ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପ୍ରେମ ଭକ୍ତି ଯେପରି ବର୍ଣ୍ଣନା କରିଛନ୍ତି, ସେହିପରି ଗୋପାଙ୍ଗନା ମାନଙ୍କ କୃଷ୍ଣ ପ୍ରେମ ମଧ୍ୟ ବର୍ଣିତ ହୋଇଛି। ଘଟଣା ଗୋଟିଏ କହୁଛି, ଅକ୍ରୁର ଶ୍ରୀରାମକୃଷ୍ଣ ବେନି ଭାଇଙ୍କୁ ମଥୁରା ନେବା ସମୟର କଥା, ଓଡ଼ିଆ ସାହିତ୍ୟରେ ବର୍ଣିତ ଗୋପାଙ୍ଗନା ମାନଙ୍କ ବିଳାପ ଆମକୁ ରାଗାତ୍ମିକା ଭକ୍ତିର ପରିଚୟ ଦିଏ ଯଥା
“ମଥୁରା ଗଲେ ଅକ୍ରୁର ସଙ୍ଗେ ଆମ୍ଭମାନଙ୍କୁ ଦେବ କାହାକୁ ହେ, ମୋହନ!ତୁମ ପ୍ରାଣ ଯିବ, କାହା ପାଇଁ ଏ ପିଣ୍ଡରେ ପ୍ରାଣ ଥିବ।
ଯାହା ବାହା ସାହା ପାଇଁ ବଂଚିଥିଲୁ ସେହୁ ଯେବେ କଂସ ପୁର ଯିବ ହେ ମୋହନ ବିଷ ଦେଇ ନାଶ କରି ଯାଅ ନିଜ ଜଞ୍ଜାଳେ ମଧୁପୁରେ ଥାଅ।।
କୃଷ୍ଣଙ୍କ ପାଇଁ ଗୋପୀ ମାନଙ୍କ ଏ ଆକୁଳତା କୌଣସି ଦେହଜ ପ୍ରେମ ନୁହେଁ, ଏହା ଆତ୍ମିକ ପ୍ରେମ, ସେଥିପାଇଁ କୃଷ୍ଣ ବିରହରେ ତାଙ୍କ ପ୍ରାଣ ବିଳାପ କରୁଛି। ଶ୍ରୀରାମ କୃଷ୍ଣ ଅକ୍ରୁରଙ୍କ ସହିତ ମଥୁରା ଚାଲିଗଲେ ତାପରେ କୃଷ୍ଣ ସ୍ମୁତିରେ ଗୋପୀ ମାନଙ୍କ ଅବସ୍ଥା ବର୍ଣନା ମଧ୍ୟ ଚମତ୍କାର
ଗୋବିନ୍ଦ ବିଛେଦେ ବରଜ ନାରୀ, କୁରଙ୍ଗ ନୟନୁ ବହଇ ବାରି।
ଫିଟିଲା କବରୀ ତୁଟିଲା ହାର, ଶୁଖିଲା ରଙ୍ଗିମା ଜବା ଅଧର।।
ଅଙ୍ଗୁ ବହେ ଝାଳ, ପାଣ୍ଡୁର ଦିଶେ ହେମ ଗଣ୍ଡ ସ୍ଥକ।
କାହା ବଦନୁ ନ ସ୍ପୁରଇ ବାଣୀ, କାହାର ନ ଚଳଇ ପାଦ ପାଣି।।
କାହାର ହିଆ ହୁଏ ଦମ ଦମ, କାହା ନାସାରୁ ନବହେ ପବନ।
କେ ଭୂମିରେ ଗଡେ, କେହୁ ବେନି ବାହୁ ହୃଦୟରେ କୋଡେ।।
ଏପରି ଅନେକ ରଚନାରେ ପରିପୁଷ୍ଟ ଓଡ଼ିଆ ସାହିତ୍ୟ। କାରଣ ଶ୍ରୀକୃଷ୍ଣ ଓ ଗୋପାଙ୍ଗନା ମାନଙ୍କ ଭିତରେ ଥିବା ଅନାବିଳ ପ୍ରେମ ଭକ୍ତି ସମସ୍ତଙ୍କୁ ବିଦିତ କେବଳ ଓଡ଼ିଆ ସାହିତ୍ୟ ନୁହେଁ ସଂସ୍ମୃତ ରଚନାରେ ମଧ୍ୟ ଏହି ପ୍ରେମ ଧାରାର ପ୍ରବାହ ମିଳେ, ରୂପ ଗୋସ୍ୱାମୀଙ୍କ ସୁନ୍ଦର ରଚନା ଟିଏ
ଶୀର୍ଣ୍ଣା ଗୋକୁଳ ମଣ୍ଡଳୀ ପଶୁକୂଳ ସସ୍ପାୟ ନସ୍ପନ୍ଦତେ।
ମୁକାଃ କୋକିଳ ପଂକ୍ତୟଃ ଶିଖିକୂଳ ସ ବ୍ୟାକୁଳ ନୃତ୍ୟତି।।
ସର୍ବେ ତ୍ୱତ ବିରହାନଳେନ ସତତ ହା କୃଷ୍ଣଦୈ ନ ସ୍ପତା।
କିନ୍ତ୍ୱେକାଃ ଯମୁନା କୁରଙ୍ଗୀ ନୟନା ନେତାମ୍ଭୁ ଭିଗସର୍ତେ।।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-131-one-may-faint-from-krishna-consciousness-upon-remembering-the-vrindavan-lila/
ପ୍ରଭୁ ପ୍ରେମରେ ଶରୀର ଶୀର୍ଣ, ଓ ବିରହ ଜନିତ ଲକ୍ଷଣ ଗୁଡିକ କେବଳ ଶ୍ରୀକୃଷ୍ଣ ଓ ଗୋପାଙ୍ଗନା ମାନଙ୍କ ପାଇଁ ପ୍ରଯୁର୍ଯ୍ୟ, କାରଣ ଏଠାରେ ପ୍ରେମଭକ୍ତି ଏକ ଉଚ୍ଚତ୍ତର ସୋପାନ ଛୁଇଁ ଥାଏ ଏହା ଅନନ୍ୟ, ଅନୁପମ, ତଥାପି ଗୋପୀ ମାନଙ୍କ ମଧ୍ୟରେ ଶ୍ରୀରାଧାଙ୍କ ବ୍ୟତିତ ଆଉ ଏକ ନାମର ଚର୍ଚ୍ଚା ବିଶେଷ ଭାବରେ ହୋଇଥାଏ, ସେ ହେଉଛନ୍ତି ଚନ୍ଦ୍ରାବଳି। ଅନ୍ୟ ସମୟରେ ସେ ବିଷୟରେ ଆଲୋଚନା କରିବା ଯେତେବେଳେ ଜାଣିବା ଶ୍ରୀରାଧା ସ୍ୱରୂପ ବିଷୟରେ ଏଵେ ଏତିକି କହିବି ଗୋପୀ ଭାବ
ସର୍ବେ ହୋଇବା ଗୋପୀ ଆସ।
ପିଇବା କୃଷ୍ଣ ସୁଧା ରସ।।
ତରିବା ସଂସାର ସାଗର।
ଯମର ଭୟ ହେବ ଦୂର।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.