ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଦ ବର୍ଣ୍ଣିତ ପ୍ରସଙ୍ଗ ଅନୁସାରେ ପରମାତ୍ମା ଭଗବାନ “ହଂସ” ରୂପ ଧାରଣ କରି ବ୍ରହ୍ମା ଓ ବ୍ରହ୍ମାଙ୍କ ମାନସ ପୁତ୍ର ସନକ ସନାତନ, ସନନ୍ଦ ଓ ସନତକୁମାରଙ୍କ ସମ୍ମୁଖରେ ଆତ୍ମପ୍ରକାଶ କରି କିଛି ଉପଦେଶ ପ୍ରଦାନ କରିଥିଲେ। ସେହି ଉପଦେଶ ଗୁଡିକ ଭାଗବତ ରଚନାର ଆଧାର ଅଟନ୍ତି। ଯେତେବେଳେ ସମ୍ପୂର୍ଣ୍ଣ ବିଷୟ ଆଲୋଚନା କରିବା ସେ ସମୟରେ ଆମେ ନିଶ୍ଚିତ ରୂପେ ଭାଗବାନଙ୍କ ହଂସ ରୂପ ଧାରଣର କାରଣ ପ୍ରାଞ୍ଜଳ ଭାବେ ଉପସ୍ଥାପିତ କରିବା। ଶ୍ରୀ ଜଗନ୍ନାଥ ଦାସଙ୍କ ଉକ୍ତି
ବ୍ରହ୍ମର ଧ୍ୟାନ ବଳେ ମୁଁହି।
ମିଳିଲି ହଂସ ରୂପ ହୋଇ।।
ବ୍ରହ୍ମା ଙ୍କୁ ଦେଖା ଦେଲି ତହିଁ।
ତକ୍ଷଣେ ମୋର ରୂପ ଚାହିଁ।।
ବେଗେ ବ୍ରହ୍ମାର ପୁତ୍ର ଗଣେ।
ନମିଲେ ମୋହର ଚରଣେ।।
ଏହା ନିଶ୍ଚିତ ରୂପେ ପ୍ରମାଣ ଦେଉଛି ଯେ ଭଗବାନ ସ୍ୱୟଂ ହଂସ ରୂପ ଧାରଣ କରି ବ୍ରହ୍ମା ଓ ଚାରି ବ୍ରହ୍ମା ପୁତ୍ରଙ୍କୁ କିଛି ଉପଦେଶ ଦେଇଛନ୍ତି ଓ ତାହା ହିଁ ଭାଗବତ ରଚନାର ମୂଳ ତତ୍ୱ ଭାବେ ବ୍ୟବହୃତ ହୋଇଛି। ଏହି ଦୃଷ୍ଟିରେ ବିଚାର କଲେ ଏତିକି କୁହା ଯାଇ ପାରେଯେ ସ୍ୱୟଂ ପରମବ୍ରହ୍ମ ହଂସ ରୂପ ଧାରଣ କରିଥିବାରୁ ସେ ନିଶ୍ଚିତ ଭାବେ “ପରମ ହଂସ” ପଦବାଚ୍ୟ ଓ ଭାଗବତ ରୂପୀ ଏହି ଈଶ୍ୱରୀୟ ସନ୍ଦେଶ ନିଶ୍ଚିତ ରୂପେ ପରମହଂସ ସଂହିତା ରୂପେ ବିଦିତ।
ଏବେ ଜାଣିବା “ବୈୟାସୀକ୍ୟାଂ”ର ପ୍ରୟୋଗ ବିଷୟରେ, ଯାହାର ସାଧାରଣ ଅର୍ଥ ହେଉଛି ବ୍ୟାସ କୃତ ପ୍ରଥମେ ପରମ ପୁରୁଷଙ୍କ ପ୍ରଦତ୍ତ ପରମାତ୍ମିକ ସନ୍ଦେଶ। ଯାହା ଭାଗବତଙ୍କ ମୂଳ ତତ୍ୱ ତାହାକୁ ବ୍ୟାସଦେବ ପରିବର୍ଦ୍ଧିତ କରି ବର୍ତ୍ତମାନ ଉପଲ୍ଲବ୍ଧ ଶ୍ରୀମଦ ଭାଗବତରେ ପରିଣତ କଲେ। ଏହି ସମସ୍ତ ବିଷୟକୁ ତର୍ଜମା କଲେ ଜାଣିବା ପରମାତ୍ମା ରୂପୀ ପରମ ହଂସଙ୍କ ଦିବ୍ୟ ସନ୍ଦେଶକୁ ବ୍ୟାସଙ୍କ ଦ୍ୱାରା ପରିବର୍ଦ୍ଧିତ ହୋଇ ପ୍ରକାଶିତ ହୋଇ ଥିବାରୁ ଶ୍ରୀମଦ ଭାଗବତର ପ୍ରତ୍ୟେକ ସ୍କନ୍ଦର ପ୍ରତ୍ୟେକ ଅଧ୍ୟାୟ ଶେଷରେ ଭଣତି “ପରମ ହଂସ୍ୟାସଂହିତାୟାଂ ବୟାସିକ୍ୟାଂ” ବୋଲି ହୋଇଛି।
ଆଉ ଏକ ପ୍ରମାଣ ହେଲା’ବୈୟାସକୀ ” ଶବ୍ଦର ଅର୍ଥ ବ୍ୟାକରଣ ଓ ଶବ୍ଦକୋଷ ଅନୁସାରେ ବ୍ୟାସ କୃତ ସଂହିତା ବୋଲି ବ୍ୟକ୍ତ ହୋଇଛି। ଯଥାର୍ଥରେ ଉଭୟ ପରଂବ୍ରହ୍ମ ଓ ବ୍ୟାସ ରୂପୀ ନାରାୟଣଙ୍କ ଦ୍ୱାରା ଶ୍ରୀମଦ ଭାଗବତ ସୄଷ୍ଟ ହୋଇଥିବାର ପ୍ରମାଣ ଦେଉଛି ପ୍ରତ୍ୟେକ ଅଧ୍ୟାୟ ଶେଷରେ ଲିଖିତ “ପରମହଂସ୍ୟା ସଂହିତାୟାଂ ବୈୟାସିକ୍ୟାଂ”ର ସଠିକତା। ଆସନ୍ତୁ ତେବେ “ବ୍ୟାସ ନାରାୟଣ ସ୍ୱୟମ”ଜ୍ଞାନରେ ଦୁଇ ପରମ ପୁରୁଷଙ୍କ ଦ୍ୱାରା ସୄଷ୍ଟ ଏହି ପରମ ପାବନ ଗୁରୁ ରୂପୀ ଗ୍ରନ୍ଥଙ୍କ ଶରଣ ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.