Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୬୪: ଶ୍ରୀମଦ ଭାଗବତର ପ୍ରଚାର ପ୍ରସାରରେ ଶୁକଦେବଙ୍କ ଭୂମିକା ନିଶ୍ଚିତ ସ୍ୱୀକାର୍ଯ୍ୟ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଶୁକଦେବଙ୍କ ଜନ୍ମ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ଥିବା ସମୟରେ ଶିବପୁରାଣ, ଲିଙ୍ଗ ପୁରାଣ ଓ ପଦ୍ମକଳ୍ପ ଟୀକା ଭାଗବତରୁ ଆନିତ ପ୍ରଥମ କିମ୍ବଦନ୍ତୀଟି ଗ୍ରହଣୀୟ ହୁଏ ନାହିଁ। କାରଣ ଅନେକ ଗବେଷକ ମତ ଦିଅନ୍ତି ଯଦି ମୃତ ଶୁକ ପକ୍ଷୀଟି ଭାଗବତ ପ୍ରଭାଵରେ ଜୀବିତ ହୋଇଗଲା ତେବେ ଶିବଙ୍କ ଗଳାରେ ଥିବା ମୁଣ୍ଡ ମାଳା କାହିଁକି ଜୀବିତ ହେଲେ ନାହିଁ। ତେଣୁ ଏଵେ ଅନ୍ୟ କିମ୍ବଦନ୍ତୀ ଓ ପ୍ରମାଣ ଖୋଜିବା। ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଗୋଟିଏ ପଦ ଲେଖିଲେ “ଯେଣୁ ମୁଁ ଅରଣୀ ସମ୍ଭୁତ
ତେଣୁ ସେ ବ୍ୟାସ ମୋର ତାତ”

କୁହାଯାଏ ଏହା ଗର୍ଗସଂହିତା ଓ ଶାଣ୍ଡିଲ୍ୟ ସୂତ୍ର ସହିତ ସମ୍ପର୍କ ରଖି ଲିଖିତ, ଉପାଖ୍ୟାନଟି ଏହିପରି ନାରଦଙ୍କ ପ୍ରେରଣାରେ ମହର୍ଷି ବ୍ୟାସଦେବ ଶ୍ରୀମଦ ଭାଗବତ ରଚନା ଆରମ୍ଭ କଲେ, ସେହି ଭାଗବତଙ୍କର ପ୍ରଚାର ପ୍ରସାର ପାଇଁ ଉପଯୁକ୍ତ ପାତ୍ରଙ୍କ ଅନ୍ୱେଷଣରେ ରହି ଏକଦା ହୋମ କାଷ୍ଠ ସଂଗ୍ରହ ନିମନ୍ତେ ଅରଣୀ ମନ୍ଥନ କରୁଥିବା ସମୟରେ ଶିବ ଓ ପାର୍ବତୀଙ୍କ ଉପସ୍ଥିତି ଜାଣିପାରି ନିଜ ମନକଥା ବ୍ୟକ୍ତ କଲେ। ଶିବ ମଧ୍ୟ ବ୍ୟାସଦେବ ଏକ ଗୁଣି ଶିଷ୍ୟ ପ୍ରାପ୍ତ ହେବେ କହି ଚାଲିଗଲେ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-63-shukadeva-is-described-as-the-first-speaker-of-the-entire-bhagwat/

ସେହି ସମୟରେ ଘୃତିଚୀ ଅପସରା ସେହି ବନରେ ଉପସ୍ଥିତ ଥିଲେ, ଏବଂ ତାଙ୍କ ରୂପ ମାଧୁରୀ ଦେଖି ବ୍ୟାସଦେବଙ୍କ କାମ ବାସନା ଜାଗ୍ରତ ହେଲା। ସେ ଏତେ କାମ ମୋହିତ ହେଲେ ଯେ ତାଙ୍କର ବ୍ରହ୍ମ ରେତ ସ୍ପଳିତ ହେଲା, ଅଘଟଣ ଆଶଙ୍କା କରି ଅପସରା ଘୃତିଚୀ ଏକ ସ୍ତ୍ରୀ ଶୁକପକ୍ଷୀ ରୂପ ଧାରଣ ପୂର୍ବକ ଏକ ଶିଶୁକୁ ବ୍ୟାସଙ୍କୁ ଦେଇ ଚାଲିଗଲେ। ତାହାଙ୍କୁ ବ୍ୟସଦେବ ଆଶ୍ରମରେ ରଖି ଲାଳନ ପାଳନ କଲେ ଓ ଶୁକଦେବ ନାମ ପ୍ରଦାନ କଲେ , ଶୈଶବରୁ ପ୍ରଚଣ୍ଡ ବୈରାଗୀ ଥିବାରୁ ଉପନୟନ ସଂସ୍କାର ପୂର୍ବରୁ ସେ ଗୃହ ତ୍ୟାଗ କଲେ। ଏହାପରେ ସେ ଜନକ ମହର୍ଷିଙ୍କୁ ନିଜ ଗୁରୁ କଲେ। ବାରବର୍ଷ ଗୁରୁ ଆଶ୍ରମରେ ରହି ପୁନଃ ନିଜ ପିତା ବ୍ୟାସଦେବଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ। ସେଠାରେ ଭାଗବତ ରଚନା କାଳରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁରୀ ଶୁଣି ଏପରି ତନ୍ମୟ ହେଲେ ଯେ ବ୍ୟାସଦେବଙ୍କ ଠାରୁ ଭାଗବତ ଗ୍ରହଣ କରି ତାର ପ୍ରଚାର ଓ ପ୍ରସାର ପାଇଁ ମନ ବଳାଇଲେ।

ତାଙ୍କୁ ଷୋଳ ବର୍ଷ ବୟସ ବେଳକୁ ଗଙ୍ଗା କୂଳରେ ଶାପ ଗ୍ରସ୍ତ ପରୀକ୍ଷିତ ମହାରାଜାଙ୍କୁ ମୁନି ରୁଷିଙ୍କ ଗହଣରେ ଏହା ଶୁଣାଇ ମୁକ୍ତି ପଥ ପ୍ରଦାନ କଲେ। ଭାଗବତ କହେ
ଅଠର ହଜାର ଶ୍ଳୋକ ରେ।
ବ୍ୟାସ ଶୁକ ମୁନିଙ୍କୁ ଦେଲେ।।
ସେ ଶୁକଦେବ ଗଙ୍ଗା ତଟେ।
ରାଜାଙ୍କୁ ଋଷିଙ୍କ ନିକଟେ।।
ଶ୍ରୀଭାଗବତ ତତ୍ୱ ସାର।
ପରଷି ଦେଲେ ମୁନି ବର।।
ଏ ଭାଗବତ ଧର୍ମ ବାଣୀ।
ଯାହା ଶ୍ରବଣେ ତରେ ପ୍ରାଣୀ।।
ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତରେ ଯେତେ ବିଭିଦତ୍ତା ଥିଲେ ମଧ୍ୟ ଶ୍ରୀମଦ ଭାଗବତର ପ୍ରଚାର ପ୍ରସାରରେ ତାଙ୍କ ଭୂମିକା ନିଶ୍ଚିତ ସ୍ୱୀକାର୍ଯ୍ୟ। ତଥାପି ଶୁକମୁନିଙ୍କ ଭାଗବତ ଚର୍ଚ୍ଚାରେ ପଟୁତା କିପରି ହେଲା ସେ ବିଷୟରେ ଥିବା ଅନ୍ୟ ଏକ ରୋଚକ କାହାଣୀ ନିଶ୍ଚୟ ଆଉ ଏକ ଅଧ୍ୟାୟରେ ଜାଣିବା। ବର୍ତ୍ତମାନ ସେହି ପରମ ଶାସ୍ତ୍ର ଭାଗବତ ଚିନ୍ତନ କରିବା।
ଜୟ ଜଗନ୍ନାଥ
(ଡ଼. ତ୍ରି. ଉଵାଚ )

Comments are closed.