ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ତାତ୍ୱିକ ଗ୍ରନ୍ଥ ଏବଂ ଏହା ସ୍ୱୀକାର୍ଯ୍ୟ। କାରଣ ଏଥିରେ କେବଳ ଅନ୍ୟାନ୍ୟ ପୁରାଣ ପରି କିଛି କଥା ବା ଗଳ୍ପ ସନ୍ନିବେଷିତ ହୋଇନାହିଁ, ଏହା ଅନେକ ତତ୍ୱର ଖୁବ ସରଳ ଉପସ୍ଥାପନା କରିଛି। ବିଶେଷତଃ ଶ୍ରୀଜଗନ୍ନାଥ ଦାସ ବିରଚିତ ଓଡ଼ିଆ ଭାଗବତରେ ତତ୍ୱ ଗୁଡିକ ଅତ୍ୟନ୍ତ ସରଳ ତଥା ଶିକ୍ଷଣୀୟ ଭାବରେ ଉପସ୍ଥାପନା କରାଯାଇଛି।
ଏଵେ ସେମିତି ଗୋଟିଏ ଅତ୍ୟନ୍ତ ଜ୍ଞାନ ବର୍ଦ୍ଧକ ଓ ଉପାଦେୟ ତତ୍ୱକୁ ନେଇ ଆଲୋଚନା କରିବା ଅର୍ଥାତ ଈଶ୍ୱର ତତ୍ୱ ଓ ଜଗତ ତତ୍ୱ ପ୍ରଥମେ ଈଶ୍ୱରଙ୍କୁ ଜାଣିବା ଓ ତାପରେ ଏ ମାୟା ସଂସାରରୁ ମୁକ୍ତି ପାଇଁ ଈଶ୍ୱରଙ୍କ ଠାରେ ଚିତ୍ତ ନିବେଶ କରିବାର ଉପାୟ ଜାଣିବା। ଭାଗବତ ପଦରେ
ସତ୍ୱ ନିର୍ମଳ ଗୁଣ ଧରୁ।
ଭକ୍ତଙ୍କ ପାଇଁ ଅବତରୁ।।
ତପ ସମାଧି ଯୋଗ କ୍ରିୟା।
ଵେଦେ କହନ୍ତି ମୁନି ଯାହା।।
ତୋ ଆରାଧନୁ ନାହିଁ ଆନ।
ତୁ ପୁରି ଅଛୁ ସ୍ଥୁଳ ଶୂନ୍ୟ।।
ଏହାକୁ ତାତ୍ୱିକ ବିସ୍ଲେସଣ କଲେ ଜାଣିବା ଏହା କେବଳ ପରମାତ୍ମା ତତ୍ୱ, ଈଶ୍ୱରଙ୍କୁ ପରିଚିତ କରିବା ପରେ ପୁଣି ଭାଗବତ କହିଲେ
ଜଗତ ତୋର ତହୁଁ ଜାତ।
ଲୟ ପାଳନ ଜଗନ୍ନାଥ।।
ତୋର ମାୟାରେ ମୂର୍ଖ ଜନ।
ଆତ୍ମାକୁ ଦେଖନ୍ତି ସେ ଭିନ୍ନ।।
ଜ୍ଞାନୀଏ ଦେଖନ୍ତି ସେ ଏକ।
ମାୟାରେ ଦିଶୁ ତୁ ଅନେକ।।
ତୁ ଏ ସଂସାର ଦୁଃଖ ନାଶେ।
ଶରୀର ବହୁ ନାନା ଅଂଶେ।।
ସାଧୁଙ୍କୁ ଦିଶୁ ତୁ ନିର୍ମଳ।
ଖଳ ଲୋଚନେ ଯମ କାଳ।।
ଯେ ତୋର ପାଦେ ପଦ୍ମନାଭ।
କରନ୍ତି ଆତ୍ମ ଜ୍ଞାନେ ଭାବ।।
ତୋହର ନାମ ନାଵ ଧରି।
ହେଳେ ତରନ୍ତି ଭବବାରି।।
ଉପରୋକ୍ତ ପଦ ଗୁଡିକ ଏତେ ସରଳ ଓ ସାବଲିଳ ଯେ ଏହାର ଆଉ ତାତ୍ୱିକ ଆଲୋଚନା ଆବଶ୍ୟକ ନାହିଁ। କାରଣ ଭକ୍ତ ଅଧୀନ ଭଗବାନ ତେଣୁ
ଯେ ତୋତେ ଯେମନ୍ତେ ଚିନ୍ତଇ।
ଗୁଣ ପ୍ରକାଶୁ ଦେହ ବହି।।
ତୋ ଜନ୍ମ ଗୁଣ କର୍ମ ମାନ।
ସଂଖ୍ୟା କେ କରୁ ଭଗବାନ।।
ମନ ବଚନେ ହେଁ ନ ଜାଣି।
କେବଳ ଵେଦେ ପରିମାଣି।।
ଶ୍ରବଣେ ତୋର ନାମ ଗୁଣି।
ତୋ ରୂପ ହୃଦେ ପରିମାଣି।।
ତୋ ପାଦ ପୂଜାର ବିଧାନ।
ଏଣେ ଯେ ହୋନ୍ତି ସାବଧାନ।।
ଜନ୍ମ ମରଣ ତାଙ୍କ ନାହିଁ।
ଏମନ୍ତେ ପ୍ରଭୁ ଭାବଗ୍ରାହୀ।।
ଏମିତି ଅନେକ ଶିକ୍ଷା ଓ ତତ୍ୱ ଅନ୍ୟ କେଉଁଠି ମିଳେ ନାହିଁ ବିଶେଷତଃ ମାୟାର ସ୍ୱରୂପ ବର୍ଣନା ଯଥା
ଭୋନାଥ କମଳ ଲୋଚନ।
ମାୟାରେ ମୋହୁ ପ୍ରାଣୀ ମନ।।
ଯେ ତୋର ନାମ ନ ଭଜନ୍ତି।
ମାୟା ପଟଳେ ବଣା ହୋନ୍ତି।।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-39-shrimad-bhagwat-gita-teaches-many-principles-to-humans/
ଏମିତି ଆଲୋଚନା କରିବସିଲେ ଅନେକ ତତ୍ବ ସାମନାକୁ ଆସିବେ ଯେପରି ଅବତାର ତତ୍ୱ, କର୍ମ ସମର୍ପଣ ତତ୍ୱ, ବ୍ରହ୍ମ ତତ୍ୱ, ଆତ୍ମା ତତ୍ୱ ଭକ୍ତି ତତ୍ୱ ଇତ୍ୟାଦି ଯାହାର ଆଲୋଚନା ଭାଗବତ ବିଷୟ ସହିତ କରିବା। କାରଣ ଭାଗବତରେ ସନ୍ନିବେଷିତ ସୁନ୍ଦର ସୁନ୍ଦର ପ୍ରସଙ୍ଗ ଗୁଡିକ ଭିତରେ ଏହି ତତ୍ୱ ଗୁଡିକ ଅତି ଘନିଷ୍ଠ ଭାବରେ ଯୋଡି ହୋଇ ରହିଛି। ଏହି ବ୍ରହ୍ମସତ୍ତା ସମ୍ମିଳିତ ପରମ ଶାସ୍ତ୍ର ଭାଗବତ ସମସ୍ତଙ୍କ ଶ୍ରଦ୍ଧାର ଗ୍ରନ୍ଥ ହେଉ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.