Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୩୨: ପ୍ରଭୁଙ୍କର ଲୀଳା ଆସ୍ଵାଦନ ନକଲେ, ଈଶ୍ୱର ବିଶ୍ୱାସ ଦୃଡ଼ିଭୂତ ହୁଏନାହିଁ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସପ୍ତମ ଲକ୍ଷଣ
ଇଶାନୁକଥା:- ମାୟାଗ୍ରସ୍ତ ଜୀବଙ୍କ ଉଦ୍ଧାର ନିମିତ୍ତ ଶ୍ରୀମଦ ଭାଗବତ ସର୍ବକାରଣ କାରଣ ସ୍ୱରୂପ ଭଗବାନଙ୍କ ପାବନ ଲୀଳା ଉପସ୍ଥାପିତ କରିବା ହିଁ ଇଶାନୁକଥା। କାରଣ ପ୍ରଭୁଙ୍କର ଲୀଳା ଆସ୍ଵାଦନ ନକଲେ, ତାଙ୍କର ଅମୀୟ ଚରିତ ଶ୍ରବଣ ମନନ ନକଲେ ଈଶ୍ୱର ବିଶ୍ୱାସ ଦୃଡ଼ିଭୂତ ହୁଏନାହିଁ, ଯଦି ବିଶ୍ୱାସ ଦୃଢ଼ିଭୁତ ନୁହେଁ ତେବେ ସଂପ୍ରୀତି ସଂଜାତ ଉଦ୍ରେକ ହେବ କିପରି। ଏହି ସଂପ୍ରୀତି ହିଁ ପରମ ଅନନ୍ଦ ଦାୟୀ ଭକ୍ତିର ଅଭ୍ୟୁଦୟ କରାଏ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-31-the-origin-of-life-in-the-srimad-bhagavad-gita/

ନିର୍ମଳ ଓ ନିଷ୍କାମ ଭକ୍ତି ଦ୍ୱାରା ଜୀବ ବ୍ରହ୍ମ ଲୋକ ପ୍ରାପ୍ତ କରେ। ଆମେ ଜାଣିବା ଦରକାର ଯେ ଚଉଦ ଭୁବନ ବିଶିଷ୍ଟ ବ୍ରହ୍ମାଣ୍ଡର ଉର୍ଦ୍ଧ୍ୱରେ ଦେବୀଧାମ ବିରାଜମାନ, ତାପରେ କାରଣାର୍ଣ୍ଣବ ବିରାଜିତ ତାପରେ ଜ୍ୟୋତିର୍ମୟ ବ୍ରହ୍ମଲୋକ ଯେଉଁଠାରେ ପରଂବ୍ରହ୍ମ ବାସ କରନ୍ତି।
ଏହି ବ୍ରହ୍ମଲୋକ ଷଢ଼ବିଧ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ ଓ ମାୟା ଏଠାରେ ପ୍ରବେଶ କରିପାରିବେ ନାହିଁ। ତେଣୁ ମୋହ ଓ ଶୋକ ମଧ୍ୟ ନଥାଏ ଏହାତ ପରଂବ୍ରହ୍ମଙ୍କ କଥା କିନ୍ତୁ ଲୀଳା ଶ୍ରବଣ ପାଇଁ ପ୍ରଭୁଙ୍କର ଅବତାର ତତ୍ୱ ମଧ୍ୟ ଜାଣିବା ଦରକାର। ଶ୍ରୀମଦ ଭାଗବତରେ ଶ୍ରୀଜଗନ୍ନାଥ ଦାସ ଅତ୍ୟନ୍ତ ସୁନ୍ଦର ଭାବେ ଏହି ତତ୍ୱ ଉପସ୍ଥାପିତ କଲେ
ବିଷ୍ଣୁ ଅବତାର ଚରିତ।
ତାର ଭକ୍ତଙ୍କ ଯେ ଭକତ।।
ଈଶ୍ୱର କଥା ଅନୁବାଦେ।
ଉତ୍ତମ ପୁରୁଷଙ୍କ ମଧ୍ୟେ।।
ଈଶାନୁକଥା ଏହା କହି।
ଆଗରେ ଶୁଣ ମନ ଦେଇ।।
ତେଣୁ ପରମପୁରୁଷଙ୍କ କଥା ଶୁଣିବା ସହିତ ଅବତାର ତତ୍ୱ ମଧ୍ୟ ଜାଣିବା ନିହାତି ଆବଶ୍ୟକ। ଏହି ସମ୍ବନ୍ଧରେ ଶ୍ରୀଚୈତନ୍ୟଚରିତାମୃତର ବ୍ୟାଖ୍ୟା
“ସୃଷ୍ଟି ହେତୁ ଯେଇ ମୂର୍ତ୍ତି ପ୍ରପଞ୍ଚେ ଅବତରେ, ସେହି ଈଶ୍ୱର ମୂର୍ତ୍ତି ଅବତାଇ ନାମ ଧରେ “ଶାସ୍ତ୍ରରେ ଏହାକୁ ଅବତରତୀ ଇତି ଅବତାରଃ
ବୋଲି କୁହାଯାଇଥାଏ। ସମସ୍ତ ଅବତାର ତତ୍ୱ ଆଲୋଚନା ସମୟ ସାପେକ୍ଷ ତେଣୁ କେବଳ ଅବତାରଙ୍କ ପ୍ରକାର ଭେଦ ହିଁ ସୂଚନା ଦେଉଛି। ଶାସ୍ତ୍ର କହେ ଅବତାର ତ୍ରିବିଦ୍ଧ ଯଥା
1.ଅଂଶାବତାର ବା ପୁରୁଷାବତାର
2.ଗୁଣାବତାର
3.ଲୀଳାବତାର
ଏହାର ବ୍ୟାପକ ଚର୍ଚ୍ଚା ଆଗାମୀ ସମୟରେ କରିବା କିନ୍ତୁ ବର୍ତ୍ତମାନ ଏହି ଦିବ୍ୟଜ୍ଞାନ ପ୍ରଦାନ କରୁଥିବା ଶ୍ରୀମଦ ଭାଗବତ ଗ୍ରନ୍ଥଙ୍କ ଶରଣ ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.