଭୋଗ ଲାଳସା ସାଧାରଣ ଦେହ ଲାଳସା ନୁହେଁ ଏହା ଆତ୍ମିକ ବିଶୁଦ୍ଧ ପ୍ରେମ ଅଟେ। ଗୋପୀ ମାନଙ୍କର କୃଷ୍ଣଙ୍କ ପ୍ରତି ସୃଷ୍ଟି ହେଉଥିବା “କାମରୁପା ସମ୍ଭୋଗତୃଷ୍ମାଟି ଯଦି କୁତ୍ସିତ ହୋଇଥାନ୍ତା, ତେବେ ଗୋପାଙ୍ଗନା ମାନଙ୍କ ଚରଣଧୂଳି ସୃଷ୍ଟି କର୍ତ୍ତା ବ୍ରହ୍ମା, ଭକ୍ତ ଶ୍ରେଷ୍ଠ ନାରଦ ଓ ମହାତ୍ମା ଉଦ୍ଧବଙ୍କ ପ୍ରିୟ ଓ ପୂଜ୍ୟ ହୋଇନଥାନ୍ତା।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-127-the-devotion-of-the-gopis-living-in-braj-is-seen-in-the-form-of-passion/
ସେହିପରି ଅନ୍ୟ ଭାବରେ କହିଲେ ଭଗବାନଙ୍କ ଅତି ପ୍ରିୟ ଭକ୍ତ। ଉଦ୍ଧବ ପ୍ରଭୃତି ଗୋପାଙ୍ଗନା ମାନଙ୍କର “କାମ ରୁପା ଭକ୍ତି”କୁ ଆପଣେଇବା ପାଇଁ ନିଜ ମନରେ କାମନା କରିଥାନ୍ତି। ନାରଦୀୟ ପାଞ୍ଚରାତ୍ରରେ କୁହାଯାଇଛି “ଅନନ୍ୟ ମମତା ବିଷ୍ଣୋ ମମତା ପ୍ରେମ ସଙ୍ଗତା, ଭକ୍ତିରିତ୍ୟୁଚ୍ୟତେ ଭୀଷ୍ମ ପ୍ରହଲ୍ଲାଦୋଦ୍ଧବ ନାମବୈଃ” ଅର୍ଥାତ ଯେଉଁଠାରେ ଅନ୍ୟ (ବିଷୟ) ସହିତ, ମମତା ରହିତ ପୂର୍ବକ, କେବଳ ମାତ୍ର ବିଷ୍ଣୁ ଙ୍କ ସଙ୍ଗତ ଭକ୍ତି ହୁଏ, ତାହାକୁ ଭୀଷ୍ମ, ପ୍ରହଲ୍ଲାଦ, ଉଦ୍ଧବ, ନାରଦ ପ୍ରଭୃତି ପ୍ରେମ ଭକ୍ତି କହନ୍ତି। ଏହାକୁ ଆହୁରି ତାତ୍ୱିକ ଭାବରେ ବିଚାର କରିବା ଆଗାମୀ ଅଧ୍ୟାୟ ଗୁଡିକରେ, ବର୍ତ୍ତମାନ ସମୟ ଓଡ଼ିଆ ଭାଗବତ ର ସ୍ମରଣ ମନନ
ପର ପୁରୁଷେ ଚିତ୍ତ ଦେଇ।
ଯେ ନାରୀ ରମେ ଦେହ ବହି।।
ତାହାଙ୍କ ନାହିଁ ସୁଖ ଲେଶ।
ନରକେ ହୋନ୍ତି ପରବେଶ।
ଜୟ ଜଗନ୍ନାଥ
(ଡ଼. ତ୍ରି. ଉଵାଚ)
Comments are closed.