Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୨: ଗଙ୍ଗା ନଦୀ କୂଳେ ଶୁକଦେବଙ୍କ ଠାରୁ ଭାଗବତ ଶୁଣିଥିଲେ ସୂତ

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ପୁରାଣ ମାନଙ୍କ ମଧ୍ୟରେ ବ୍ୟାସଦେବଙ୍କ ସର୍ବଶେଷ କୃତି, କିନ୍ତୁ ପରମାତ୍ମାଙ୍କ ଜ୍ଞାନ ପ୍ରଦାନ କରୁଥିବା ପୁରାଣ ମାନଙ୍କ ଭିତରେ ପଞ୍ଚମ ଯାହା ବ୍ରହ୍ମ ପୁରାଣରେ ବର୍ଣିତ ହୋଇଛି । ବ୍ୟାସଦେବ ନିଜ ଶିଷ୍ୟ ମାନଙ୍କ ମଧ୍ୟରୁ ରୋମହର୍ଷଣ ନାମକ ଶିଷ୍ୟଙ୍କୁ ସମସ୍ତ ପୁରାଣ ବିଦ୍ୟା ପ୍ରଦାନ କରିଥିଲେ । ଏହି ରୋମହର୍ଷଣ ଥିଲେ ସୂତଙ୍କ ପିତା । କିନ୍ତୁ ସୂତ ସମସ୍ତ ପୁରାଣ ବିଦ୍ୟା ନିଜ ପିତା ରୋମହର୍ଷଣଙ୍କ ଠାରୁ ଲାଭ କରିଥିବା ବେଳେ, କେବଳ ଶ୍ରୀମଦ ଭାଗବତ ଶ୍ରୀ ଶୁକଦେବଙ୍କ ଠାରୁ ପ୍ରାପ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-1-maharshi-sukadeva-goswami-instructed-maharaja-parikshit-in-the-teachings-of-the-srimad-bhagavatam/

କୁହାଯାଏ ଯେତେବେଳେ ଶ୍ରୀ ଶୁକଦେବ ଗଙ୍ଗା ନଦୀ କୂଳରେ ଶାପଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ଶ୍ରୀ ଭାଗବତ ଶୁଣାଉଥିଲେ ସେତେବେଳେ ସୂତ ସେଠାରେ ଉପସ୍ଥିତ ରହି ଶ୍ରୀ ଭାଗବତ ସମ୍ପୂର୍ଣ୍ଣ ଶୁଣିଥିଲେ । ପରେ ନୈମିଷା ରଣ୍ୟରେ ଶୌନକ ଆଦି ମୁନି ଗଣ ଜ୍ଞାନ ଯଜ୍ଞ କରୁଥିବା ସମୟରେ, ସମସ୍ତ ମୁନି ମାନଙ୍କ ଅନୁରୋଧରେ ସୂତ ଏହାକୁ (ଭାଗବତଙ୍କୁ) ମୁନିମାନଙ୍କୁ ଶୁଣାଇଲେ ଅର୍ଥାତ ଶୁକମୁନିଙ୍କ ଠାରୁ ଯାହା ଶୁଣି ତାଙ୍କ ମନରେ ଥିଲା ତାହା ଶୁଣାଇଲେ ଏବଂ କହିଥିଲେ “ଯଥାଧୀତଂ ଯଥାମତି ” ଯାହା ଅଧ୍ୟୟନ କରିଛି ତଥା ଯାହା ମୋର ମନେ ରହିଛି ହେ ମୁନିଗଣ ତାହା ମୁଁ ଆପଣ ମାନଙ୍କୁ ଶୁଣାଇଲି । ଏହି ସୂତ ଙ୍କ ଠାରୁ ପ୍ରାପ୍ତ ଶ୍ରୀ ଭାଗବତ ଅଠର ହଜାର ଶ୍ଳୋକ ବିଶିଷ୍ଟ ବୋଲି କୁହାଯାଏ । କିନ୍ତୁ ପ୍ରକୃତ ରେ ଶ୍ରୀମଦ ଭାଗବତ ଯାହା ବର୍ତ୍ତମାନ ଉପଲବ୍ଧ ତାହା ଚଉଦ ହଜାର ଅନେଶତ ଶ୍ଳୋକ ବିଶିଷ୍ଟ ।

ଅବଶ୍ୟ ଏଥିରେ କିଛି ଅନୁସ୍ତୁପ ଛନ୍ଦଯୁକ୍ତ ଶ୍ଳୋକ ରହିଥିବାରୁ ଏହା ଅଠର ହଜାର ବିବେଚିତ ହୋଇଛି । ସେ କେତେ ଶ୍ଳୋକରେ ରଚିତ ତାହା ଯେତେ ପ୍ରାଣୀଧ୍ୟାନ ଯୋଗ୍ୟ ନୁହେଁ, ତା ଠାରୁ ଅଧିକ ପ୍ରାଣୀଧ୍ୟାନ ଯୋଗ୍ୟ ହେଲା ଭଗବାନ ଙ୍କ ଉପଲବ୍ଧି । ଶ୍ରୀମଦ ଭାଗବତ ର ଏକାଦଶ ସ୍କନ୍ଦରେ ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଉଦ୍ଧବ ଙ୍କୁ ଉପଦେଶ ଛଳରେ କହିଛନ୍ତି “ତଦେବ ରମ୍ୟଂ ରୁଚିରଂ ନବଂ ନବଂ, ତଦେବ ଶଶ୍ଵନମନସୋ ମହାତ୍ସବଂ “ଅର୍ଥାତ୍ କେବଳ ଭକ୍ତି ଭାବର ଉଦୟ ହେବା ପରେ ଏ ଜୀବ ପରମଙ୍କ ସାନିଧ୍ୟ ପାଇଥାନ୍ତି । ଆସନ୍ତୁ ତେବେ ଶ୍ରୀମଦ ଭାଗବତ ରୂପକ ଭକ୍ତି ରସରେ ପ୍ଲାବିତ ଗ୍ରନ୍ଥଙ୍କୁ ସ୍ମରଣ ଓ ମନନ କରିବା ।

ଜୟ ଜଗନ୍ନାଥ

(ଦ. ତ୍ରି. ଉଵାଚ )

Comments are closed.