ଶ୍ରୀ ଭାଗବତ ସାର ୧୩୩: ମନ୍ୟୁଷ କେବଳ ପାଠଶାଳାରେ ଜ୍ଞାନ ଅର୍ଜନ କରେ ନାହିଁ ବରଂ ତା ଚାରିପାଖରେ ଥିବା ପ୍ରକୃତି ମଧ୍ୟ ତାକୁ ଅନେକ ଶିକ୍ଷା ଦିଏ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଗୋପୀ ମାନଙ୍କ ପ୍ରେମଭକ୍ତି କଥା ସଂସାରକୁ ଶିକ୍ଷା ଦେଇନାହିଁ, ଏଥିରେ ଏଭଳି କିଛି ବିଷୟ ଅବତାରଣ ହୋଇଛି ଯାହା ସବୁ ଯୁଗରେ ମାନବ ସମାଜର ହିତ ସାଧନ କରିପାରିବାର ସାମର୍ଥ୍ୟ ରଖେ। ଏଇ ଯେମିତି ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗ ଏହା ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଦରେ ବର୍ଣିତ ହୋଇଛି। ଏହାର ବିଷୟ ତଥ୍ୟ ମୁଁ ଏଠାରେ ଦେଉ ନାହିଁ ତାହା ସ୍କନ୍ଦ ବର୍ଣନା ସମୟରେ ଆପଣ ମାନଙ୍କ ଆଗରେ ବିସ୍ତାରରେ ବର୍ଣନା ହେବ। କିନ୍ତୁ ଏହି ଵିଷୟରେ ଥିବା ତାତ୍ୱିକ ବିସ୍ଲେସଣ ଆମମାନଙ୍କୁ ଏହି ଶିକ୍ଷା ଦେଇଥାଏ ଯେ ମନ୍ୟୁଷ କେବଳ ପାଠଶାଳାରେ ଜ୍ଞାନ ଅର୍ଜନ କରେ ନାହିଁ। ତା ଚାରିପାଖରେ ଥିବା ପ୍ରକୃତି ମଧ୍ୟ ତାକୁ ଅନେକ ଶିକ୍ଷା ଦେଇଥାଏ।
ଏହା ସାଧୁ ଦତ୍ତାତ୍ରେୟଙ୍କ ଅବଧୂତ ବେଶରେ ଯଦୁ ରାଜାଙ୍କ ପାଖରେ ଉପସ୍ଥାପନା କରିଥିବା ଚବିଶ ଗୁରୁଙ୍କ ପ୍ରସଙ୍ଗ ଅଟେ। ପ୍ରସଙ୍ଗଟି ଏହିପରି ଦିନେ ଦତ୍ତାତ୍ରେୟ ଅବଧୂତ ବେଶରେ ଯଦୁରାଜଙ୍କ ନିକଟରେ ଉପସ୍ଥିତ ହେଲେ। ଆପଣ ମାନେ ଜାଣନ୍ତି ଦ୍ୱାପର ଯୁଗରେ କୌଣସି ସାଧୁ ସନ୍ଥଙ୍କ ଉପସ୍ଥିତି ଅତି ଶୁଭ ସୂଚନା ବୋଲି ବିବେଚନା କରାଯାଉଥିଲା, ତେଣୁ ଯଦୁରାଜ ଅତ୍ୟନ୍ତ ସହର୍ଷ ବଦନରେ ଅବଧୂତଙ୍କ ପାଦ ବନ୍ଦନା କରି ସେଵା ଅର୍ଚନା କଲେ। ଆସିବାର କାରଣ ପଚାରି କିଛି କାଳ ତାଙ୍କ ସହିତ ରହିବାର ଅନୁରୋଧ ମଧ୍ୟ କଲେ। କିନ୍ତୁ ସମସ୍ତ ମୋହ କୁ କଟାଇ ଅବଧୂତ ପ୍ରସ୍ଥାନ ଉଦ୍ୟତ ହେଲେ, ଅବଧୂତଙ୍କ ମୋହ ଶୂନ୍ୟ ଶାନ୍ତ, ନିର୍ଲୋଭ, ଅନାସକ୍ତ ଭାବ ଦେଖି ଯଦୁ ରାଜ ତାଙ୍କୁ ଗୋଟିଏ ସରଳ ପ୍ରଶ୍ନ ର ଉତ୍ତର ଦେବାକୁ ଅନୁରୋଧ ଜଣାଇଲେ
କିମ୍ପା ସଂସାର ତାପ ତୋତେ।
ନ ବାଧେ ସନ୍ଦେହ ତ ମୋତେ।।
ବିଷୟ ଭୋଗ ତୋର ନାହିଁ।
ଆନନ୍ଦ ହେଉ କାହିଁ ପାଇଁ।।
ଅବଧୂତ ଆଶ୍ଚର୍ଯ୍ୟ ହେଲେ ନାହିଁ ବରଂ ଆନନ୍ଦିତ ହେଲେ, କାରଣ ତାଙ୍କର ଶିକ୍ଷା ଆଜି ସଫଳ ହୋଇଛି, ସର୍ବଦା ଆନନ୍ଦିତ ରହିବାର ଯେଉଁ କୌଶଳ ସେ ବିଭିନ୍ନ ଗୁରୁ ମାନଙ୍କ ଠାରୁ ପାଇଛନ୍ତି ତାହା ଆଜି ତାଙ୍କ ଆଚରଣରେ ପ୍ରତିଫଳିତ ହୋଇଛି। ଏଠାରେ ମଣିଷ ବୁଝିବା କଥା ଆମକୁ ଏହି ପୃଥିବୀ ଓ ଆମକୁ ଘେରି ରହିଥିବା ସମସ୍ତ ପରିବେଶ ହିଁ ଅନେକ ଶିକ୍ଷା ଦେଇଥାଏ କିନ୍ତୁ ତାକୁ ଉପଲବ୍ଧି କରିବା ଓ ନିଜ ଆଚରଣରେ ବ୍ୟବହାର କରିବା ହିଁ ପ୍ରକୃତ ଶିକ୍ଷା ଅଟେ, ଏହି ପ୍ରସଙ୍ଗଟି ଆଜି ଉପସ୍ଥାପନା କରିବାର ଉଦ୍ୟେଶ୍ୟ ହେଉଛି ଆମେ ପ୍ରକୃତିର ଏହି ଗୁରୁ ପଣିଆ ବିଷୟରେ ଅନୁଧ୍ୟାନ କରିବା।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-132-the-lamentation-of-the-gopanganas-introduces-us-to-ragatmika-bhakti/
ତେଣୁ ଯଦୁରାଜଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାନ୍ତ, ସୌମ୍ୟ ବଳିଷ୍ଠ କାନ୍ତି ଯୁକ୍ତ ଅବଧୂତ କହିଲେ ଆମ୍ଭେ ଅନେକ ଗୁରୁ କରିଛୁ, ତାଙ୍କରି ଆଶୀଷରୁ ଆମ୍ଭର ଆଚରଣରେ ଏହି ପରିବର୍ତନ ଆସିଛି। ଯଦୁରାଜ ଟିକିଏ ବିଚଳିତ ହୋଇଗଲେ ଜଣେ ସଦଗୁରୁ ଲାଭ କରିବା ଭାଗ୍ୟର କଥା ଅବଧୂତ ମହାରାଜ କହୁଛନ୍ତି ମୋର ଅନେକ ଗୁରୁ। ଅବଧୂତ ଯଦୁରାଜଙ୍କ ମନୋଭାବ ବୁଝିପାରି କହିଲେ ହଁ ରାଜନ ମୋର ଚବିଶି ଗୁରୁ। ଯଦୁରାଜ ଅତ୍ୟନ୍ତ ବିନମ୍ରତାର ସହିତ ସମସ୍ତ ଚବିଶି ଗୁରୁଙ୍କ ଵିଷୟରେ ତତ୍ୱ ଦେବାକୁ ଅନୁରୋଧ କଲେ, ଅବଧୂତ ନିଜ ଚବିଶ ଗୁରୁଙ୍କ ବିଷୟରେ କହିବା ପୂର୍ବରୁ ଯଦୁରାଜଙ୍କ କହିଲେ
ଏ ଜୀବ ଆତ୍ମା ପରବଶେ।
ଅଦୃଷ୍ଟ କାରଣ ବିଶ୍ୱାସେ।।
ଦୁଃଖ ପୀଡିତ କର୍ମ ଫଳେ।
ସଂସାରେ ଜନ୍ମି ଅବହେଳେ।।
କର୍ମ ଆଦରି ସହି ଦୁଃଖ।
କେବେ ହେଁ ନୋହିବ ବିମୁଖ।।
ଏହି ଉପଦେଶ ଦେଇ ଅବଧୂତ ନିଜ ଚବିଶି ଗୁରୁଙ୍କ ଵିଷୟରେ ବର୍ଣନା କରିବାକୁ ଲାଗିଲେ ଓ ପ୍ରଥମ ଗୁରୁ ରୂପେ କିପରି ପୃଥିବୀଙ୍କୁ ବରଣ କଲେ ଓ ତାଙ୍କ ଠାରୁ କଣ କଣ ଶିଖିଲେ କହିବାକୁ ଲାଗିଲେ ଯାହା ଆଗାମୀ ଅଧ୍ୟାୟରେ ଜାଣିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.