ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଉପାଖ୍ୟାନ ବର୍ଣନା ସମୟରେ ଅଦଭୁତ ଉପମା ମିଳୁଛି ଯାହା ସାଧାରଣ ମଣିଷର ଚିନ୍ତା ଚେତନା ଠାରୁ ଅନେକ ଊର୍ଧ୍ୱରେ ଆମେ ଜାଣିଲେ ଅବଧୂତ ମହାରାଜ ବାଳକ ଠାରୁ ଶିଖିଲେ ସରଳତା ଓ ଚିନ୍ତାମୂକ୍ତ ଅବସ୍ଥା ଏଵେ ପୁଣି ଗୁରୁ
20. କୁମାରୀ କନ୍ୟା :- ଏଵେ ଯୁଗ ବଦଳି ଗଲାଣି, କିନ୍ତୁ ପୁରାତନ ଯୁଗରେ ଗୃହରେ ଥିବା କୁମାରୀ କନ୍ୟା ମାନେ ଅଳ୍ପ ଶିକ୍ଷା ସହିତ ବିଭିନ୍ନ ଗୃହ କର୍ମ ଶିକ୍ଷା କରୁଥିଲେ। ଶିଳରେ ବଟିବା, ଢ଼ିଙ୍କିରେ କୁଟିବା ଏସବୁ କୁମାରୀ କନ୍ୟାର ବିଶେଷ କାର୍ଯ୍ୟ ଥିଲା। ଆଭୂଷଣ ମଧ୍ୟ ଥିଲା ଅନେକ, ବାହୁଟି, କଙ୍କଣ, ଚୁଡ଼ି ଅଙ୍ଗର ଶୋଭା ବଢେଇବା ସହିତ ରୁପର କମାନୀୟତା ଆଣୁଥିଲା। ଏତେ କଥା କହିବା ତାତ୍ପର୍ଯ୍ୟ ହେଲା ଆଧୁନିକ କନ୍ୟା ଗଣ ଏସବୁରେ ଆଉ ଅଭ୍ୟସ୍ତ ନୁହଁନ୍ତି, ତେଣୁ ଅବଧୂତ ମହାରାଜଙ୍କ ଦୃଷ୍ଟିରେ ଆସିଥିବା ଘଟଣା ବର୍ଣନା କରିବା ପୂର୍ବରୁ ଏସବୁର ଟିକିଏ ଆଭାସ ଦେଲି। ଘଟଣାଟି ଏମିତି ଅବଧୂତ କୌଣସି ଗୃହରେ ଭିକ୍ଷା କରିବାକୁ ଯାଇ ଦେଖିଲେ କୁମାରୀ କନ୍ୟାଟିଏ ଢ଼ିଙ୍କିରେ ଧାନ କୁଟୁଛି।
ଏହି କର୍ମ ସମ୍ପାଦନ କରିବା ସମୟରେ ତା ହାତର କଙ୍କଣ ପରସ୍ପର ସହ ବାଜି ଅଦଭୁତ ରୁଣୁ ଝୁଣୁ ଶବ୍ଦ ସୃଷ୍ଟି କରୁଛି। ଏହି ଶବ୍ଦ ଶ୍ରୁତି କଟୁ ନଥିଲେ ମଧ୍ୟ କୁମାରୀ କନ୍ୟାଟି କାଳେ ଯୋଗୀ ଅବଧୂତଙ୍କ ମନରେ ବିରକ୍ତି ଭାବ ସୃଷ୍ଟି କରିବ ତାହା ଚିନ୍ତା କରି ପ୍ରତି ହସ୍ତରେ ଗୋଟିଏ ଗୋଟିଏ କଙ୍କଣ ରଖି ଆଉ ସବୁ ଉତାରି ଦେଲା। ଯୋଗୀ ଅବଧୂତ କିନ୍ତୁ ଏଥିରୁ ଏକ ମହା ଶିକ୍ଷା ଲାଭ କଲେ। ସେ ଭାବିଲେ ଅନେକ ସଙ୍ଗ କଲେ ଏଭଳି ବିଚିତ୍ର ଶବ୍ଦ ସୃଷ୍ଟି ହେବ, ଯାହା ମନକୁ ବିଚଳିତ କରିବ ତେଣୁ ସେ ସଙ୍ଗ ହୀନ ଜୀବନକୁ ଶ୍ରେଷ୍ଠ ମଣିଲେ ଭାଗବତ କହିଲା
ଅନେକ ସଙ୍ଗ ଯହିଁ ମିଳି।
ଅବଶ୍ୟ ଉପୁଜଇ କଳି।।
ଏକାନ୍ତେ ଭ୍ରମୁଥାଇ ମୁଁହି।
କେବେ ହେଁ ସଙ୍ଗ ନ କରଇ।।
ତେଣୁ କୁମାରୀ ଅନୁରାଗେ।
ଗୁରୁ ବଚନ ଶିକ୍ଷା ଭାଗେ।।
ଏଵେ ଆସନ୍ତୁ ଆଉ ଜଣେ ଭିନ୍ନ ବେଉସାର ଗୁରୁଙ୍କ ସନ୍ଧାନ ନେବା
21. ଶର ନିର୍ମାତା :- ଅବଧୂତ ଏକାନ୍ତରେ ଗ୍ରାମ ନଗର ଭ୍ରମଣ କରୁ କରୁ ଦିନେ ଦେଖିଲେ ଏକ ବିନ୍ଧାଣି ଶରଟିଏ ନିର୍ମାଣ କରୁଛି, ପୁରାତନ କାଳରେ ଏହି ଶର ହିଁ ମନ୍ୟୁଷର ପ୍ରଧାନ ଅସ୍ତ୍ର ଥିଲା ଆମେ ଶର ପ୍ରୟୋଗର ବିଭିନ୍ନ କୌଶଳ ପୌରାଣିକ ଚରିତ୍ର ମାନଙ୍କ ପାଖରେ ଦେଖିଛେ। ସେହି ଶର ପ୍ରସ୍ତୁତି ପାଇଁ ମଧ୍ୟ କୌଶଳ ସହିତ ଏକାଗ୍ରତାର ଅତ୍ୟନ୍ତ ପ୍ରୟୋଜନ ଥାଏ। ଯାହା ଅବଧୂତ ଲକ୍ଷ୍ୟ କଲେ ସେହି ଶରକାରି ବା ଶର ନିର୍ମାତାଙ୍କ ପାଖରେ, ଶର ନିର୍ମାତା ନିଜ କାର୍ଯ୍ୟରେ ଏତେ ମଗ୍ନ ଥିଲେ ଯେ ତାଙ୍କ ନିକଟରେ ସ୍ୱୟଂ ରାଜା ପଟୁଆର ନେଇ ଚାଲିଗଲେ ଅଥଚ ସେ ଜାଣି ପାରିଲେନି। ସଙ୍ଗେ ସଙ୍ଗେ ଅ ଅବଧୁତଙ୍କ ମନରେ ଜ୍ଞାନ ଆସିଲା ମଣିଷ ଯଦି ହରିଙ୍କ ପାଦରେ ଏହିଭଳି ଏକାଗ୍ରତା ସହିତ ଭକ୍ତି କରିବ ତେବେ ହରି ପ୍ରାପ୍ତି ସୁନିଶ୍ଚିତ।
ଶ୍ରୀଜଗନ୍ନାଥ ଦାସ ବର୍ଣନା କଲେ
ତାର ନିକଟେ ରାଜା ଗଲା।
ସେ ତାହା ଜାଣି ନପାରିଲା।।
ଏଣୁ ତାହାର ତହୁଁ ଦେଖି।
ମୁଁ ଏଵେ ଗୁରୁ ଶିକ୍ଷା ଶିଖି।।
ଆସନ୍ତୁ ତେବେ ଆମ ଚାରିପାଖରେ ସଂଗଠିତ ହେଉଥିବା ବିଭିନ୍ନ ଘଟଣାକୁ ଆମର ଅନ୍ତ୍ରଚକ୍ଷୁରେ ଦେଖି ସେଥିରୁ ବିଭିନ୍ନ ଶିକ୍ଷା ନେବା ଓ ଏକାଗ୍ର ଚିତ୍ତରେ ପ୍ରଭୁ ପା ରେ ମନ ଲଗେଇବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.