Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୫୪: ଯୋଗ ମାର୍ଗ କଣ? ଭାଗବତ ଦ୍ୱାରା ମନୁଷ୍ୟ କିପରି ହୁଏ ସଜ୍ଜନ…

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ମନ୍ୟୁଷଙ୍କୁ ସଜ୍ଜନ ହେବାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ତିନି ଯୋଗ ମାର୍ଗ ପ୍ରଦର୍ଶିତ କରିଛନ୍ତି।
1.ଜ୍ଞାନ
2.କର୍ମ
3.ଭକ୍ତି
ଯଦି ଜ୍ଞାନ କଥା ଚିନ୍ତା କରିବା ତେବେ ଭାଗବତର ବାଣୀ ମନେ ପଡିବ
ଅଜ୍ଞାନୁ ଜ୍ଞାନ ଜାତ ହୋଇ।
ବିଷୟ ବାସନା ଦହଇ।।
ସତରେ ଆମେ ସମସ୍ତେ ନିଶ୍ଚିତ ରୂପେ ଅଜ୍ଞାନୀ କାରଣ ଏଠାରେ ଯେଉଁ ଜ୍ଞାନ ବିଷୟ କୁହାଯାଇଛି ତାହା ସାଧାରଣ ବୈଷୟିକ ଜ୍ଞାନ ନୁହେଁ। ଏହା ହେଉଛି ଆତ୍ମ ଜ୍ଞାନ ସ୍ୱୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କୁ ସର୍ବୋତ୍ତ ଭାବେ ଜାଣିବା ସହ ନିଜ ସ୍ୱରୂପକୁ ଜାଣିବା ଏହି ଜ୍ଞାନର ମୁଳ ତତ୍ୱ। ଏଥିପାଇଁ ସାଧନାର ଆବଶ୍ୟକତା ରହିଛି ସେହି ଭାଗବତ। ତେଣୁ ପୁଣି କହିଲେ
ମନେ କରିବ ଇନ୍ଦ୍ରି ଲୀନ।
ବଚନେ ସଂହରିବ ମନ।।
ବଚନ ସ୍ଵରେ ଲୀନ କରି।
ସ୍ୱର କୁ ଓଁକାରେ ସଂହରି।।
ଓଁକାର ବିନ୍ଦୁ ନାଦେ ଦେଇ।
ବିନ୍ଦୁ କୁ ପ୍ରାଣ ସଙ୍ଗେ ଥୋଇ।।
ଜ୍ଞାନୀ ର ଏମନ୍ତ ଲକ୍ଷଣ।
ଯେ ପଥେ ଯିବ ତାହା ଶୁଣ।।
ଅର୍ଥାତ ମନରେ ଇନ୍ଦ୍ରିୟ ମାନଙ୍କୁ ଲୀନ କରିବ, ବଚନକୁ ସ୍ୱରରେ ଲୀନ କରି ସ୍ବରକୁ ଓଁକାରରେ ମିଶାଇବ, ତାପରେ ଓଁକାରକୁ ବିନ୍ଦୁ ନାଦରେ ପରିବର୍ତ୍ତିତ କରି, ସେହି ବିନ୍ଦୁଙ୍କୁ ପ୍ରାଣରେ ସ୍ଥାପନ କରିବ, ତେବେ ଯାଇ ଅଜ୍ଞାନତ୍ବ ଲୋପ ପାଇ ଜ୍ଞାନର ଉଦୟ ହେବ। ଏହାହିଁ ପ୍ରକୃତ ଆତ୍ମ ଜ୍ଞାନ ଯାହା ଖଡ଼ଗ ସମ ହୋଇଥାଏ ଓ ଏହି ଜ୍ଞାନ ରୂପୀ ଖଡ଼ଗ ଆଧାରରେ ନିଜର ତ୍ରିଗୁଣମୟୀ ପ୍ରକୃତି (ରିପୁ )
ମାନଙ୍କୁ ବିନାଶ କରିଲେ ଆତ୍ମସୁଖ ତଥା ପରମାନନ୍ଦ ଲାଭ ହୁଏ। ଯଥା
ରଜ ତାମସ ନିଦ୍ରା କ୍ଷୁଧା।
ଏତେ ଶତ୍ରୁରେ ଯହିଁ ବାଧା।।
ତ୍ରିଗୁଣମୟୀ ଯେ ପ୍ରକୃତି।
ଏ ଆଦି ରିପୁ ଯେତେ ଛନ୍ତି।।
ଏହାଙ୍କୁ ସମ୍ମୁଖେ ଆବୋରି।
ଯେ ରଥି ପରେ ଶୁଦ୍ଧ କରି।।
ରଥ କୁ ଆତ୍ମବଶ କରି।
ଜ୍ଞାନ ଖଡ଼ଗ ହସ୍ତେ ଧରି।।
ସୁଖେ ଭୁଞ୍ଜଇ ସ୍ୱର୍ଗ ରାଜ୍ୟ।
ଆନନ୍ଦେ ଅଷ୍ଟ ଐଶ୍ୱର୍ଯ୍ୟ।।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-53-it-is-always-easy-to-acquire-the-company-of-a-scripture-like-the-srimad-bhagwat/

ଆମକୁ ଏହା ସାଧାରଣ ଯୋଗ ପରି ଅନୁଭୂତ ହେଉଥିଲେ ମଧ୍ୟ ଏହା ଯେ ଅସାଧ୍ୟ ସାଧନା ତାହା ନିଶ୍ଚିତ ରୂପେ ଯୋଗ ନିଷ୍ଠ ମଣିଷ (ଉଭୟ ସ୍ତ୍ରୀ ଓ ପୁରୁଷ )ଉପଲବ୍ଧି କରିଥିବେ। ତେଣୁ ଏହି ସାଧନାରେ ବ୍ରତି ହେବା ପୂର୍ବରୁ ଜଣେ ପ୍ରକୃତ ଜ୍ଞାନଦାତା ସଦଗୁରୁଙ୍କ ସନ୍ଧାନ ନେବାକୁ ପଡିବ। କାରଣ ଜଣେ ଆତ୍ମଜ୍ଞାନୀ ହିଁ ଅନ୍ୟ ଜଣଙ୍କୁ ଏହି ଜ୍ଞାନ ପ୍ରଦାନ କରିବାକୁ ସକ୍ଷମ ହୋଇଥାଏ। ଯେ ନିଜେ ଆତ୍ମା ସ୍ୱରୂପ ଭଗବାନଙ୍କ ଉପଲ୍ଲବ୍ଧି କରିନାହିଁ ସେ ଅବା ଅନ୍ୟଙ୍କୁ କଣ ଉପଲବ୍ଧି କରାଇବେ। ସେହି ଆତ୍ମ ଜ୍ଞାନୀ ଗୁରୁ ଜଣେ ସଜ୍ଜନ ହେବା ସହିତ ସ୍ୱୟଂ ଭଗବତ ସ୍ୱରୂପ ହୋଇଥାନ୍ତି ତେଣୁ ଭାଗବତଙ୍କ ଉପଦେଶ ହେଲା
ଯେ ଗୁରୁ ଜ୍ଞାନ ଦାନ ଦେଇ।
ତାଙ୍କୁ ଯେ ମନ୍ୟୁଷ ମଣଇ।।
ସେ ଯେତେ ଧର୍ମ କରେ ଦେହେ।
ନିଷ୍ଫଳ ହସ୍ତୀ ସ୍ନାନ ପ୍ରାୟେ ।।
ଏଭଳି ସ୍ଥୁଳ ଗୁରୁଙ୍କ ସନ୍ଧାନ ନିଶ୍ଚୟ ଜାରି ରହିବ ତେବେ ଆମେ ଯେଉଁ ଗ୍ରନ୍ଥ ଗୁରୁ ଶ୍ରୀମଦ ଭାଗବତଙ୍କ ଶରଣ ନେଇଛେ ତାହାଙ୍କ ଆରାଧନା କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

 

Comments are closed.