Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୪୪: ସର୍ବ ଶକ୍ତିମାନ ଈଶ୍ୱର ଏହି ସଂସାର ରଚନାର ଏକ ମାତ୍ର ଆଧାର ଓ ଏହାର ବିନାଶର ଏକମାତ୍ର କାରଣ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦରେ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗର ଶେଷ ଆଲୋଚନାରେ ଆଜି ଜାଣିବା ପୁଣି ଦୁଇଜଣ ଆଶ୍ଚର୍ଯ୍ୟ ସୃଷ୍ଟିକାରି ଜୀବ ଵିଷୟରେ ଯାହାଙ୍କ ଏକ ଏକ ବିରଳ ଗୁଣକୁ ଯୋଗୀ ପୁରୁଷ ଅବଧୂତ ମହାରାଜ ଗ୍ରହଣ କରିଛନ୍ତି, ଏହି କ୍ରମରେ ପ୍ରଥମେ
22.ସର୍ପ :- ମଣିଷ ମନରେ ସର୍ବଦା ଭୟ ସୃଷ୍ଟି କରୁଥିବା ସର୍ପର ଅବା କି ଗୁଣ ଅଛି? ଆଗରୁ କହିଛି ଯୋଗୀ ପୁରୁଷ କେବଳ ଗୁଣ ଦେଖନ୍ତି ନାହିଁ ଜୀବର ପ୍ରତ୍ୟେକ ଅଭ୍ୟାସ ଓ ଆଚରଣ ଦେଖିଥାନ୍ତି। ଯେପରି ଅବଧୂତ ମହାରାଜ ସର୍ପର ଆଚରଣରେ ଦେଖିଲେ ଏକାକୀ ବିଚରଣ କରିବା, କୌଣସି ନିବାସ ନିର୍ମାଣ ନକରି ବିଭିନ୍ନ ବିଳରେ ରହିବା ଯେପରି ଯୋଗୀ ଟିଏ ପର୍ବତ ଗୁମ୍ଫାରେ ରହେ। ଅନ୍ୟ ଭାଷାରେ କହିଲେ ଏହା ସର୍ପର ଅନିଶ୍ଚଳତା ଆଚରଣ ତେଣୁ ସିଦ୍ଧ ଯୋଗୀ ମାନେ ଗୋଟିଏ ଯାଗାରେ ଏକକାଳିନ ନରହି ସର୍ବଦା ପୃଥିବୀ ପର୍ଯ୍ୟଟନରେ ଲାଗିଥାନ୍ତି। ଗୃହସ୍ଥ ମାନଙ୍କ ପରି ପରିବାର ସହ ଗୋଟିଏ ସ୍ଥାନରେ ବାସ କରନ୍ତି ନାହିଁ। ଏ ସାରା ସଂସାର ତାଙ୍କର ପରିବାର ପାଲଟି ଯାଏ। ଶ୍ରୀଜଗନ୍ନାଥ ଦାସ ଏଣୁ ଓଡ଼ିଆ ଭାଗବତରେ କହିଲେ
ଏଣୁ ଉରଗ ଗୁରୁ କରି।
ଗୃହସ୍ଥ ଆଶ୍ରମ ନକରି।।
ଏଵେ ଅବଧୂତ ମହାରାଜ ସଂସାରର ଆଉ ଜଣେ ବିଚକ୍ଷଣ ଜୀବ ବା କୀଟ
23.ଉର୍ଣ୍ଣନାଭ :- ଯାହାକୁ ଆମେ ବୁଢିଆଣୀ କୀଟ କହିଥାଉ ତାହା ଠାରୁ ଶିଖିଲେ କଣ? ଏକ ବିରାଟ ଦର୍ଶନର କଥା ଅବଧୂତ ମହାରାଜ ଏହି କ୍ଷୁଦ୍ର କୀଟ ଠାରୁ ଶିଖିଲେ। ସମସ୍ତେ ଜାଣନ୍ତି ବୁଢିଆଣୀ ଜାଲ କଥା ରାତିଟିଏ ଭିତରେ ବୁଢିଆଣୀ ଏହି ସୁକ୍ଷ୍ମ ଓ ସୁନ୍ଦର ଜାଲଟି ନିଜ ଲାଳରେ ବୁଣିଦିଏ। କିନ୍ତୁ ସେ ସେହି ଜାଲଟିକୁ ଅନାବଶ୍ୟକ ଭାବରେ ଛାଡେ ନାହିଁ ନିଜର ପ୍ରୟୋଜନ ଶେଷ ପରେ ନିଜେ ହିଁ ସେହି ଜାଲକୁ ଆପଣା ଗର୍ଭରେ ଲୀନ କରେ। ଅବଧୂତ ମହାରାଜ ଉପଲବ୍ଧି କଲେ ସ୍ୱୟଂ ପରମାତ୍ମା ନିଜ ଇଚ୍ଛାଶକ୍ତିରୁ ଏହି ବିରାଟ ସଂସାର ସୃଷ୍ଟି କରନ୍ତି ଓ ସଂସାରର ଲୀଳା ଖେଳରୁ ଇଚ୍ଛା କଟିଲେ ପୁନଃ ତାକୁ ନିଜ ଗର୍ଭରେ ଲୀନ କରାନ୍ତି। ଯେପରି ବୁଢିଆଣୀ ନିଜ ଲାଳ ଆଧାର କରି ସୃଷ୍ଟି କରେ ସୁନ୍ଦର ଜାଲ ଓ ତାମଧ୍ୟରେ ନିଜ ଲୀଳା କରେ ଓ ଶେଷରେ ନିଜେ ତାର ବିନାଶ କରେ। ଏହାର ଅନ୍ୟ କୌଣସି ଆଧାର ନଥାଏ। ସେପରି ସର୍ବ ଶକ୍ତିମାନ ଈଶ୍ୱର ଏହି ସଂସାର ରଚନାର ଏକ ମାତ୍ର ଆଧାର ଓ ଏହାର ବିନାଶର ଏକମାତ୍ର କାରଣ ଭାଗବତ ଏହି ଦର୍ଶନକୁ କହିଲେ
ଏରୂପେ ସୃଷ୍ଟି ଲୀଳା କରି।
ସଂସାରେ ଖେଳେ ନରହରି।।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-143-having-many-companions-will-disturb-the-mind-so-a-life-without-companions-is-better/
ଅଦ୍ଭୁତ ଏହି ଅନୁଭୁତି ସାଧାରଣ ଚକ୍ଷୁରେ ଯାହା ଅତି ସାଧାରଣ ଲାଗେ ଜଣେ ପରମ ଦାର୍ଶନିକ ଯୋଗୀ ପୁରୁଷଙ୍କ ଚକ୍ଷୁରେ ସେହି ବିଷୟ ଅସାଧାରଣ ପାଲଟି ଯାଏ। ଅବଧୂତ ମହାରାଜ ତେଣୁ ଯେତେ ଯେତେ ଗୁରୁ ଚୟନ କଲେ ତାହା କେତେ ସୁକ୍ଷ୍ମ ବିଚାର ଓ ଦର୍ଶନ ଆଧାରିତ ତାହା ଭାଗବତ ବର୍ଣିତ ଏହି କଥା ପଠନ ଅବା ଶ୍ରବଣ ଦ୍ୱାରା ଆମେ ଜାଣିଲେ ଆସନ୍ତୁ। ତେବେ ନିୟମିତ ଭାଗବତ ପଠନ କରିବା। କାରଣ
କହଇ ଜଗନ୍ନାଥ ଦାସ।
ମୂଳ ଟି ଅଟଇ ବିଶ୍ୱାସ।।
କୃଷ୍ଣ ଚରିତ ଭାଗବତ।
ପଦ ପଦକେ ଯେ ଅମୃତ।।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.