Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୬୫: ପଞ୍ଜୁରୀ ଭିତରେ ଶୁକପକ୍ଷୀ ଶ୍ରୀରାଧାଙ୍କଠାରୁ କୃଷ୍ଣ ଭକ୍ତି ଗାଥା ଶୁଣି ପକ୍ଷୀ ଜନ୍ମରୁ ମୁକ୍ତି ପାଇଲେ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ମହାମୁନି ଶୁକଦେବଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ତଥାପି ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଶ୍ରୀମଦ ଭାଗବତ ପ୍ରାପ୍ତି ଆଜିବି ଗବେଷଣା ସାପେକ୍ଷ ବିଷୟ ହୋଇରହିଛି। କେବଳ କିଛି କିମ୍ବଦନ୍ତୀକୁ ଆଧାର କରି ଲୋକ ମୁଖରେ କିଛି କିଛି ସମ୍ଭାବିତ ଗଳ୍ପ ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ହୋଇ ରହିଛି। ସେହିପରି ଗପଟିଏ ହେଉଛି ଶ୍ରୀରାଧାଙ୍କର ପଞ୍ଜୁରୀ ମଧ୍ୟରେ ଥିବା ଶୁକପକ୍ଷୀ କଥା। କୁହାଯାଏ ସେହି ଶୁକପକ୍ଷୀ ଶ୍ରୀରାଧାଙ୍କଠାରୁ କୃଷ୍ଣ ଭକ୍ତି ଗାଥା ଶୁଣି ଶୁଣି ଶେଷରେ ପକ୍ଷୀ ଜନ୍ମରୁ ମୁକ୍ତି ପାଇ ଭଗବାନ ବ୍ୟାସଙ୍କ ପୁତ୍ର ରୂପେ ଜନ୍ମ ଗ୍ରହଣ କଲେ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-64-shukadevs-role-in-the-propagation-of-shrimad-bhagwat-must-be-acknowledged/
ଗବେଷକ ମାନେ କହନ୍ତି ଏହି ଶୁକଦେବ ତେଣୁ ରାଜା ପରୀକ୍ଷିତଙ୍କୁ ଭାଗବତ ଶୁଣାଇବା ସମୟରେ ରାଧାଙ୍କର କୌଣସି ଅବତାରଣା କରିନାହାନ୍ତି। ଶ୍ରୀମଦ ଭାଗବତରେ ରାଧାଙ୍କର ନାମ ମଧ୍ୟ ଉଚ୍ଚାରଣ କରିନାହାନ୍ତି। ଶାସ୍ତ୍ରରେ ବର୍ଣ୍ଣିତ ଅଛି
“ରାଧାନାମୋଚ୍ଚାରଣାରସ୍ୟ ମୌନଂ
ମାସଷଟକଂ ଭଵେତ, ତଦର୍ଥଂ ନୋ
ଚଚ୍ଚାର ପରୀକ୍ଷିତ ହିତକୃତ ମୁନିଃ”
ଅର୍ଥାତ ଯଦି ଗଙ୍ଗା ନଦୀ କୂଳରେ ରାଜା ପରୀକ୍ଷିତ ଓ ମୁନି ଗଣଙ୍କ ଆଗରେ ଶ୍ରୀମଦ ଭାଗବତ ଚର୍ଚ୍ଚା ସମୟରେ ଶ୍ରୀ ଶୁକଦେବ ମହାରାଜ ଶ୍ରୀରାଧାଙ୍କ ନାମ ବି ଉଚ୍ଚାରଣ କରିଥାନ୍ତେ ତେବେ ଛଅ ମାସ ପର୍ଯ୍ୟନ୍ତ ବାକ ରୁଦ୍ଧ ହୋଇଯାଇଥାନ୍ତେ। କାରଣ ଶୁକଦେବଙ୍କ କୃଷ୍ଣଭକ୍ତି ଜ୍ଞାନର ପ୍ରକୃତ ପ୍ରଦାନ କାରି ବ୍ୟାସ ନୁହନ୍ତି ସ୍ୱୟଂ ମା ଶ୍ରୀରାଧା ହିଁ ତାଙ୍କ କୃଷ୍ଣଭକ୍ତି ଶିକ୍ଷାର ପ୍ରକୃତ ଗୁରୁ। ଏପଟେ ପିତା ଭଗବାନ ବ୍ୟାସ ଓ
ସେପଟେ ସ୍ୱୟଂ ଗୁରୁ ସ୍ୱରୂପିଣୀ ମା ଶ୍ରୀରାଧା କାହାକୁ ବା ଏହାର ଶ୍ରେୟ ଦେଇଥାନ୍ତେ ଶୁକଦେବ?

ଯଦି ଗୁରୁ ରୂପୀ ଶ୍ରୀରାଧାଙ୍କ ପ୍ରସଙ୍ଗ ଆଲୋଚନା କରିଥାନ୍ତେ ତେଵେ ମଧ୍ୟ ଏକ ସପ୍ତାହ ମଧ୍ୟରେ ଶ୍ରୀମଦ ଭାଗବତ ବର୍ଣ୍ଣନା ସାରି ସାପଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ମୁକ୍ତି ଦେବା ସମ୍ଭବ ହୋଇନଥାନ୍ତା। ସେଥିପାଇଁ ସମଗ୍ର ଭାଗବତ ଚର୍ଚ୍ଚା ମଧ୍ୟରେ ଶ୍ରୀରାଧାଙ୍କ ଭୂମିକାର ଅବତାରଣା ଶୁକଦେବ ମୁନି କରିନାହାନ୍ତି। କେତେକ ବି କହନ୍ତି ଶ୍ରୀରାଧାଙ୍କ ପଞ୍ଜୁରୀ ମଧ୍ୟରେ ଥିବା ଶୁକ ପକ୍ଷୀଟି ଆସି ଶିବ ପାର୍ବତୀଙ୍କ ଆସ୍ଥାନ କୈଳାସ ପର୍ବତରେ ଥିବା ଏକ ବୃକ୍ଷ କୋଟରରେ ଅବସ୍ଥାନ କରି ମୃତ୍ୟୁ ବରଣ କଲେ ଓ ପରେ ଶ୍ରୀମଦ ଭାଗବତ କଥା ଶ୍ରବଣ ପୂର୍ବକ ଜୀବିତ ହୋଇ ପୂର୍ବ କାହାଣୀ ମୁତାବକ ଶୁକଦେବ ରୂପେ ଜନ୍ମ ଗ୍ରହଣ କରିଥିଲେ।

ଏସବୁ କପୋଳ କଳ୍ପିତ ବୋଲି ବିଶ୍ୱାସ ହୋଇଥାଏ। ତେଣୁ ବ୍ରହ୍ମଜ୍ଞାନୀ, ଆଜନ୍ମ ଯୋଗୀ ପୁରୁଷ ଶ୍ରୀ ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଶ୍ରୀମଦ ଭାଗବତ ଜ୍ଞାନ ପ୍ରାପ୍ତି ପ୍ରସଙ୍ଗ ଆଜି ମଧ୍ୟ ରହସ୍ୟ ହୋଇ ରହିଛି ଓ ସେ ରହସ୍ୟର ଉନ୍ମୋଚନ ପାଇଁ ଗବେଷକ ମାନେ ଚେଷ୍ଟିତ ଅଛନ୍ତି। ଶ୍ରୀଜଗନ୍ନାଥ ଦାସ କହିଛନ୍ତି କୃଷ୍ଣ ଭକତି ହିଁ ସଂସା ରେ ସାର ଅଟେ।
ମୋର ଭକତି ବିନୁ ନର।
ନୁହଁଇ ଭବ ଜଳୁ ପାର।।
ଦୃଢ଼ ଭକତି ଯୋଗ ବଳେ।
ପଶେ ମୋ ଚରଣ କମଳେ।।
ଆସନ୍ତୁ ତେବେ ମହାମୁନି ଶୁକଦେବ ମହାରାଜଙ୍କ ପରି ଶ୍ରୀକୃଷ୍ଣ ଭକ୍ତିରେ ମଜ୍ଜିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.