ଭୁବନେଶ୍ୱର: ରାଜଧାନୀସ୍ଥିତ ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଅଭିଯୁକ୍ତ ପୁରୁଷ ବନ୍ଧୁକୁ ରିମାଣ୍ଡରେ ଆଣିବ କମିସନରେଟ ପୋଲିସ। କୋର୍ଟରେ ତିନି ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା। କୋର୍ଟ କିନ୍ତୁ ଦୁଇ ଦିନ ପାଇଁ ଚିତ୍ତରଞ୍ଜନ ଓରଫ ବାବୁନାକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଆଜି ଖାରବେଳନାଗର ଥାନାକୁ ଆସିବ ବାବୁନା। ଏହି ସମୟରେ ଆତ୍ମହତ୍ୟା ମାମଲାର ବିଭିନ୍ନ ଦିଗ ଉପରେ ଜେରା କରିବ ପୋଲିସ। ନିକଟରେ ଏହି ଘଟଣାରେ ସିନ ରିକ୍ରିଏସନ କରିଥିଲା ପୋଲିସ।
ଶୁଭଶ୍ରୀ ଆତ୍ମହତ୍ୟା କରିବାକୁ କାହିଁକି ନିଷ୍ପତ୍ତି ନେଲେ, ଚିତ୍ତରଞ୍ଜନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କୁ ଉସକାଇବା ଭଳି କିଛି କାମ କରିଛନ୍ତି କି ଚିତ୍ତରଞ୍ଜନ? କାହିଁକି ଗିରଫ ଅଭିଯୁକ୍ତ ପ୍ରମାଣ ନଷ୍ଟ କଲେ ଏବେ ଏସବୁର ପ୍ରମାଣ ଖୋଜିବ ପୋଲିସ। ସେହିପରି ରିମାଣ୍ଡ ସମୟରେ ଟ୍ୟୁସନ ଶିକ୍ଷୟିତ୍ରୀଙ୍କ ଭୂମିକା ମଧ୍ୟ କଣ ରହିଥିଲା ସେ ନେଇ ଜେରା କରିବ ପୋଲିସ। ଆବଶ୍ୟକ ପଡ଼ିଲେ ଟିଉସନ ଶିକ୍ଷୟତ୍ରୀ ଏବଂ ବାବୁନାଙ୍କୁ ପୋଲିସ ମୁହାଁମୁହିଁ ଜେରା କରିବ ବୋଲି ସୂଚନା ରହିଛି । ପୂର୍ବରୁ ଟିଉସନ ଶିକ୍ଷୟତ୍ରୀଙ୍କୁ ଜେରା କରିଥିଲା ପୋଲିସ। ତେବେ ଉଭୟଙ୍କ ବୟାନ ଓ ତଥ୍ୟରେ କୌଣସି ତାଳମେଳ ରହୁନଥିବାରୁ ପୋଲିସ ଏହି ଦୁଇ ଜଣଙ୍କ ଉପରେ ସନ୍ଦେହ କରିଛି।
ଉଲ୍ଲେଖଯୋଗ୍ୟ, ଗତ ୩୦ ତାରିଖ ଦିନ ଶାସ୍ତ୍ରୀନଗରରେ ଶୁଭଶ୍ରୀଙ୍କ ଝୁଲନ୍ତା ମୃତ ଦେହ ଜବତ କରିଥିଲା ପୋଲିସ। ଶୁଭଶ୍ରୀଙ୍କ ସ୍ୱାମୀ ଏହାକୁ ହତ୍ୟା ବୋଲି କହିଥିଲେ। କେହି ଜଣେ ହତ୍ୟା କରି ତାଙ୍କ ପତ୍ନୀଙ୍କୁ ଝୁଲାଇ ଦେଇଥିବା ସେ ଅଭିଯୋଗ କରିଥିଲେ। ପୋଲିସ କିନ୍ତୁ ତଦନ୍ତ କରିବା ବେଳେ ପରକୀୟା ପ୍ରୀତିର ଏହା କୁପରଣତି ବୋଲି ଜାଣିବାକୁ ପାଇଛି। ଶୁଭଶ୍ରୀ ନୟାଗଡର ଝିଅ । ସେ ଯଦିଓ ବିବାହ କରିଥିଲେ ଅନନ୍ତ ନାରାୟଣ ନାଥଙ୍କୁ ହେଲେ ତାଙ୍କ ବାପ ଘର ଅଞ୍ଚଳର ବାବୁନା ସହ ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ଅନନ୍ତ ଏ ବାବଦରେ ଜାଣିନଥିଲେ। ହେଲେ କୌଣସିକାରଣରୁ ବାବୁନା ଏବଂ ଶୁଭଶ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥିଲା। ଆଉ ଶୁଭଶ୍ରୀ ବାବୁନାକୁ କୌଣସି ପ୍ରକାରେ ଛାଡିବାକୁ ଚାହୁଁନଥିଲେ ବୋଲି ଜଣାପଡିଛି।
Comments are closed.