Latest Odisha News

ଆଜିଠାରୁ ଆରମ୍ଭ ପବିତ୍ର ଶ୍ରାବଣ ମାସ, ଜାଣନ୍ତୁ କାଉଡ଼ିଆ ଯାତ୍ରାର ମହତ୍ତ୍ୱ

ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ । ଏହି ମାସଟି ବର୍ଷର ସବୁଠାରୁ ଶୁଭ ମାସ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ଏହି ମାସଟି ଦେବ ଦେବ ମହାଦେବଙ୍କୁ ସମର୍ପିତ । ଶିବ ଭକ୍ତମାନେ ଏହି ମାସକୁ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି । ଅବିବାହିତ ଝିଅ ମାନେ ଏହି ମାସର ମଙ୍ଗଳବାରରେ ମା ମଙ୍ଗଳାଙ୍କୁ ପୁଜାର୍ଚ୍ଚନା କରି ମନଲାଖି ବର କାମନା କରିଥାନ୍ତି ।

ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସର ପ୍ରତ୍ୟକ ସୋମବାର କାଉଡ଼ିଆ ଯାତ୍ରା ହୁଏ । କାଉଡି଼ଆ ଯାତ୍ରାର ଇତିହାସ ଭଗବାନ ପର୍ଶୁରାମଙ୍କ ସମୟ ସହିତ ଜଡିତ । ପର୍ଶୁରାମ ଭଗବାନ ଶିବଙ୍କ ଅଂଶ ଥିବା ସହ ତାଙ୍କର ସର୍ବଶେଷ୍ଠ ଭକ୍ତ ଥିଲେ। ଥରେ କାଉଡି଼ଆ ନେଇ ପର୍ଶୁରାମ ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ନିକଟ ‘ପୁରା ମହାଦେବ’ ମନ୍ଦିରକୁ ଯାଇଥିଲେ। ସେଠାରେ ଥିବା ଗଢମୁକେଶ୍ୱରରୁ ଗଙ୍ଗା ଜଳ ନେଇ ଶିବଙ୍କୁ ଜଳାଭିଷେକ କରିଥିଲେ, ସେତେବେଳେ ଶ୍ରାବଣ ମାସ ଚାଲିଥିଲା। ସେବେଠାରୁ ଶ୍ରାବଣ ମାସରେ କାଉଡି଼ଆ ଯାତ୍ରା ନେଇ ପରମ୍ପରା ଆରମ୍ଭ ହୋଇଥିଲା । ଶ୍ରାବଣ ମାସ ସୋମବାରେ ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଏହି ମାସରେ ଶିବ ଭକ୍ତମାନେ କାଉଡି଼ଆ ଯାତ୍ରାରେ ଯାଇଥାଆନ୍ତି ।

ବିଶ୍ୱାସ କରାଯାଏ ଯେ, ଶ୍ରାବଣ ମାସରେ ଯେଉଁମାନେ କାଉଡି଼ଆ ଯାତ୍ରାରେ ଯାଇ ଭୋଳାଶଙ୍କରଙ୍କ ଉପରେ ଜଳାଭିଷେକ କରନ୍ତି ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ କାହିଁ କେତେ ଦୂରରୁ କାଉଡ଼ିଆ ଭକ୍ତ ମାନେ ଆସି ମହାଦେବଙ୍କ ଉପରେ ଜଳଲାଗି କରିଥାଆନ୍ତି । ଏହି ଯାତ୍ରା ସମୟରେ କାଉଡ଼ିଆ ମାନେ କାଉଡ଼ିକୁ ଭୂମିରେ ରଖନ୍ତି ନାହିଁ । ଅଧିକାଂଶ କାଉଡ଼ିଆ ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧନ୍ତି । କୌଣସି ପବିତ୍ର ନଦୀରୁ ଜଳ ଉଠାଇ ଶିବଙ୍କ ଉପରେ ଜଳଲାଗି କରିବା ପରେ ସେମାନଙ୍କର ଯାତ୍ରା ସମାପ୍ତ ହୋଇଥାଏ ।

ଏଥର ଶ୍ରାବଣ ମାସ ଅତ୍ୟନ୍ତ ଶୁଭ ସମୟରେ ପଡୁଛି | କୁହାଯାଉଛି ଯେ, ଦୀର୍ଘ ୧୯ ବର୍ଷ ପରେ ଏବର୍ଷ ଶ୍ରାବଣ ମାସରେ ଏପରି ଶୁଭ ସଂଯୋଗ ପଡିବାକୁ ଯାଉଛି । ଏଥର ୪ ଜୁଲାଇରୁ ଆରମ୍ଭ ହେଉଛି ଶ୍ରାବଣ ମାସ। ଶ୍ରାବଣର ପ୍ରଥମ ସୋମବାର ୧୦ ଜୁଲାଇରେ ପଡୁଛି । ଏହିଥର ଶ୍ରାବଣ ଦୁଇ ମାସ ଅର୍ଥାତ ୫୯ ଦିନ ଯାଏଁ ରହିବ । ତେବେ  ଏବର୍ଷ ଶିବ ଭକ୍ତମାନେ ୮ ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି କରିପାରିବେ। ପାଣି ଭାର ନେବା ପାଇଁ କାଉଡିଆଙ୍କ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହା ୪ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟରେ ଶେଷ ହେବ। ଅଧିକାଂଶ  ଶ୍ରାବଣ ମାସର ଆରମ୍ଭ ୧୮ ଜୁଲାଇରୁ ଆରମ୍ଭ ହୋଇ  ଅଗଷ୍ଟ ୧୬ରେ ଶେଷ ହୋଇଥାଏ | ତେବେ ଏବର୍ଷ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଶ୍ରାବଣ ୨ ମାସ ପଡୁଛି ।

Comments are closed.