ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯାହା ମଣିଷଙ୍କୁ ଜ୍ଞାନ ବୈରାଗ୍ୟ ଓ ଭକ୍ତି ସହିତ ଅନେକ ତତ୍ୱ ଉପଦେଶ ଦେଇଥାଏ। ଗୋଟିଏ ବୃକ୍ଷ ସହିତ ମଣିଷ ଶରୀରର ତୁଳନା କରି ତାହାର ସମସ୍ତ ଅନ୍ତର୍ନିହିତ ଗୁଣ, ଇନ୍ଦ୍ରିୟ ତତ୍ୱ ସହ ଶରୀର ଗଠନରେ ଲାଗିଥିବା ତତ୍ୱ ମାନ ମଧ୍ୟ ଏହି ବର୍ଣ୍ଣନାରେ ମିଳେ। ଏବେ ସେହି ଶରୀରକୁ ସାଧନା କରି କିପରି ପରଂବ୍ରହ୍ମଙ୍କ ସାକ୍ଷାତ ପାଇବା ସେହି ଆସନ, ଧ୍ୟାନ, ପ୍ରାଣାୟାମ ପ୍ରଭୃତିର ତତ୍ୱ ବିଷୟରେ ଥିବା ପଦ ଗୁଡିକ ଯଥା “ସମ ଆସନେ ବସି ଧିରେ।
ସୁଖରେ ସମ କଳେବରେ।।
ଜାନୁ ଯୁଗଳେ ବେନି ପାଣି।
ଦୃଢ଼େ ସ୍ଥାପିବ ବେଳ ଜାଣି।।
ବେନି ନୟନ ନାସା ଅଗ୍ରେ।
. ନିଶ୍ଚଳେ ସ୍ଥାପିବ ସମଗ୍ରେ।।
ପବନ ତୋଳି ନାସା ଦ୍ୱାରେ।
ପୂରକ କୁମ୍ଭକ ପ୍ରକାରେ।।
ଅଳପ ଅଳପ ସାଧନେ।
ଚିତ୍ତ ସ୍ଥାପିବ ସଂଯମନେ।।
+ + +
ଏ ରୂପେ ଅନ୍ତର ବାହାରେ।
ଧ୍ୟାନେ ସାଧିବ ନିରନ୍ତରେ।।
ଏହି ଧ୍ୟାନ କେମିତି କରିବେ ଏହା ବତାଇବା ସହିତ କାହାର ଧ୍ୟାନ କରିବେ ତାହାର ମଧ୍ୟ ଶ୍ରୀଜଗନ୍ନାଥ ଦାସ ଖୁବ ସୁନ୍ଦର ତତ୍ୱ ଦେଇଛନ୍ତି
ସୂର୍ଯ୍ୟ ମଣ୍ଡଳ ଚିନ୍ତା କରି।
ସୋମ ମଣ୍ଡଳ ମଧ୍ୟେ ଭରି।।
ତାହାର ମଧ୍ୟେ ହୁତାଶନ।
ତା ମଧ୍ୟେ ସୁବର୍ଣ୍ଣ ଆସନ।।
ତାର ଉପରେ ଦିବ୍ୟ ରୂପ।
ଚିନ୍ତିବ ମୋହର ସ୍ୱରୂପ।।
ଏହାତ ସାଧାରଣ ଯୋଗ ଓ ଧ୍ୟାନ ସାଧନା ମାର୍ଗ, ପୁଣି ସବୁଠାରୁ ଶ୍ରେଷ୍ଠ ସାଧନା ଯୋଗୀ ଋଷି ମାନଙ୍କ ସମାଧି ତାହାର ବି ସୁନ୍ଦର ବର୍ଣ୍ଣନା ଦେଇଛନ୍ତି
ସର୍ବ ସଙ୍ଗ ମୁଁ ମନ ହରି।
ନିଶ୍ଚଳେ ମୋର ରୂପ ଧରି।।
ମୋ ରୂପ ଚିନ୍ତିବ ନିରତେ।
ନଚିନ୍ତି ଅନ୍ୟ କିଛି ଚିତ୍ତେ।।
ପୁଣି ସେ ରୂପ ଥୋଇ ପାଶେ।
ଚିତ୍ତ ନିବେଶିବ ଆକାଶେ।।
ଏମନ୍ତ ଆକାଶ ମଣ୍ଡଳେ।
. ବ୍ରହ୍ମ ପ୍ରକାଶିବ ନିଶ୍ଚଳେ।।
ସେ ବ୍ର6ହ୍ମ ଚିତ୍ତ ସ୍ଥିର ଯେବେ।
ମୋ ରୂପ ନଚିନ୍ତିବ ତେବେ।।
ଏମନ୍ତ ସମାଧି ଯୋଗରେ।
ଯେ ଆତ୍ମା ସମର୍ପେ ଆତ୍ମାରେ।।
ଜ୍ୟୋତିରେ ଜ୍ୟୋତି ମିଶେ ଯେହ୍ନେ।
ମୋତେ ସେ ଲଭଇ ତେସନେ।।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-38-to-attain-eternal-happiness-acquire-the-knowledge-of-shrimad-bhagwat-gita/
ଯେଉଁ ଗ୍ରନ୍ଥ ସ୍ୱୟଂ ଭଗବତ ସ୍ୱରୂପ ସେହି ଗ୍ରନ୍ଥ ଭଗବାନଙ୍କ ପ୍ରାପ୍ତିର ଚରମ ପନ୍ଥା ସମାଧିର ଵିଧି ବିଧାନ ଶିକ୍ଷା ଦେଉଛି, ଏବେଠାରୁ ଏସବୁ ସାଧନା ଆରମ୍ଭ କଲେ ନିଶ୍ଚିତ ଆପଣ ଆତ୍ମାଙ୍କୁ ଆତ୍ମାରେ ପାଇବେ। ଅର୍ଥାତ ଆତ୍ମ ଜ୍ଞାନୀ ହୋଇପାରିବେ, ତେବେ ଶ୍ରୀମଦ ଭାଗବତ ଆମର ଜୀବନର ଆଧାର ହେଉ ଏତିକି ନିବେଦନ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.