Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୩୩: ଶାଶ୍ୱତ ସୁଖ ପ୍ରାପ୍ତି ସହ ଭଗବାନ ପ୍ରାପ୍ତି ହିଁ ପ୍ରକୃତ ମୁକ୍ତି

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ନବମ ଲକ୍ଷଣ
ମୁକ୍ତି:- ଏହାକୁ କେହି କେହି ମୋକ୍ଷ ଭାବରେ ମଧ୍ୟ ବିବେଚନା କରିଥାନ୍ତି।
ସଂସାର ଜନ୍ମ ମରଣ ଚକ୍ରରେ ପଡି ବଦ୍ଧଜୀବ ଟିଏ କ୍ଳେଶ ଓ କ୍ଲାନ୍ତିକର ଜୀବନଯାତ୍ରାରେ ଅତିଷ୍ଠ ହେବା ପରେ, ଖୋଜେ ପ୍ରାପଞ୍ଚିକ ବନ୍ଧନରୁ ମୁକ୍ତ ହେବାର ପ୍ରକୃଷ୍ଟ ଉପାୟ। ଯାହା ମୁକ୍ତି ନାମରେ ପରିଚିତ କାରଣ ଶାଶ୍ୱତ ସୁଖ ପ୍ରାପ୍ତି ସହ ଭଗବାନ ପ୍ରାପ୍ତି ହିଁ ପ୍ରକୃତ ମୁକ୍ତି ବା ମୋକ୍ଷ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି।

ଚାରି ପୁରୁଷାର୍ଥ ଯଥା ଧର୍ମ, ଅର୍ଥ, କାମ ଓ ମୋକ୍ଷ ମଧ୍ୟରେ ମୋକ୍ଷ ହିଁ ଶ୍ରେଷ୍ଠ ପୁରୁଷାର୍ଥ। ଶ୍ରୀମଦ ଭାଗବତରେ ଶ୍ରୀଜଗନ୍ନାଥ ଦାସଙ୍କ ଉକ୍ତି
ମୁକ୍ତି ସ୍ବରୁପେ ବ୍ୟବସ୍ଥିତି।
ଯହିଁ ନ ଘଟେ ପୁନଃଗତି।।
ଶ୍ରୀଲ କବିରାଜ କୃଷ୍ଣଦାସ ଗୋସ୍ୱାମୀ ପାଦଙ୍କ ବର୍ଣ୍ଣନାରେ ସୁନ୍ଦର ଉକ୍ତି
“ଏଇ ତ ପରମ ଫଳ ପରମ ପୁରୁଷାର୍ଥ, ଯାର ଆଗେ ତୃଣ ତୁଲ୍ୟ ଚାରିପୁରୁଷାର୍ଥ “। ମିମାଂସା ଶାସ୍ତ୍ରରେ
“ପ୍ରପଞ୍ଚ ସମ୍ବନ୍ଧ ବିଲୟୋ ମୋକ୍ଷଃ”
ବୋଲି କୁହାଯାଇଛି ଅର୍ଥାତ ଆତ୍ମା ପରମାତ୍ମା ସହ ବିଲୟ ହିଁ ମୋକ୍ଷ ଯାହା ଚତୁଷ୍ଟୟ ବା ଚାରିପ୍ରକାର।
1.ସାଲୋକ୍ୟ
2.ସାଷ୍ଟ୍ରି
3.ସାମିପ୍ୟ
4.ସାରୁପ୍ୟ (ପରବର୍ତ୍ତୀ ଚର୍ଚ୍ଚାରେ ଏହାକୁ ବ୍ୟାପକ ଭାବେ ବର୍ଣ୍ଣନା କରାଯିବ )ଏଵେ ଶ୍ରୀଜଗନ୍ନାଥ ଦାସଙ୍କ ସରଳ ବ୍ୟାଖ୍ୟାରେ ମୋକ୍ଷ
ଦେଖ ଏ ଯେତେ ନଦନଦୀ।
ପ୍ରବlହେ ମିଳନ୍ତି ଜଳଧି।।
ଲବଣ ଜଳେ ସେ ମିଶନ୍ତି।
ସ୍ବନାମ ରୂପ ପାଶୋରନ୍ତି।।
ଅର୍ଥାତ ଜୀବାତ୍ମା ଓ ପରମାତ୍ମା ମିଳନରେ ଜୀବାତ୍ମା ନିଜର ସମଗ୍ର ସତ୍ତା ହରାଇ ପରମାତ୍ମାମୟ ହୁଏ। କିନ୍ତୁ ଅନେକ ମହାତ୍ମାଙ୍କ ଅନୁସାରେ ଏଭଳି ମୁକ୍ତି ଚିନ୍ତନ ମଧ୍ୟ ଗୌଣ ହୋଇ ପଡେ। ସେମାନେ ଶୁଦ୍ଧ ଭକ୍ତିରେ ମଜ୍ଜି ସର୍ବଦା ପ୍ରଭୁଙ୍କର ସାନିଧ୍ୟ ବା ଆଶ୍ରୟରେ ରହିବାବୁ ଇଚ୍ଛା ପ୍ରକାଶ କରନ୍ତି।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-32-to-present-the-sacred-play-of-god-is-the-essence-of-ishanukatha/

ତେଣୁ ଶ୍ରୀମଦ ଭାଗବତ ମଧ୍ୟ ମୁକ୍ତିକୁ ଶେଷ ଲକ୍ଷଣ କରିନାହିଁ, ଶେଷଲକ୍ଷଣ ହେଉଛି ଆଶ୍ରୟ ଏହାର ପ୍ରକୃତ ତାତ୍ୱିକ ବିଶ୍ଳେଷଣ ନିଶ୍ଚୟ କରିବା, ଏଵେ କିନ୍ତୁ ପରମ ଜ୍ଞାନ ପ୍ରଦାନ କରୁଥିବା ଗ୍ରନ୍ଥ ଶ୍ରୀମଦ ଭାଗବତଙ୍କ ଆଶ୍ରୟରେ ରହିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.