Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୭: ଶ୍ରୀମଦ ଭାଗବତ ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ସ୍ୱୟଂକୁ ଭାଗବତ କରିବାକୁ ପଡିବ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ସ୍ୱୟଂକୁ ଭାଗବତ କରିବାକୁ ପଡିବ। ଅର୍ଥାତ ସର୍ବଦା ଭାଗବତ ଗ୍ରନ୍ଥ ପଠନ, ଚିନ୍ତନ, ଶ୍ରବଣ ଓ ମନ୍ଥନ କରୁଥିବା ବ୍ୟକ୍ତିଟିଏ ହେବାକୁ ପଡିବ। ପ୍ରଥମେ ବ୍ୟାସଦେବ ଜନକଲ୍ୟାଣ ନିମିତ୍ତ ବେଦ, ଉପନିଷଦ, ଶାସ୍ତ୍ର, ପୁରାଣ ରଚନା କରି ମଧ୍ୟ ଅସ୍ଥିରମନା ରହିଲେ। ମହର୍ଷି ନାରଦ ତାଙ୍କର (ଭଗବାନ ବ୍ୟାସଦେବ)ଙ୍କର ଏପରି ଭାବ ଦେଖି ତାଙ୍କୁ ପରମପୁରୁଷଙ୍କ ଲୀଳା ମାଧୁରୀରେ ବୁଡ଼ି ରହିବାକୁ ଉପଦେଶ ଦେଲେ। ଜଗନ୍ନାଥ ଦାସଙ୍କ ଭାଷାରେ “ସମାଧି କରି କୃଷ୍ଣ ପାଦେ ।
ତାର ଚରିତ ଅନୁଵାଦେ ।।
ପ୍ରବନ୍ଧ ଭାଗବତ କର ।
ଅଖିଳ ଜନଙ୍କୁ ଉଦ୍ଧାର ।।
+ + + +
ତୁମେ ଯେ ଆତ୍ମାରାମେ ରମି
ଅମୋଘଦର୍ଶୀ ଅନ୍ତର୍ଯ୍ୟାମୀ ।।
ପରମ ପୁରୁଷଙ୍କ କଳା ।
ସୁମରି ଗୋବିନ୍ଦଙ୍କ ଲୀଳା ।।
ସଂସାର ନିସ୍ତାରଣ ଅର୍ଥେ ।
ଶ୍ରୀ ଭାଗବତ କର ଗ୍ରନ୍ଥେ ।।
ସ୍ଵଭାବେ ଜନ୍ମ ଯାର ନାହିଁ ।
ମାୟା ଶୟଳେ ଦେହ ବହି ।।
ତାର ଚରିତ ଧରି ଚିତ୍ତେ ।
ପ୍ରକାଶ କର ଜନ ହିତେ ।।
ଭଗବାନ ବ୍ୟାସଦେବ ନାରଦ ମୁନିଙ୍କ ଉପଦେଶ ଶୁଣିବା ଭିତରେ ନିଜେ ଭାଗବତ ପାଲଟି ଯାଇଥିଲେ ଓ ପରମବ୍ରହ୍ମଙ୍କ ସେହି ସତ୍ୟ ସ୍ୱରୂପ ରୁପକୁ ହୃଦୟରେ ଧାରଣ ପୂର୍ବକ ଗ୍ରନ୍ଥ ରୂପୀ ଭଗବାନ ଶ୍ରୀମଦ ଭାଗବତଙ୍କୁ ଆରମ୍ଭ କଲେ। ସ୍ୱୟଂ ପରଂବ୍ରହ୍ମଙ୍କ ସୁନ୍ଦର ରୁପର ଛବିକୁ ସଜେଇବା ପାଇଁ ଶ୍ରୀମଦ ଭାଗବତର ପ୍ରତ୍ୟେକ ସ୍କନ୍ଦଙ୍କୁ ଭଗବାନଙ୍କର ଭିନ୍ନ ଭିନ୍ନ ଅଙ୍ଗ ରୂପେ ପରିକଳ୍ପନା କରିଲେ ଯଥା

“ପାଦୌତୁ ପ୍ରଥମଃ ସ୍କନ୍ଦୋ ଦ୍ଵିତୀୟୋ ଜାନୁନା ସୃତଃ।
ତୃତୀୟ ସକଥିନୀ ଜ୍ଞେୟଶ୍ଚତୁର୍ଥଃ କଟିରୁଚ୍ୟତେ ।। ନାଭି ତୁ ପଞ୍ଚମଂ ବିଦ୍ୟାଦ ହୃଦୟଂ ଷଷ୍ଠ ଈରିତଃ, ସପ୍ତମସ୍ତୁ ଉରଃ ପ୍ରୋକ୍ତମ୍ ଅଷ୍ଟମଃ କଣ୍ଠ ଉଚ୍ୟତେ ।।
ସ୍କନ୍ଦୋ ତୁ ନବମଃ ସ୍କନ୍ଧୋ, ଦଶମୋ
ମୁଖମୀରିତମ, କର୍ଣକ୍ଷୀନାସିକାଯୁକ୍ତଂ
ସର୍ବାର୍ଥପରିପୂରିତମ, ଏକାଃଦଶସ୍ତୁତ୍ତମାଙ୍ଗଂ, ଦ୍ୱାଦଶୋ ବ୍ରହ୍ମରନ୍ଦ୍ରକମ ଏବଂ ଭାଗବତ ଶାସ୍ତ୍ରଂ
ବିଷ୍ଣୁମୂର୍ତ୍ତିଃ ପ୍ରକୀର୍ତ୍ତିତମ ।।
ଅର୍ଥାତ ପ୍ରଥମ ସ୍କନ୍ଦ ପାଦ ଠାରୁ ଆରମ୍ଭ କରି ଜାନୁ, ପୀଚ, କଟି, ନାଭି, ହୃଦୟ, ଉରୁ, କଣ୍ଠ, କାନ୍ଧ ମୁଖ (କର୍ଣ୍ଣ, ନାସିକା ଆଖି ଯୁକ୍ତ), ବ୍ରହ୍ମରନ୍ଦ୍ର ପର୍ଯ୍ୟନ୍ତ ଅଙ୍ଗଙ୍କୁ ଏକ ଏକ ସ୍କନ୍ଦ ସହ ଯୋଡି ସମ୍ପୂର୍ଣ୍ଣ ପରମ ପୁରୁଷଙ୍କ ରୂପ କଳ୍ପନା କରିବା ବାସ୍ତବିକ ଶ୍ରୀମଦ ଭାଗବତଙ୍କୁ ଏକ ମହାନ ଗ୍ରନ୍ଥରୁ ସ୍ୱୟଂ ଭଗବାନଙ୍କ ସ୍ଥାନ ପ୍ରଦାନ କରିଛି। ସେଥିପାଇଁ ଶାସ୍ତ୍ର କହେ ଭକ୍ତ ଉଦ୍ଧବଙ୍କ ଅନୁରୋଧ କ୍ରମେ କରୁଣାବରୁଣାଳୟ ପରମେଶ୍ୱର ନିଜ ଭକ୍ତ ମାନଙ୍କ ରକ୍ଷା ଓ ପ୍ରତିପାଳନ ପାଇଁ ଶ୍ରୀମଦ ଭାଗବତାକାର ହୋଇଛନ୍ତି। ଆସନ୍ତୁ ସେହି ଭଗବାନ ସ୍ୱରୂପ ଭାଗବତଙ୍କୁ ଶ୍ରଦ୍ଧା ଓ ଭକ୍ତିରେ ଅର୍ଚ୍ଚନା କରିବା।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-16-srimad-bhagwat-is-the-refuge-of-all-knowledge/
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.