ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ବେଦାନ୍ତ ଦର୍ଶନ ଭିତରେ ରହିଛି ଅନେକ ସାମଞ୍ଜସ୍ୟ। ଯେପରି ଶ୍ରୀମଦ ଭାଗବତ ମହାପୁରାଣର ପ୍ରଥମ ଶ୍ଳୋକର ଆରମ୍ଭ ହୋଇଛି “ଜନ୍ମାଦସ୍ୟ ଯତଃ”, ସେହିପରି ବେଦାନ୍ତ ଦର୍ଶନ ବା ବ୍ରହ୍ମସୂତ୍ରର ଦ୍ଵିତୀୟ ସୂତ୍ରଟି ମଧ୍ୟ ଆରମ୍ଭ ହୋଇଛି “ଜନ୍ମାଦସ୍ୟ ଯତଃ”।
ତେବେ ଏହି “ଜନ୍ମାଦସ୍ୟ ଯତଃ”ଟିର ଅର୍ଥ କଣ? ଏହାର ପ୍ରକୃତ ଅର୍ଥ ହେଲା ଯାହାଙ୍କ ଠାରୁ ସୃଷ୍ଟି, ସ୍ଥିତି ଓ ପ୍ରଳୟ ସଂଗଠିତ ହୋଇଥାଏ ସେହି ପରମତତ୍ୱ ବା ବ୍ରହ୍ମ ତତ୍ୱ, ଏହା ବ୍ରହ୍ମଙ୍କୁ ଲକ୍ଷ୍ୟ କରି ପ୍ରୟୋଗ ହୋଇଛି।
କେବଳ ଏହି ପ୍ରଥମ ଶ୍ଳୋକଟିରେ ନୁହେଁ ସଂସ୍କୃତ ଭାଗବତ ଗ୍ରନ୍ଥର ଅନେକ ଶ୍ଳୋକରେ ବ୍ରହ୍ମ ସୂତ୍ରର ବିଭିନ୍ନ ଅଂଶ ଯୋଡି ହୋଇ ରହିଛି। ସବୁଠାରୁ ପ୍ରଣୀଧ୍ୟାନ ଯୋଗ୍ୟ କଥା ହେଲା ଶ୍ରୀମଦ ଭାଗବତ ଆରମ୍ଭରେ ଥିବା ମଙ୍ଗଳାଚରଣରେ ବ୍ରହ୍ମସୂତ୍ରର ଅନେକ ସୂତ୍ରର ପ୍ରୟୋଗ ହୋଇଛି। ସମଗ୍ର ଉପନିଷଦର ବ୍ରହ୍ମତତ୍ୱଙ୍କୁ
ବ୍ରହ୍ମସୂତ୍ରରେ ସୂତ୍ର ଆକାରରେ ଲେଖାଯାଇଛି ଏବଂ ଏହି ବ୍ରହ୍ମସୂତ୍ରର ବିଭିନ୍ନ ସୂତ୍ରକୁ ସଂସ୍କୃତ ଭାଗବତରେ ସ୍ଥାନିତ କରାଯାଇଛି ଶ୍ରୀମଦ ଭାଗବତ। ତେଣୁ ବେଦାନ୍ତ ତତ୍ୱରେ ପରିପୂର୍ଣ୍ଣ। କୁହାଯାଏ ସଂସ୍କୃତ ଭାଗବତରେ ବ୍ରହ୍ମସୂତ୍ର ସମୂହର ଅର୍ଥ ଓ ମହାଭାରତର ତତ୍ୱାର୍ଥ ବିଶେଷ ଭାବରେ ପ୍ରତିପାଦନ ହୋଇଛି ଶ୍ରୀମଦ ଭାଗବତ।
ଏହାମଧ୍ୟ ପଢନ୍ତୁ-https://odishasambad.in/shrimad-bhagwat-katha-66-srimad-bhagwat-is-the-essence-of-all-vedas/
ଏହାର ପ୍ରମାଣ ସ୍ୱରୂପ ଗୋଟିଏ ଶ୍ଳୋକ ରେ କହିଲେ “ଜ୍ଞାନଂ ପରମଗୁହ୍ୟଂ ମେ ଯତ ବିଜ୍ଞାନସମନ୍ବିତମ୍ ସରହସ୍ୟଂ ତଦଙ୍ଗ ଚ ଗୃହାଣ ଗଦିତଂ ମୟା “ଅର୍ଥାତ ହେ ବ୍ରହ୍ମନ! ମୁଁ ତୁମକୁ ଅତି ଗୁପ୍ତ ଜ୍ଞାନ, ବିଜ୍ଞାନ, ରହସ୍ୟ ଏବଂ ତାର ଅଙ୍ଗ ବିଷୟରେ କହୁଅଛି। ଏହି ଉକ୍ତି ସ୍ୱୟଂ ଭଗବାନ ବ୍ରହ୍ମାଙ୍କୁ ଚତୁଃଶ୍ଲୋଜରେ ଭାଗବତ ପ୍ରଦାନ କରିବା ପୂର୍ବରୁ କହିଥିଲେ, ତତ୍ପରେ ଭଗବାନ ବ୍ରହ୍ମାଙ୍କୁ ମାତ୍ର ଚାରିଟି ଶ୍ଳୋକରେ ସମ୍ପୂର୍ଣ୍ଣ ଅଦ୍ଵିତୀୟ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ ସେହି ଭାଗବତ ଗ୍ରନ୍ଥର ଦ୍ୱାଦଶ ସ୍କନ୍ଦରେ। ଏଣୁ କୁହାଯାଇଛି “ସର୍ବବେଦାନ୍ତ ସାରଂ ଯଦ ବ୍ରହ୍ମାତ୍ମେକତ୍ୱ ଲକ୍ଷଣମ୍, ବସ୍ତ୍ୱାଦ୍ଵିତୀୟଂ ତନ୍ନିଷ୍ଣଂ କୈଵଲେକ ପ୍ରୟୋଜନମ” ଅର୍ଥାତ ସର୍ବବେଦାନ୍ତ ସାର ରୂପେ ଯେଉଁ ବ୍ରହ୍ମଙ୍କର ଏକ ଓ ଅଦ୍ଵିତୀୟ ଲକ୍ଷଣକୁ ପ୍ରତିପାଦିତ କରାଯାଇଛି ତାହାର ପରିପ୍ରକାଶ ଭାଗବତ ରୂପୀ କୈବଲ୍ୟରେ ହୋଇଛି।
ସେଥିପାଇଁ ଜ୍ଞାନ, ଭକ୍ତି, ବୈରାଗ୍ୟ ସମନ୍ୱିତ ହୋଇ ଶ୍ରୀମଦ ଭାଗବତ ଗୋଟିଏ ମହାନ ଗ୍ରନ୍ଥରେ ପରିଣତ ହୋଇଛି କହିବାକୁ ଗଲେ ଭକ୍ତିରସ ଓ ଆଧ୍ୟାତ୍ମିକ ଜ୍ଞାନର ଏକ ସଫଳ ସମନ୍ୱୟ ଶ୍ରୀମଦ ଭାଗବତ ବିଶେଷତଃ ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ରେ ବେଦ, ଉପନିଷଦ ଓ ଦର୍ଶନ ଶାସ୍ତ୍ର ମାନଙ୍କର ଯେଉଁ ସରଳ, ତାତ୍ୱିକ ଓ ରାସଯୁକ୍ତ ବର୍ଣନା ରହିଛି ତାହା ମାନବ ଜୀବନର ଆଧାର ହୋଇ ପାରିଛି। ଆସନ୍ତୁ ତେବେ ନିଜ ଜୀବନକୁ ଭାଗବତ ଆଧାରରେ ସଜାଡି ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )
Comments are closed.