ଶ୍ରୀ ଭାଗବତ ସାର ୭୨: ଦେବତାମାନେ ମନ୍ତ୍ରର ଅଧୀନ, ସେହି ମନ୍ତ୍ର ବ୍ରାହ୍ମଣ ମାନଙ୍କ ଅଧୀନ; ତେଣୁ ବ୍ରାହ୍ମଣମାନେ ହିଁ ଦେବତା
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତକୁ ଶ୍ରୀଜଗନ୍ନାଥ ଦାସ ରଚନା କରିବା ସମୟରେ ଓଡିଶା ତଥା ଶ୍ରୀକ୍ଷେତ୍ରର ସାମାଜିକ ସ୍ଥିତି ଏକ ପ୍ରକାର ଭାବମୟ ଥିଲା। ତନ୍ତ୍ର ପରମ୍ପରାର ପ୍ରବେଶ ଘଟି ସାରିଥିଲା। ତଥାପି ଶ୍ରୀଜଗନ୍ନାଥ ଦାସ ଶ୍ରୀ ରାମାନୁଜଙ୍କ ମତ ଅନୁସାରେ ଈଶ୍ୱର, ଭଗବାନ ଓ ବ୍ରହ୍ମଙ୍କୁ ଏକ ବୋଲି ବିଶ୍ୱାସ କରୁଥିଲେ। ସମସ୍ତ ଅଶୁଭ ଗୁଣ ମୁକ୍ତ ତଥା ସମସ୍ତ ଶ୍ରେଷ୍ଠ କଲ୍ୟାଣ ଗୁଣ ଯୁକ୍ତ ଶ୍ରୀପୁରୁଷୋତମ ହିଁ ପରଂବ୍ରହ୍ମ। ଏହି ମତ ଅନୁସାରେ ସେ ସମୟରେ ମୂର୍ତ୍ତି ବା ବିଗ୍ରହ ପୂଜାକୁ ସମର୍ଥନ କରି ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଦରେ ସୁନ୍ଦର ବର୍ଣ୍ଣନା
ଦାରୁ ପାଷାଣ ଧାତୁମୟୀ।
ଲେପ ଲେଖନା ମଣିମୟୀ।।
ବାଲୁକା ମୟୀ କଳା ମୟୀ।
ଏମନ୍ତ ପ୍ରତିମା ଭିଆଇ।।
ଏ ଅଷ୍ଟ ପ୍ରକାର ପ୍ରତିମା।
ସୁନ୍ଦର ସ୍ୱରୂପ ଉତ୍ତମା।।
ଏ ବେନି ମୂର୍ତ୍ତି ଚଳା ଚଳ।
ବିଷ୍ଣୁ ପୂଜାର ମନ୍ଦିର।।
ନିର୍ମାଣ କରି ବିଷ୍ଣୁ ରୂପେ।
ନିଶ୍ଚଳେ ପୂଜିବ ସମୀପେ।।
ମୂଳ ସଂସ୍କୃତ ଭାଗବତରେ ମଧ୍ୟ ଶୈଳୀ ଦାରୁମୟୀ, ଲୌହୀଲେପ୍ୟା ଲେଖ୍ୟାଚ ସୈକତି, ମନୋମୟୀ, ମଣିମୟୀ, ପ୍ରତିମାଷ୍ଟବିଧା ସ୍ମୃତା ” ବର୍ଣ୍ଣନା ରହିଛି। ସେସମୟରେ ବିଷ୍ଣୁ ସ୍ୱରୂପରେ ଶାଳଗ୍ରାମ ଶିଳା ଓ ଶିବ ହିସାବରେ ଶକ୍ତି ଯୁକ୍ତ ଲିଙ୍ଗ ସ୍ୱରୂପ ଶିଳା ବିଗ୍ରହଙ୍କ ପ୍ରତିଷ୍ଠା ହୋଇଛି। ଏହି ସବୁ ପ୍ରତୀକ ଭାବରେ ପୂଜା ପାଉଥିବା ସମୟରେ ଏହି ପ୍ରତୀକକୁ ପ୍ରତିମାରେ ପରିଣତ କରି ବିଭିନ୍ନ ପ୍ରତିମା ପୂଜା ଆରମ୍ଭ ହୋଇଥିଲା। ତେଣୁ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣନାରେ ଭାଗବତ ସମ୍ପୂର୍ଣ୍ଣ ନ୍ୟସ୍ତ ଥିବା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ମଧ୍ୟ କିଛି କିଛି ରଚନା ମିଳେ। ସମ୍ଭବତଃ ଶ୍ରୀ ଚୈତନ୍ୟଙ୍କ ବିଶ୍ୱାସ ଅନୁସାରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଶ୍ରୀକୃଷ୍ଣ ବିରାଜମାନ ଏହାକୁ ଶ୍ରୀଜଗନ୍ନାଥ ଦାସ ଗ୍ରହଣ କରିଛନ୍ତି। ସେସମୟରେ ସାରଳା ଦାସ, ବଳରାମ ଦାସ, ଓ ଶ୍ରୀଜଗନ୍ନାଥ ଦାସ ସେମାନଙ୍କ ରଚନାରେ ବିଶେଷତଃ “ସ୍ତ୍ରୀ ଓ ଶୁଦ୍ରଜନଙ୍କ ହିତ ପାଇଁ ବାର୍ତ୍ତା ଦେଇଛନ୍ତି ଓ ଅନେକ ବିରୋଧର ସମ୍ମୁଖୀନ ହୋଇଛନ୍ତି।
କାରଣ ସେ ସମୟରେ ବ୍ରାହ୍ମଣ ମାନଙ୍କୁ ଦେବତା ହିସାବରେ ମାନୁଥିଲେ। ଯଥା “ଦେବାଧୀନ ଜଗତ ସର୍ବଂ, ମନ୍ତ୍ରାଧୀନଂଚ ଦେବତା, ତାନ ମନ୍ତ୍ର ବ୍ରାହ୍ମଣାଧୀନଂ ବ୍ରାହ୍ମଣା। ମମ ଦେବତା। ” ଅର୍ଥାତ ଦେବତାଙ୍କ ଅଧୀନ ଏ ଜଗତ, ଦେବତା ମାନେ ମନ୍ତ୍ରର ଅଧୀନ, ସେହି ମନ୍ତ୍ର ବ୍ରାହ୍ମଣ ମାନଙ୍କ ଅଧୀନ, ତେଣୁ ବ୍ରାହ୍ମଣମାନେ ହିଁ ଦେବତା। ଏହି ଚିନ୍ତାଧାରାକୁ ବିରୋଧ କରି ଶ୍ରୀଜଗନ୍ନାଥ ଦାସ ସର୍ବଜନ ହିତରେ ଏହି ଭାଗବତ ରଚନା କରିଛନ୍ତି। ଆସନ୍ତୁ ନିଜ ହିତ ପାଇଁ ଏହାର ଆରାଧନା କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.