Latest Odisha News

କାହିଁକି ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କଲେ ଏକନାଥ ସିନ୍ଦେ?

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଦୁଇଟି କାରଣ ତାଙ୍କୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବିରୋଧରେ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା। ଗୋଟିଏ ହେଲା ଏନସିପି ପରୋକ୍ଷରେ ଶିବସେନାକୁ ଦୁର୍ବଳ କରିବା ଏବଂ ଅନ୍ୟଟି ତାଙ୍କୁ ଉଦ୍ଧବ ଠାକରେ ଦେଖା ନଦେବା ଏବଂ ନଶୁଣିବା । ତେଣୁ ସେ ବିଜେପିକୁ ପୁରୁଣା ମିତ୍ର ଭାବି ସରକାର ଗଢିବାକୁ ପ୍ରୟାସ କଲେ ବୋଲି କହିଛନ୍ତି । ତେଣୁ ଉଦ୍ଧବ ଗୋଷ୍ଠୀର ବିଧାୟକ କୌଣସି ବିଧାୟକ କୋର୍ଟ ଯିବା ଉଚିତ ନୁହେଁ ବୋଲି ‘ଦ ନ୍ୟୁୟ ଇଣ୍ଡିଆନ ଏକପ୍ରେସ’କୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି ।

ସେ କହିଛନ୍ତି, ଅଢ଼େଇ ବର୍ଷରୁ ଅଧିକ ସମୟ ଆମେ ମହାବିକାଶ ଅଘାଡ଼ିରେ ଥିଲୁ। କିନ୍ତୁ ଏହି ମେଣ୍ଟରେ ରହିବା ପରେ ତୃଣମୂଳ ସ୍ତରରେ ଆମେ ଆମର ସ୍ଥିତି ହରାଇଥିଲୁ । ଅପରପକ୍ଷରେ ୨୦୨୪ରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏନସିପି ମନ୍ତ୍ରୀମାନେ ନିଜର ପତିଆରା ବିସ୍ତାର କରିବା ଆରମ୍ଭ କରିଥିଲେ । ଏସବୁ ସତ୍ତ୍ୱେ ଆମ ଦଳରେ କୌଣସି ରଣନୀତି ନଥିଲା। ତେଣୁ ଆମେ କିଭଳି ଆଗମୀ ଦିନରେ ବଞ୍ଚିବା ତାହା ବ୍ୟଥିତ କରିଥିଲା। ଦଳର ନେତୃତ୍ୱକୁ ପାଞ୍ଚ ଥର ଭେଟିଥିଲି । କିନ୍ତୁ ଏହାର ପ୍ରଭାବ କିଛି ନଥିଲା। ଦଳକୁ ବଞ୍ଚାଇବା ପାଇଁ ଚିନ୍ତା କରୁଥିଲି। ତେଣୁ ଆମେ ୪୦ ଜଣ ଏକାଠି ହୋଇ ନିଷ୍ପତ୍ତି ନେଇଥିଲୁ ଯେ, ଆମେ ଆମର ମୂଳ ସହଯୋଗୀ ବିଜେପି ସହ ମେଣ୍ଟ କରିବୁ।

ତେବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚାପରେ ପଡି ବିଜେପି ସହ ମେଣ୍ଟ କରିବା  ଅଭିଯୋଗର କୌଣସି ସତ୍ୟତା ନାହିଁ। କେବଳ ଦୁଇ-ତିନି ଜଣ ବିଧାୟକ, ଯେଉଁମାନେ କେନ୍ଦ୍ରୀୟ ଏଜେନ୍ସିର ନଜରରେ ରହିଛନ୍ତି। ବାକିଙ୍କ ସହିତ ଇଡି କିମ୍ବା ଅନ୍ୟ କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସମ୍ପର୍କ ନାହିଁ।

ଏମଭିଏରେ ମୁଖ୍ୟମନ୍ତ୍ରୀ ହେବାକୁ ଦାବିଦାର ଥିଲି। କଂଗ୍ରେସ ଏବଂ ଏନସିପି ବିରୋଧ କରିବାରୁ ଏହି ପଦରେ ଉଦ୍ଧବ ଠାକରେ ବସିଥିଲେ। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ଯଦିଓ ଦିଆଯାଇଥିଲା କିନ୍ତୁ ଅନେକ ଲୋକ ହସ୍ତକ୍ଷେପ କରୁଥିଲେ। ଏହାପରେ ନିକଟରେ ହୋଇଥିବା ବିଧାନ ପରିଷଦ ନିର୍ବାଚନ ପାଇଁ ମଧ୍ୟ ମୋର ପରାମର୍ଶ ନିଆଯାଇନଥିଲା।

ଖାଲି ସେତିକି ନୁହେଁ ବାଲାସାହେବ କେବେ ମହିଳାଙ୍କ ବିରୋଧରେ କୌଣସି କାମ କରନ୍ତିନି । ଏହାପରେ ବି ନିକଟରେ ଏମଭିଏ ସରକାର ମହିଳା ବିଧାୟକଙ୍କୁ ଅପମାନିତ କରିଥିଲା। ଯାହାକୁ ବାଲା ସାହେବ ଠାକରେ ବରଦାସ୍ତ କରିନ୍ତିନି। ସେହିପରି ରାଜନୀତିରେ ଘମାସାନ ବେଳେ ଗୋଟିଏ ପଟେ ଦଳୀୟ ନେତୃତ୍ୱ ଆମ ସହ ଆଲୋଚନା କରିବାକୁ ଅନୁରୋଧ କରୁଥିଲା ଅନ୍ୟପଟେ କିଛି ଦଳୀୟ ନେତା ବିଧାୟକଙ୍କ ଘର ଉପରେ ଆକ୍ରମଣ କରିବା ସହ ପୋଷ୍ଟର ଓ ବ୍ୟାନର ଚିରି ଉପହାସ କରୁଥିଲେ।

ସେହିପରି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଥିଲେ, ୬ ମାସ ମଧ୍ୟରେ ସିନ୍ଦେ ସରକାର ଭାଙ୍ଗିଯିବ। ଯାହାର ଜବାବ ରଖିବାକୁ ଯାଇ ଏକନାଥ କହିଛନ୍ତି, ମୁଁ ତାଙ୍କ ଦଳ ସହ କାମ କରିଛି। ଗୋଟିଏ କଥା ଆମେ ବୁଝିବା ଦରକାର ଯେ ପାଓ୍ୱାର ଯାହା କୁହନ୍ତି, ଠିକ୍ ଓଲଟା ହୁଏ। ତେଣୁ ଆମ ସରକାର ଶୀଘ୍ର ଭାଙ୍ଗିବ ନାହିଁ। ଆମେ ନିଶ୍ଚିତ ଯେ ଶିବସେନା ଓ ବିଜେପି ଆଗାମୀ ନିର୍ବାଚନରେ ୨୦୦ରୁ ଅଧିକ ବିଧାୟକ ନିର୍ବାଚିତ ହେବେ ।

Comments are closed.