ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଶୁକଦେବ ମୁନିଙ୍କ ଜନ୍ମ ଓ ଭାଗବତ ପ୍ରାପ୍ତି ଯେମିତି ରସମୟ ଓ ରହସ୍ୟମୟ, ସେମିତି ଶ୍ରୀମଦ ଭାଗବତ ମଧ୍ୟ ଅନେକ ରହସ୍ୟ ଭରା ଓ ଭଗବତ ରସଯୁକ୍ତ ଅଟେ। ତେଣୁ ଶାସ୍ତ୍ର ବ୍ୟାଖ୍ୟାକାର ମାନେ ଏହାକୁ ସର୍ବବେଦାନ୍ତ ସାର ବୋଲି ଅଭିହିତ କରିଥାନ୍ତି। ସଂସ୍କୃତ ଭାଗବତ ଦ୍ଵାଦଶ ସ୍କନ୍ଦରେ ବ୍ୟାସଦେବ ନିଜେ ସ୍ୱୀକାର କରିଛନ୍ତି “ସର୍ବବେଦାନ୍ତସାର ହି ଶ୍ରୀଭାଗବତମିଷ୍ୟତେ, ତଦ୍ରସାମୃତ ତୃପ୍ତସ୍ୟ ନାନ୍ୟତ୍ର ସ୍ୟାଦ୍ରତି କ୍ଵଚିତ “।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-65-the-real-guru-of-shukadev-was-shriradha-herself/
ଅର୍ଥାତ ଶ୍ରୀଭାଗବତ ହିଁ ସର୍ବବେଦାନ୍ତ ସାର, ସେହି ଭାଗବତ ରସାମୃତ ପାନ କରି ଯେଉଁ ତୃପ୍ତି ଆସିଥାଏ ତାହା ଅନ୍ୟ ଶାସ୍ତ୍ର ରସରେ ନଥାଏ। କେହି କେହି ଶାସ୍ତ୍ରଜ୍ଞ ସର୍ବବେଦାନ୍ତ ଅର୍ଥ ସମସ୍ତ ଉପନିଷଦର ସାର ତତ୍ୱ ହିଁ ଶ୍ରୀଭାଗବତ ଗ୍ରନ୍ଥ ବୋଲି କହିଥାନ୍ତି କିନ୍ତୁ ଆକ୍ଷରିକ ଅର୍ଥ କଲେ ଜାଣିବା ବେଦର ଅନ୍ତ ବେଦାନ୍ତ ଅବା ବେଦ ଅନ୍ତ ହିଁ ବେଦାନ୍ତ ଏହା ଏପରି ବି ବୁଝିହୁଏ ଯେ ବେଦର ଅନ୍ତିମ ଭାଗ ହିଁ ବେଦାନ୍ତ। ଶାସ୍ତ୍ର ଅନୁସାରେ ବେଦ ଚାରି ଭାଗରେ ବିଭକ୍ତ ଯଥା
1.ମନ୍ତ୍ର ଭାଗ
2.ବ୍ରାହ୍ମଣ ଭାଗ
3.ଆରଣ୍ୟକ ଭାଗ
4.ଉପନିଷଦ ଭାଗ
ଏହି ରୂପେ ବିଚାର କଲେ ଶେଷଭାଗ ଅର୍ଥାତ ଉପନିଷଦର ସାର ତତ୍ୱ ହିଁ ଶ୍ରୀମଦ ଭାଗବତ। ଯଦି ସମସ୍ତ ଉପନିଷଦର ସାର ହେଉଛି ବ୍ରହ୍ମତତ୍ୱ ବା ସ୍ୱୟଂ ବ୍ରହ୍ମ ତେବେ ଏହାର ଏକତ୍ୱ ରୂପ ବା ଅଦ୍ଵିତୀୟ ସ୍ୱରୂପ ହିଁ ସତ ତତ୍ୱ ଯାହା ଶ୍ରୀମଦ ଭାଗବତଙ୍କର ପ୍ରତିପାଦ୍ୟ ବିଷୟ । ସେଥିପାଇଁ ପ୍ରଥମେ ଆମେ ଆଲୋଚନା କଲେ “ସତ୍ୟଂ ପରମଂ ଧୀମହୀ “ଉପନିଷଦ ରେ ବେଦ ଙ୍କର ଜ୍ଞାନ ଭାଗ ହିଁ ଆଲୋଚିତ ହୋଇଛି ଆତ୍ମା, ପରମାତ୍ମା, ଜୀବ ଓ ବ୍ରହ୍ମର ସମସ୍ତ ରହସ୍ୟ ଉପନିଷଦରେ ରହିଛି। ଏହି ସର୍ଵବେଦାନ୍ତ ସାର ସ୍ୱରୂପ ଅଦ୍ଵିତୀୟ ବ୍ରହ୍ମ ଜ୍ଞାନ କୁ ସ୍ୱୟଂ ନାରାୟଣ ବ୍ରହ୍ମାଙ୍କୁ ଚାରୋଟି ଶ୍ଳୋକରେ ପ୍ରଦାନ କରିଥିଲେ ଓ ଏହାହିଁ ଥିଲା ଶ୍ରୀମଦ ଭାଗବତଙ୍କର ପ୍ରଥମ ସ୍ୱରୂପ।
ପରେ ଏହା ଅଠର ହଜାର ଶ୍ଳୋକରେ ପରିପ୍ରକାଶ କଲା। ତେଣୁ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ କହିଲେ “ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ “ଶ୍ରୀମଦ ଭାଗବତ ହିଁ ଭଗବାନଙ୍କର ଶବ୍ଦମୟ ସ୍ୱରୂପ। ଭଗବତ ତତ୍ୱର ରସପୁର୍ଣ୍ଣ ଗ୍ରନ୍ଥ ହିଁ ଭାଗବତ। ବେଦ- ବେଦାନ୍ତର ସାର ତତ୍ୱ ଧାରଣ କରିଥିବା ଗ୍ରନ୍ଥ ହିଁ ଭାଗବତ। ଆହୁରି ଆଗକୁ ଏହି ଆଲୋଚନା ଜାରି ରଖିବା କିନ୍ତୁ ସ୍ୱୟଂ ଶବ୍ଦବ୍ରହ୍ମ ସ୍ୱରୂପ ଏହି ଭାଗବତଙ୍କୁ ନିତି ଆରାଧନା କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.