Latest Odisha News

BREAKING NEWS

ଗଜପତି ମହାରାଜାଙ୍କୁ ଶ୍ରୀଜୀଉଙ୍କ ସୁସ୍ଥତା ସନ୍ଦେଶ ଦେଲେ ଦଇତାପତି ସେବାୟତ

ପୁରୀ: ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜୀଉ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଦଇତାପତି ସେବକମାନଙ୍କ ସେବା ଶୁଶ୍ରୁଷା ପରେ ସୁସ୍ଥ ହୋଇଛନ୍ତି । ଶ୍ରୀଜୀଉଙ୍କ ସୁସ୍ଥତା ସୁସମ୍ବାଦ ଦଇତାପତି ସେବାୟତ ମାନେ ଆଜି ଗଜପତି ମହାରାଜାଙ୍କୁ ଜଣାଇବା ସହ ଅଣବସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ କରିଛନ୍ତି । ଏଥିସହ ଆଗାମୀ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ଭାବେ ସମାପନ ହେବ ସେନେଇ ଦଇତାପତି ମାନେ ଗଜପତିଙ୍କ ସହ କଥା ହୋଇଛନ୍ତି ।

ଅତ୍ୟଧିକ ସ୍ନାନ ପରେ ଜରରେ ପୀଡ଼ିତ ଶ୍ରୀଜୀଉ ସୁସ୍ଥ ହୋଇଛନ୍ତି । ଅଣବସର ଦ୍ୱାଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଜୀଉଙ୍କ ସୁସ୍ଥତା ସନ୍ଦେଶ ଦେଇଛନ୍ତି ଦଇତାପତି ସେବାୟତ । ଶ୍ରୀଅଙ୍ଗରେ ଲାଗି ପ୍ରସାଦକୁ ଅର୍ପଣ କରାଯାଇଛି ଗଜପତି ମହାରାଜାଙ୍କୁ । ଏଥିସହ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତ ଗଜପତି ମହାରାଜ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥିଲା ରାଜପ୍ରସାଦ ବିଜେ ନୀତି ।

ବର୍ଷ ତମାମ୍ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ପାଟଡ଼ୋର ସହ ଅଣବସର ସମୟରେ ଲାଗି ହୋଇଥିବା ଚନ୍ଦନ, କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତାପତି ଓ ପତିମହାପାତ୍ର ସେବାୟତ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ସେମାନେ ଶ୍ରୀନହରରେ ପହଞ୍ଚିବା ପରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ଅର୍ପଣ କରିଥିଲେ ।

ପଞ୍ଚମୀ ତିଥିରେ ଫୁଲୁରି ତେଲ, ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି, ଦଶମୀରେ ଚକାବିଜେ, ଦଶମୂଳମୋଦକ ଓ ଚନ୍ଦନ ଲାଗି ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହ ଅତ୍ୟଧିକ ଜଳରେ ସ୍ନାନ ଯୋଗୁଁ ଜରରେ ପୀଡ଼ିତ ହୋଇ ଅଣବସର ଘରେ ରହିଛନ୍ତି । ୧୫ ଦିନ ଧରି ମହାପ୍ରଭୁଙ୍କ ଏହି ଗୁପ୍ତସେବାର ପୂଜା ଚାଲିଥାଏ । ତେବେ ସୁସ୍ଥ ହେବା ପରେ ମହାପ୍ରଭୁଙ୍କୁ ଘଣାଲାଗି ଓ ବନକ ଲାଗି କରାଯିବ । ଆସନ୍ତା ୨୯ ତାରିଖରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଅନ୍ୟପଟେ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପୁରୀ ପୋଲିସ ପକ୍ଷରୁ ନଜର ଦିଆ ଯାଇଛି । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବା କାର୍ଯ୍ୟ ଚାଲିଛି । ରଥଯାତ୍ରା ସମୟରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଗ୍ରୀନ୍ କରିଡର ସୃଷ୍ଟି କରାଯିବ । ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି ଠାରୁ ଆରମ୍ଭ କରି ରଥଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଟି ବ୍ୟବସ୍ଥାକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ତତ୍ପର ଥିବା ଏସପି ସୂଚନା ଦେଇଛନ୍ତି ।

ରଥଯାତ୍ରା ସମୟରେ ଏକ ହଜାର ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅସ୍ଥାୟୀ ସେଡ୍ କରାଯାଉଛି । ସେଠାରେ ରାତ୍ରୀ ଯାପନ ପାଇଁ ସବୁ ପ୍ରକାର ସୁବିଧା କରାଯାଉଛି । ଏଥିସହିତ ଷ୍ଟେସନରେ ମଧ୍ୟ ଭକ୍ତଙ୍କ ରହଣି ଓ ପ୍ରତୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଉପଜିଲ୍ଲାପାଳ । ଆଉ ମାତ୍ର ୫ ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Leave A Reply

Your email address will not be published.