Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୪୯: ଯାହ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ନିଶ୍ଚିତ ଭାବେ ଏକ ମହିମାବନ୍ତ ଗ୍ରନ୍ଥ ଓ ପ୍ରତ୍ୟେକ ସନାତନୀଙ୍କ ପାଇଁ ଏହା ଭଗବାନ ଶ୍ରୀକୃଷ୍ଣ ବାସୁଦେବଙ୍କ ପ୍ରମୂର୍ତ୍ତ ଅଧୋକ୍ଷଜ ବିଗ୍ରହ ରୂପେ ବିବେଚିତ ହୋଇଛି। ଶ୍ରୀମଦ ଭାଗବତଙ୍କୁ ଶ୍ରୀକୃଷ୍ଣ ବାସୁଦେବଙ୍କ ଅଧୋକ୍ଷଜ ବିଗ୍ରହ କହିବାର ଏକ କାରଣ ହେଉଛି ଶ୍ରୀମଦ ଭାଗବତରେ ସନ୍ନିବେସିତ ଶୁଦ୍ଧ ଶୃଙ୍ଗାର ରସ ବା ମାଧୁର୍ଯ୍ୟ ରସର ଅପୂର୍ବ ବର୍ଣନା ଅଲୌକିକ, ଅତୀଇନ୍ଦ୍ରିୟ, ଓ ପୁଲକାନୁଭୂତି ପୂର୍ଣ୍ଣ। ଯାହାର ସମ୍ୟକ ଆସ୍ଵାଦନ ପାଇଁ ଭକ୍ତଟିକୁ ବିଜିତେନ୍ଦ୍ରୀୟ ହେବା ଯେତିକି ଆବଶ୍ୟକ, ସେତିକି ଆବଶ୍ୟକ ଜଣେ ପରମ ବୈଷ୍ଣବଙ୍କ ମୁଖରୁ ଏହା ଶୁଣିବା।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-48-the-bhagwat-gita-originated-from-the-advice-given-by-lord-krishna-to-free-the-distressed-arjuna/

ତେଣୁ ଶ୍ରୀଚୈତନ୍ୟ ଚରିତାମୃତକାର ଶ୍ରୀଲ କୃଷ୍ଣଦାସ ଗୋସ୍ବାମୀ ପାଦଙ୍କ ଉପଦେଶ ହେଲା “ଯାହ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ ” ଆହୁରି କହିଲେ ବୈଷ୍ଣବ ପାଶ ଭାଗବତ କର ଅଧ୍ୟୟନ ” ଏହା କହିବାର ତାତ୍ପର୍ଯ୍ୟ ହେଲା ବୈଷ୍ଣବ ମାନେ କାମ ବିକାର ରହିତ ଓ ଶ୍ରୀକୃଷ୍ଣ ନାମ ସଂକୀର୍ତନରେ ସଦା ରତ। ଏଠାରେ କୌଣସି ଜାତି ବା ସମ୍ପ୍ରଦାୟଙ୍କୁ ନିଷେଧ କରାଯାଇନି ବରଂ ବୈଷ୍ଣବ ଚେତନାରେ ଉଦଭୂତ ଜଣେ ପରମ ଭକ୍ତଙ୍କ ମୁଖରୁ ଶ୍ରୀମଦ ଭାଗବତଙ୍କ ଅମୀୟ ରସ ପାନ କରିବାର ଉପାଦେୟତା ପ୍ରକାଶିତ ହୋଇଛି।

ପଦ୍ମ ପୁରାଣରେ ଏହାର ସୁନ୍ଦର ଯଥାର୍ଥତା ପ୍ରକାଶ ହୋଇଛି ଉଦାହରଣ ଛଳରେ ପଦ୍ମପୁରାଣ କହେ “ଦୁଗ୍ଧ ଜୀବନ ରକ୍ଷାକାରି ଓ ଶକ୍ତି ପ୍ରଦାନ କାରି ଏକ ସର୍ବୋଉତ୍କୃଷ୍ଟ ପାନୀୟ କିନ୍ତୁ ତାହା ଯଦି ସର୍ପୋଛିଷ୍ଟ ହୋଇଗଲା ତେବେ ତାହା ଜୀବନରକ୍ଷାକାରି ନହୋଇ ଜୀବନ ନାଶ ର କାରଣ ହୋଇଥାଏ “ଅବୈଷ୍ଣବ ମୁଖୋଦଗୀର୍ଣମ ପୂତଂ ହରିକଥାମୃତମ, ପରମହଂସ ସଂହିତା ଶ୍ରବଣଂ ନୈଵ କର୍ତ୍ତବ୍ୟଂ ସର୍ପୋଛିଷ୍ଟ ଯଥାପୟଃ” ପୁଣିଥରେ ଏହା ପ୍ରାଞ୍ଜଳ ଭାବେ କହିରଖେ ଯେ କାହାକୁ ଶ୍ରୀମଦ ଭାଗବତ ପଠନ ପାଇଁ ନିଷିଦ୍ଧ କରାଯାଇ ନାହିଁ କେବଳ ଭକ୍ତି ତଦଗତଚିତ୍ତ ବିଶିଷ୍ଠ ବୈଷ୍ଣବ ଭାବାପନ୍ନ ବ୍ୟକ୍ତି ବିଶେଷ ହେବାର ଆହ୍ୱାନ ଦିଆଯାଇଛି, ତାନହେଲେ ଶ୍ରୀମଦ ଭାଗବତଙ୍କ ଅଚିନ୍ତ୍ୟଭାବ ବୋଧଗମ୍ୟ ହେବ ନାହିଁ।

କାରଣ ଭଗବାନ ଶ୍ରୀକୃଷ୍ଣ ଯେପରି ଅଚିନ୍ତ୍ୟ ତାଙ୍କ ଲୀଳା ଓ ନାମ ପ୍ରଚାର କରିଥିବା ମହାନ ଗ୍ରନ୍ଥ ଭାଗବତ ମଧ୍ୟ ସେହିପରି ଅଚିନ୍ତ୍ୟ ତେଣୁ ପରମ ବୈଷ୍ଣବ ବୃନ୍ଦାବନ ଦାସଙ୍କ ଉକ୍ତିରେ “ଭାଗବତେ ଅଚିନ୍ତ୍ୟ ବୁଦ୍ଧିଯାର, ସେ ଜାନୟ ଭାଗବତ ଅର୍ଥ ଭକ୍ତିସାର। ଆସନ୍ତୁ ତେବେ ଆମେ ସମସ୍ତ ବୈଷ୍ଣବ ଗୁଣ ଧାରଣ କରି ଶ୍ରୀମଦ ଭାଗବତଙ୍କ ଅମୀୟ ରସ ଅସ୍ୱାଦନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.