ଶ୍ରୀ ଭାଗବତ ସାର ୭୩: ବେଦ ସହିତ ଜୈନ ଓ ବୌଦ୍ଧ ଧର୍ମର ମତ ମିଶାଇ ସେଥିରେ ବୈଷ୍ଣବ ଚିନ୍ତାଧାରାର ଅପୂର୍ବ ପ୍ରୟୋଗ କରାଯାଇଛି
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ (ଓଡ଼ିଆ )ରଚନା ସମୟରେ ଶ୍ରୀଜଗନ୍ନାଥ ଦାସ କେବଳ ସଂସ୍କୃତ ଭାଗବତ ଶ୍ଳୋକ ଗୁଡିକର ଅକ୍ଷରିକ ଅନୁବାଦ କରି ନାହାନ୍ତି ଅନେକ ସ୍ଥଳରେ ବିଷୟବସ୍ତୁର ସୁକ୍ଷ୍ମ ପରିବର୍ତ୍ତନ, ଭାଵ ସଂପ୍ରସାରଣ, ଭାବ ସଂକ୍ଷେପଣ ଓ ଭାବ ପରିସ୍ଫୁଟନ କରି ଓଡ଼ିଆ ଭାଗବତକୁ ସୁନ୍ଦଶ, ସାବଲୀଳ ଓ ରୁଦ୍ଧିମନ୍ତ କରିଛନ୍ତି।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-72-this-world-belongs-to-god/
ସଂସ୍କୃତ ଭାଗବତରେ ଲିଖିତ କଠିନ ଦର୍ଶନ ତତ୍ୱ ଗୁଡିକ ଓଡ଼ିଆରେ ଅନୁବାଦ କରିବା ସମୟରେ ମୌଳିକ ଭାବଧାରାକୁ ଅକ୍ଷୁର୍ଣ୍ଣ ରଖି ସ୍ୱକୀୟ ଭାବଧାରା ପ୍ରୟୋଗ କରି ଖୁବ ସରଳ ଓ ସର୍ବଜନବୋଧ କରିଛନ୍ତି। ସେ ସମୟର ସାମାଜିକ ସ୍ଥିତି ଅନୁଯାୟୀ ଏକ ସାମ୍ୟବାଦ ପ୍ରତିଷ୍ଠାର ସଂକଳ୍ପ ନେଇ ଅତି ସରଳ ପଦ ରଚନା ଓଡ଼ିଆ ଭାଗବତର ଛତ୍ରେ ଛତ୍ରେ ମିଳେ, ଯେପରି ଏକାଦଶ ସ୍କନ୍ଦରେ ଉଦ୍ଧବଙ୍କୁ ଶ୍ରୀକୃଷ୍ଣ ଦେଇଥିବା ବାର୍ତ୍ତା
ମୁଁ ନିରାଳମ୍ବ ନିରାଧାରେ।
ବସଇ ସକଳ ଶରୀରେ।।
ସ୍ଵଭାବେ ମୁଁହି ବିଶ୍ୱ ରୂପୀ।
ଦେଖ ଗଗନେ ଯେହ୍ନେ ବ୍ୟାପୀ।।
ଏଣୁ ମୁଁ ସର୍ବ ଭୁତେ ଥାଇ ।
ପର ଅପର ମୋର ନାହିଁ।।
ଏ ଘେନି ସକଳ ସମାନେ।
ଦେଖ ତୁ ପ୍ରେମ-ତତ୍ୱ ଜ୍ଞାନେ।।
ବ୍ରlହ୍ମଣ କ୍ଷତ୍ରୀ ବୈଶ୍ୟ ଶୁଦ୍ର।
ପତିତ ଚଣ୍ଡାଳ ବା କ୍ଷୁଦ୍ର।।
ସର୍ବ ସମାନ ଦେଖ ଚିତ୍ତେ।
ଶୁଣ କହିବା କିଛି ତୋତେ।।
ଅଗ୍ନି କଣିକା ବଡ଼ ସାନ।
ଅନଳୁ ନୁହଁଇ ସେ ଆନ।।
ମୁଁହି ବସଇ ସର୍ବ ଭୁତେ।
ଏମନ୍ତ ଦେଖୁଥିବ ନିତ୍ୟେ।।
ଏହାଠାରୁ ବଳି ସାମ୍ୟବାଦ ପ୍ରଚାର ଆଉ ଅଧିକ କଣ ହୋଇପାରିବ? ସାମାଜିକ ସଂସ୍କାରର ବାର୍ତ୍ତା ମଧ୍ୟ ଖୁବ ସ୍ପଷ୍ଟ ଓ ଶାଣିତ ହୋଇଛି ଯଥା
ପଶୁ ମାରଣେ କର୍ମ ଯେତେ।
କେବେ ହେଁ ନ କଳ୍ପିବ ଚିତ୍ତେ।।
କରିବ ବେଦ ଅଧ୍ୟୟନ।
ସ୍ୱାଦ୍ଧା ଯେ ସ୍ୱାହା ବଳି ଅନ୍ନ।।
ଏସବୁ ଲକ୍ଷ୍ୟ କଲେ ଜଣାଯାଏ ଶ୍ରୀ ଜଗନ୍ନାଥ ଦାସ ବେଦ ସହିତ ଜୈନ ଓ ବୌଦ୍ଧ ଧର୍ମର ମତ ମିଶାଇ ସେଥିରେ ବୈଷ୍ଣବ ଚିନ୍ତାଧାରାର ଅପୂର୍ବ ପ୍ରୟୋଗ କରିଛନ୍ତି। ସମାଜରେ ପ୍ରଚଳିତ ଜାତିଭେଦ ସ୍ପୃଶ୍ୟ-ଅସ୍ପୃଶ୍ୟ ବିଚାର ତଥା ବଳି ପ୍ରଥାର ଘୋର ବିରୋଧ ଆଦି ସଂସ୍କାର ବାର୍ତ୍ତା ଶ୍ରୀମଦ ଭାଗବତକୁ ଆହୁରି ଉନ୍ନତ ଓ ମହିମମାନ କରିଛି। ଆସନ୍ତୁ ଏହି ଅମୂଲ୍ୟ ଚିନ୍ତାଧାରାର ଭାବକୁ ନିଜ ଭିତରେ ଧାରଣ କରିବା ଓ ନିୟମିତ ଭାବରେ ଭାଗବତ ପଠନ ଓ ଆଲୋଚନା କରିବା ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.