Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୩୧: ଜୀବ ନିଜର କୃତକର୍ମର ଫଳ ଭୋଗିବା ପାଇଁ ସଂସାର ଚକ୍ରରେ ବାରମ୍ବାର ପତିତ ହୁଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ କେବଳ ଈଶ୍ୱର ଭକ୍ତି ଶିଖାଇ ନଥାଏ ଏହା ଜୀବର ଉତ୍ପତି କାରଣ ଓ କର୍ମ ବନ୍ଧନ ମଧ୍ୟ ଦର୍ଶାଇ ଥାଏ ଏହି କର୍ମ ବାସନାର ହେଉଛି ଷଷ୍ଠ ଲକ୍ଷଣ।
ଊତ୍ତି:- ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ “କର୍ମବାସନା ଊତ୍ତି ନାମ”
ଏଠାରେ ବାସନା ଶବ୍ଦ ହେଉଛି ମମତା ସଂଜ୍ଞା ଧାରୀ। ଅର୍ଥାତ କର୍ମ ଜନିତ ମମତା ବା ଆସକ୍ତି ଦ୍ୱାରା ଜୀବ ଜନ୍ମ ମୃତ୍ୟୁର ଚକ୍ରରେ ପଡି ବାରମ୍ବାର ସଂସାରକୁ ଆସେ ଓ ଯାଏ। ଜୀବ କର୍ମବିପାକରେ ବାନ୍ଧି ହୋଇ କ୍ଳେଶକର ବନ୍ଧନ ଦଶା ଲାଭ କରେ। କିନ୍ତୁ ଜୀବ ଜନ୍ମ ମାତ୍ରେ କର୍ତ୍ତବ୍ୟ କର୍ମ କରିବାକୁ ବାଧ୍ୟ। କାରଣ ଶାସ୍ତ୍ର କହିଛି “କର୍ମଣା ବଧ୍ୟତେ ଜନ୍ତୁ” ଏହାକୁ ମଧ୍ୟ ଏପରି ବୁଝାଇ ଦିଆଯାଏ ଯେ ଜୀବ ନିଜର କୃତକର୍ମର ଫଳ ଭୋଗ କରିବା ପାଇଁ ସଂସାର ଚକ୍ରରେ ବାରମ୍ବାର ପତିତ ହୋଇଥାଏ। ଅବଶ୍ୟ ସେ କରିଥିବା ଶୁଭ କର୍ମ ହେଉ ବା ଅଶୁଭ କର୍ମ ହେଉ କୃତ କର୍ମର ଫଳ ଭୋଗ କରିବାକୁ ପଡେ ଶ୍ରୀଜଗନ୍ନାଥ ଦାସଙ୍କ ଭାଗବତ ଉକ୍ତି
ଏ ଜୀବ ନିଜ କର୍ମ ଫଳ।
ଭୁଞ୍ଜଇ ରହି ଏ ଶୟଳ।।
କର୍ମର ଯେତେ ସୁଖ ଦୁଃଖ।
ଜନ୍ମ ମରଣ ହୁଏ ଦେଖ।।
କର୍ମର ବଳେ ନlନା ଯୋନି।
ଜାତ ହୁଅଇ କର୍ମ ଘେନି।।
ସେଥିପାଇଁ ସଦଗୁରୁ ମାନେ ଆସକ୍ତି ରହିତ କର୍ମ କରିବାକୁ ଉପଦେଶ ଦେଇଥାନ୍ତି ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଉପଦେଶ ହେଲା “ସଂସାରରେ ରୁହ କିଛି ଦୋଷ ନାହିଁ କିନ୍ତୁ ସଂସାର ତୁମ ଭିତରେ ଯେପରି ନରହୁ” ଏହାକୁ ସରଳ କରି ବୁଝାଇବା ପାଇଁ ପୁଣି କହିଲେ “ଜଳରେ ନୌକା ରହେ। ଏହା ତାର କର୍ମ, କିନ୍ତୁ ନୌକାରେ ଜଳ ରହିଲେ ବା ପ୍ରବେଶ କଲେ ନୌକାଟି ବୁଡିବା ନିଶ୍ଚିତ “ସେହିପରି ଆଉ ଜଣେ ସନ୍ଥ ଶ୍ରୀ ଅଭିରାମ ପରମହଂସଙ୍କ ବାଣୀ ହେଲା ଜୀବ ଯଦି ନିଜ କର୍ମର ଫଳକୁ ଭଗବାନଙ୍କୁ ସମର୍ପିତ କରିଦିଏ ସେହି କର୍ମ ଆସକ୍ତି ବିରହିତ ହୋଇଯାଏ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-30-the-fifth-sign-of-shrimad-bhagwat-is-manvantara/

ଯାହା ପବିତ୍ର ଭାଗବତ ଗୀତାର ମଧ୍ୟ ଉପଦେଶ “ତୁମେ କର୍ମ କର କିନ୍ତୁ କର୍ମ ଫଳ ପାଇଁ ଉଦବେଗ ପ୍ରକାଶ କରନି “ଶ୍ରୀମଦ ଭାଗବତର ସପ୍ତମ ସ୍କନ୍ଦରେ କର୍ମ ବାସନା ବା ଊତ୍ତିର ସବିଶେଷ ବର୍ଣ୍ଣନା ମିଳେ ଯଥା
ପ୍ରବୃତି ନିବୃତ୍ତି ଏ କର୍ମ।
ସଂସାରେ ବଇଦିକ ଧର୍ମ।।
ପ୍ରବୃତି ପଥେ ସଂଚରନ୍ତି।
ନିବୃତେ ଅମୃତ ଭୁଞ୍ଜନ୍ତି।।
ଏତିକି କହିବି ପ୍ରବୃତି ପଥରେ କରୁଥିବା କର୍ମ ଜନ୍ମ ମୃତ୍ୟୁ ଚକ୍ରରେ ପକାଇଥାଏ, କିନ୍ତୁ ନିବୃତ୍ତି ମାର୍ଗ ଭଗବାନଙ୍କ ପଥ ଦେଖାଏ, ଏହି ସବୁ ଗୂଢ଼ ଜ୍ଞାନକୁ ବିତରଣ କରୁଥିବା ଶ୍ରୀମଦ ଭାଗବତ ଗ୍ରନ୍ଥ ଆମର ମୁକ୍ତିର ପଥ ପଦର୍ଶକ ହେଉ ଏତିକି କାମନା।
ଜୟ ଜଗନ୍ନାଥ
(ଦ.ତ୍ରୀ. ଉଵାଚ )

Comments are closed.