ଶ୍ରୀ ଭାଗବତ ସାର ୪୩: ଶ୍ରୀରାଧାକୃଷ୍ଣ ଅଭିନ୍ନ ବିଗ୍ରହ ବିଶିଷ୍ଟ, କେବଳ ପରକୀୟ ରସ ଆସ୍ଵାଦନ ପାଇଁ ଭିନ୍ନ ଭିନ୍ନ କଳେବର ଧାରଣ କରନ୍ତି
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ମହାରାସ ର ସମ୍ପୂର୍ଣ୍ଣ ବର୍ଣ୍ଣନା ଆମେ ଦଶମ ସ୍କନ୍ଦ ଆଲୋଚନା ସମୟରେ କରିବା, କିନ୍ତୁ ରାସଲୀଳା ଆଲୋଚନାଟି ସମ୍ପୂର୍ଣ୍ଣ କରିବା ପାଇଁ ଆମେ ଶ୍ରୀକୃଷ୍ଣଙ୍କ କାନ୍ତା ଶିରୋମଣି ଶ୍ରୀରାଧାଙ୍କୁ ଟିକିଏ ଜାଣିବା ଉଚିତ। କାରଣ ଶାସ୍ତ୍ର କହେ ବୃଷଭାନୁ ନନ୍ଦିନୀ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଅତ୍ୟନ୍ତ ବଲ୍ଳଭା ଓ କୃଷ୍ଣାପ୍ରାଣାଧିକା ବୋଲି।
ଏହି କଥା ବୃନ୍ଦାବନ ଧାମରେ ମଧ୍ୟ ଏଵେ ବି ଲକ୍ଷ୍ୟ କାରାଯାଏ ଓ ସମସ୍ତ ବୃନ୍ଦାବନ ବାସୀ ସର୍ବଦା ଶ୍ରୀରାଧା ନାମ ମୁଖରେ ଉଚ୍ଚାରଣ କରିଥାନ୍ତି। ତତ୍ୱ ଅନୁସାରେ ଯିଏ କୃଷ୍ଣ ସେ ରାଧା ଅର୍ଥାତ ରାଧା କୃଷ୍ଣ ଏକ ଓ ଅଭିନ୍ନ ବୋଲି ବିବେଚନା କାରାଯାଏ। ବ୍ରହ୍ମ ସଂହିତା ଏହାର ପ୍ରମାଣ ଦେଇ କହିଛନ୍ତି “ଯଃ କୃଷ୍ଣଃ ସାପି ରାଧା, କୃଷ୍ଣ ଏବ ସଃ ଯା “। ସେହିପରି ବ୍ରହ୍ମ ବୈବର୍ତ୍ତ ପୁରାଣରେ ଅନୁରୂପ ମନ୍ତବ୍ୟ ଅଛି
“ରାଧା ଭଜନ୍ତି ତେ କୃଷ୍ଣଂ ସତାଂ ଚ ପରସ୍ପରଂ, ଉଭୟୋଃସର୍ଵ ସାସ୍ୟଂ ଚ ସଦାସନ୍ତୋ ବସନ୍ତିହିଃ ” । ଆହୁରି ବ୍ରହ୍ମlଣ୍ଡ ପୁରାଣରେ ମଧ୍ୟ କୁହାଗଲା “ରାଧା କୃଷ୍ଣାତ୍ମିକା ନିତ୍ୟଂ କୃଷ୍ଣୋରାଧାତ୍ବଙ୍କ ଧ୍ରୁବମ୍ ”
ଏହି ସବୁ ଉକ୍ତି ମାନଙ୍କର ତାତ୍ୱିକ ବିଶ୍ଳେଷଣ କଲେ ଆମେ ନିଶ୍ଚିତ ରୂପେ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରକୃତି ସ୍ୱରୂପ ଶ୍ରୀରାଧା ହିଁ ସ୍ୱୟଂ ଯୋଗମାୟା ଶ୍ରୀପାଦ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ଭାଷାରେ “ରାଧା କୃଷ୍ଣ ଐଛେ ସଦା ଏକଇ ସ୍ୱରୂପ, ଲୀଳାରସ ଆସ୍ୱାଦିତେ ଧରେ ଦୁଇ ରୂପ ” ଏହାର କାରଣ ଦର୍ଶାଇ ମଧ୍ୟ ଲେଖିଲେ “କୃଷ୍ଣ ରୂପ ବାଞ୍ଚା ପୂର୍ତ୍ତିକରେ ଆରାଧନେ, ଅତଏବ ରାଧିକାନାମ। ପୁରାଣେ ବ୍ୟାଖ୍ୟାନେ”।
ଏଥିରୁ ସ୍ପଷ୍ଟ ହେଲା ଯେ ଶ୍ରୀରାଧାକୃଷ୍ଣ ଅଭିନ୍ନ ବିଗ୍ରହ ବିଶିଷ୍ଟ, କେବଳ ପରକୀୟ ରସ ଆସ୍ଵାଦନ ପାଇଁ ଭିନ୍ନ ଭିନ୍ନ କଳେବର ଧାରଣ କରନ୍ତି। ତେଣୁ ଏହି ରାସର ତାତ୍ୱିକ ଆଲୋଚନା ଅତ୍ୟନ୍ତ ଗମ୍ଭୀର ଓ ପ୍ରାଣସ୍ପର୍ଶୀ। ସାଧାରଣ ଭାବରେ ଏହାକୁ ବୁଝିବା ମଧ୍ୟ ଏତେ ସହଜ ନୁହେଁ। ଏଵେ ଆସନ୍ତୁ ଜାଣିବା ରାସର ସ୍ୱରୂପ। କୁହାଯାଏ ଏହା ଦ୍ବିଧା ବିଶିଷ୍ଟ ଯଥା
୧. ଆଙ୍ଗିକ ସ୍ୱରୂପ
୨. ଆତ୍ମିକ ସ୍ୱରୂପ
ଆଗାମୀ ସମୟରେ ଏହାର ବିଷଦ ଆଲୋଚନା କରିବା। ଏଵେ କିନ୍ତୁ ବେଳ ଶ୍ରୀମଦ ଭାଗବତଙ୍କ ପଠନ ଓ ମନନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.