Latest Odisha News

BREAKING NEWS

‘କୋଶଳ’ରାଜ୍ୟ ଦାବି, ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ

ସୋନପୁର/କଳାହାଣ୍ଡି/ନୂଆପଡା/ଝାରସୁଗୁଡା: କିଛି ଦିନର ନିରବତା ପରେ ପରେ ପୁଣିଥରେ ପଶ୍ଚିମ ଓଡ଼ିଶାରେ ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ’କୋଶାଲ’ ଦାବି ଜୋର ଧରିଛି। ପ୍ରାୟ ୧୧ଟି ଜିଲ୍ଲାରେ ଲୋକେ ଏହାକୁ ନେଇ ଆଜି ଧାରଣାରେ ବସିଛନ୍ତି।

ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଲୋକେ ଧାରଣା ଦେବା ସହ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି। ସେହିପରି ଆନ୍ଦୋଳନକାରୀମାନେ ଆଜି ବିଭିନ୍ନ ସରକାରୀ ଅଫିସ ସାମ୍ନାରେ ବ୍ୟାନର ଧରି ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ବନ୍ଦ ଯୋଗୁ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଅଧିକାଂଶ ସ୍ଥାନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।

କୋଶଳ ମୁକ୍ତି ମୋର୍ଚ୍ଚାର ଆହ୍ୱାନରେ ପଶ୍ଚିମ ଓଡିଶା ବନ୍ଦ ଡାକରାରେ ଆଜି ନୂଆପଡା ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଉଛି । ଦଳିତ ଅଧିକାର ମଞ୍ଚ ସମର୍ଥନରେ ଖଡ଼ିଆଳ ବିଧାନସଭା ମଣ୍ଡଳୀର ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ କୋମନା ଓ ନୂଆପଡା ବ୍ଲକରେ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟ ମାନେ ବନ୍ଦ ପାଳନ କରିଛନ୍ତି।

ଏହି ବନ୍ଦ କୁ ସଫଳ କରିଥିବାରୁ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି ସମସ୍ତ ଖଡ଼ିଆଳର ବ୍ୟବସାୟୀ, ନାଗରିକ, ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକଙ୍କୁ ଧନ୍ୟବାଦ ଦେଇଛନ୍ତି। ପୂର୍ବାଞ୍ଚଳ ସରକାର କୋଶଲଞ୍ଚଳକୁ ବିରୋଧ କରି ଥିବା ବେଳେ ଏହି ଅଞ୍ଚଳର ରାଜସ୍ବକୁ ମଧ୍ୟ ଅଞ୍ଚଳର ବିକାଶରେ ଖର୍ଚ୍ଚ କରିବା କଥା। ସରକାରଙ୍କ ବୈମାତୃକ ମନୋଭାବ, ପାତର ଅନ୍ତର ନୀତିକୁ ବିରୋଧ କରି କୋଶଲ ରାଜ୍ୟ ଆମ ହକ ବୋଲି ଦାବି କରିଛନ୍ତି।

କଳାହାଣ୍ଡିରେ ବି ବନ୍ଦର ପ୍ରଭାବ ଦେଖାଦେଇଛି।ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଭବାନୀପାଟଣା ନକଟିଗୁଡା, ଘୋଡ଼ାଘାଟ ଛକ ଓ କଲେଜ ଛକରେ ଆନ୍ଦୋଳନକାରୀ ମାନେ ରାସ୍ତା ଜାମ କରି ଗାଡି ମଟର ବନ୍ଦ କରିଛନ୍ତି। କେସିଙ୍ଗାରେ ବି ବନ୍ଦ ପ୍ରଭାବ ଫଳରେ ସବୁ ଦୋକାନ ବଜାର ,ଗାଡି ମଟର ବନ୍ଦ ରହିଛି।ବନ୍ଦ ଯୋଗୁଁ ଯାତ୍ରୀ ମାନେ ହଇରାଣ ହରକତ ହେବାର ଦେଖାଦେଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ରହିଛି। ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ୧୨ଘଣ୍ଟିଆ କୋଶଳ ମହାବନ୍ଦ ପାଳନ କରାଯାଉଛି। କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ।

ସକାଳୁ ସକାଳୁ ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରି ବନ୍ଦ କରିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଥିବା ଦେଖାଯାଇଛି । ସହରର ସବୁ ଦୋକାନ, ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଆଦି ବନ୍ଦ ଥିବା ବେଳେ ସ୍କୁଲ, କଲେଜ ଆଦି ବନ୍ଦ ରହିଛି। ଏହି ବନ୍ଦରେ ସବୁ ସରକାରୀ , ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି।

ତେବେ ଝାରସୁଗୁ଼ଡାରେ ଆନ୍ଦୋଳନ ସେତେଟା ଦେଖିବାକୁ ମିଳିନି । କୋଶଳ ସେନାର ସଦସ୍ୟମାନେ ଝାରସୁଗୁଡା ସହରର ବସ ଷ୍ଟାଣ୍ଡ ଛକ, ପ୍ରସନ୍ନ ପଣ୍ଡା ଛକ, ବେଦାନ୍ତ ଫାଟକରେ ରହି ବନ୍ଦ ଡାକରାରେ ସାମିଲ ରହିଥିଲେ । ପ୍ରସନ୍ନ ପଣ୍ଡା ଛକରେ ଟ୍ରକ ଓ ଗାଡି ଅଟକ ରଖି ନାରାବାଜି ଦେଉଥିଲେ । ପୋଲିସ ସମସ୍ତ ସ୍ଥାନରେ ପହଁଚି କୋଶଲ ସେନାର ୪୦ ରୁ ୪୫ କର୍ମୀ ମାନଙ୍କୁ ଗିରଫ କରଛି। ଫଳରେ ବନ୍ଦର ପ୍ରଭାବ ପଡି ନଥିବା ଜଣାପଡ଼ିଛି।

କୋଶଳ ରାଜ୍ୟ ନାଁରେ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ସାହିତ୍ୟର ’କୋଷୀକରଣ’ ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ସମ୍ବଲପୁରର କେତେକ ସ୍ଥାନରେ ବନ୍ଦ ଡାକରାକୁ ବିରୋଧ କରି ଲୋକେ ବାହାରିଥିଲେ।

‘ଆମ ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ କେହି ଚାପି ଦେବାକୁ ଦେବେ ନାହିଁ। ଏଭଳି ଉଦ୍ୟମକୁ ଆମେ ତୀବ୍ର ନିନ୍ଦା କରୁଛୁ ବୋଲି ସମ୍ବଲପୁରର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି‘।

ଆମ ସଂସ୍କୃତି ଓ ପରମ୍ପରା ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି; କିନ୍ତୁ ଆମେ କାହାକୁ ଏଭଳି କୁତ୍ସିତ ପ୍ରୟାସରେ ସଫଳ ହେବାକୁ ଦେବୁ ନାହିଁ। ଆମେ ଏହା ପାଇଁ ଲଢ଼େଇ ଜାରି ରଖିବୁ ବୋଲି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।

Leave A Reply

Your email address will not be published.