ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚା ଭିତରେ ଯେଉଁ ସବୁ ପୁଣ୍ୟ ସ୍ଥଳି ମାନଙ୍କ ନାମ ଆସେ ସେ ମଧ୍ୟରେ” ନୈମିଷାରଣ୍ୟ ” ଅନ୍ୟତମ। କାରଣ ଏହାର ନାମକରଣ ଓ ଉତ୍ପତି ରହସ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ। ଆହୁରି ହୃଦୟ ଛୁଆଁ ଏହାର ପାବନ ପ୍ରକୃତିର ସମାହାର। ମହାତ୍ମା ଶୌନକ ମଧ୍ୟ ଆଦେଶ ଦେଲେ କେବଳ ବ୍ରହ୍ମଚାରୀ ଓ ନୈଷ୍ଠୀକ ବ୍ରତଧାରୀ ମୁନି ଋଷି ମାନେ ଏହି ପାବନ ପବିତ୍ର ବନରେ ଅବସ୍ଥାନ କରନ୍ତୁ।
ଏଠାରେ ପବିତ୍ର ଗୋମତୀ ନଦୀ ପ୍ରବାହିତ ହେଉଛି, ତେଣୁ ମୁନି ଋଷି ମାନେ ସ୍ନାନ ସାରି ପରଂବ୍ରହ୍ମଙ୍କ ଆରାଧନା କଲେ ଓ ନିଜ ନିଜ ପାଇଁ ପର୍ଣ୍ଣ କୁଟୀର ନିର୍ମାଣ କଲେ। ଏକ ବିରାଟ ସମତଳ ଯାଗା ପ୍ରସ୍ତୁତ କରି ଯଜ୍ଞ ବେଦୀର ସ୍ୱରୂପ ଦିଆଗଲା। ବିଶାଳ ବଟ ବୃକ୍ଷ ତଳେ ଶାସ୍ତ୍ର ଆଲୋଚନା ପାଇଁ ଏକ ମଣ୍ଡପ ନିର୍ମିତ୍ତ ହେଲା। ଅଳ୍ପ ଦିନ ମଧ୍ୟରେ ସେହି ଶୂନଶାନ ବନଭୂମି ଅପରୂପ ଦେବଭୂମିରେ ପରିଣତ ହୋଇଗଲା। ଏହି ବାର୍ତ୍ତା ସର୍ବତ୍ର ପ୍ରଚାରିତ ହେବା ପରେ ଧୀରେ ଧୀରେ ମୁନି ଋଷି ମାନଙ୍କ ଆଗମନ ହେଲା ଓ ସେହି ନୈମିଷାରଣ୍ୟରେ ସମୁଦାୟ ଅଠା ଅଶି ହଜାର ନୈଷ୍ଠୀକ ମୁନି ଋଷିଙ୍କ ସମାଗମ ହୋଇଗଲା।
ସମସ୍ତ ମୁନି ଋଷି ମାନେ ମହର୍ଷି ଶୌନକଙ୍କୁ ନିଜର କୂଳପତି ଭାବେ ନିର୍ବାଚିତ କଲେ। ତାଙ୍କରି ଉପଦେଶ ଅନୁସାରେ ଶାସ୍ତ୍ରୀୟ ଵିଧି ବିଧାନ ସହ ସହସ୍ରବର୍ଷ ବ୍ୟାପି ମହାଯଜ୍ଞର ପରିକଳ୍ପନା ହେଲା ଓ ସମସ୍ତେ ଶପଥ କରି ଦୀକ୍ଷା ଗ୍ରହଣ କଲେ। ପ୍ରଥମ ଯଜ୍ଞଟି ବାର ବର୍ଷ କାଳ ଚାଲିଲା ଓ ଏହାର ଭଵ୍ୟତା ଓ ପବିତ୍ରତା ଯୋଗୁ ସିଦ୍ଧ, ଚାରଣ, ଦେବ, ଗନ୍ଧର୍ବ, ଯକ୍ଷ ଇତ୍ୟାଦି ସେ ଯଜ୍ଞ ସ୍ଥଳରେ ପହଁଚିଲେ। ଏହାର ଶୋଭ ବର୍ଣନା ସହିତ ମହାନତା ବର୍ଣିତ ଏକ ଅବୋଧ ଭାଷାର ଉଦାହରଣ ଏଠାରେ ଦେଉଛି।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-91-the-appropriate-place-for-discussing-shrimad-bhagwat-is-naimisaranya/
ଯଜ୍ଞଭୂମି ପାୱନ ପରମ ସବ ୱଧି ସୁଖଦ ଶରଣ୍ୟ , ଶୌନକାଦି ସୁଖତେ ବସ ହିଁ ନାମ ନୈମିଷାରଣ୍ୟ”
ଇତିହାସ କହେ ଏହା ଖ୍ରୀଷ୍ଟ ପୂର୍ବ ୨୪୧୧ ସମୟର କଥା, କଳି ଯୁଗ ପ୍ରବେଶ ହୋଇ ସାରିଥିଲା ଏବଂ ଏହି କଳି ଯୁଗ ପ୍ରଭାବରୁ ମୁକ୍ତି ପାଇଁ ଶୌନକ ଆଦି ମୁନି ଋଷି ମାନେ ନିଜ ନିଜ ଆଶ୍ରମରେ ପାଳିତ ଗୋରୁ ମାନଙ୍କ ଠାରୁ ସଂଗୃହିତ ଘୃତରେ ଯଜ୍ଞ ଅନୁଷ୍ଠାନ କରିବାକୁ ଲାଗିଲେ। ସଂସ୍କୁତ ଭାଗବତରେ ବର୍ଣନା ଅଛି “ନୈମିଷେ ନିମିଷକ୍ଷେତ୍ରେ ରୁଷୟଃ ଶୌନକାଦୟଃ, ସକ୍ରଂ ସ୍ବର୍ଗାୟ ଲୋକାୟ ସହସ୍ରସମମାସତ।
ତ ଏକଦା ତୁ ମୁନୟ ପ୍ରାତହୃତ ହୁତାଗ୍ନୟଃ ସକୃତ ସୂତମାସିନଂ ପ୍ରପଛୁରିଦମାଦରାତ।।”
ଆଗାମୀ ଅଧ୍ୟାୟରେ ଜାଣିବା କିପରି ଶ୍ରୀ ସୂତ ମୁନିଙ୍କ ଦ୍ୱାରା ହରି କଥା ବା ଭାଗବତ ଚର୍ଚ୍ଚାର ଆରମ୍ଭ ହେଲା। ବର୍ତ୍ତମାନ ସେହି ପରମ ଶାସ୍ତ୍ର ଭାଗବତଙ୍କୁ ଚିନ୍ତନ ପୂର୍ବକ କହିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.