Latest Odisha News

BREAKING NEWS

ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର: ଦୁବାଇରେ ଫସିଛନ୍ତି ଅସୁସ୍ଥ ଓଡ଼ିଆ ଯୁବକ ବାଇଧର ଘଡ଼ାଇ। ପରିବାର ଲୋକ ତାଙ୍କୁ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି। ଏନେଇ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରପଡ଼ା ଜିଲ୍ଲାର ପନ୍ତୁରୀ ଗାଁର ବାଇଧର ଘଡ଼ାଇ ନିଜ ସମ୍ପର୍କୀୟ ଦେବ କୁମାର ଘଡ଼ାଇଙ୍କ ଜରିଆରେ କାମ ପାଇଁ ଦୁବାଇକୁ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ୫ମାସ ହେବ କାମ କରି ଆସୁଥିଲେ। ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସିତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅଧିକ ଯନ୍ତ୍ରଣା ହେବାରୁ ସେହି କମ୍ପାନୀରୁ ବାଇଧର ଇସ୍ତଫା ଦେଇ ଭାରତ ଫେରିଆସିବାକୁ ସ୍ଥିର କଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଚାକିରିରୁ ଅବ୍ୟାହିତ ଓ ବକେୟା ଦରମା ଦେଉନଥିବା ପରିବାର ଲୋକଙ୍କୁ ସେ ଜଣାଇଥିଲେ। ସେପଟେ ବାଇଧରଙ୍କ ପାଖରେ ଟଙ୍କା ନଥିବାରୁ ଭୋକ ଉପାସରେ ଦିନ ବିତୁଛି।

ବାଇଧରଙ୍କ ପିତା ନିରାକାର ଘଡ଼ାଇ ପୁଅକୁ ଘରକୁ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପରେ ଶ୍ରୀ ପଣ୍ଡା ଦୁବାଇରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏହି ବିଷୟରେ ଅବଗତ କରାଇଥିଲେ। ଏହାସହ ତୁରନ୍ତ ପଦକ୍ଷେପ ନେଇ ବାଇଧରଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସହ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.