ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।
ବିଶେଷତ୍ୱ:
ଆଷାଢ଼ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା’ନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ “ମେଘଦୂତ’ ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିିପି ଓ ଇତିକଥା । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା’ ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା’ ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା’ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥି ପାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ ।
Comments are closed.