Latest Odisha News

BREAKING NEWS

ଭାରତର ଭ୍ୟାକ୍ସିନ୍ କୂଟନୀତି, ଫେଲ୍ ମାରୁଛି ସେରମ !

ନୂଆଦିଲ୍ଲୀ: ଭାରତର ଭ୍ୟାକ୍ସିନ କୂଟନୀତିକୁ ଝଟକା ! ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତିନି ଗୋଟି ରାଷ୍ଟ୍ରକୁ ଚିଠି ଲେଖିଛି । ଆଗାମୀ ମାସରେ ଭ୍ୟାକ୍ସିନ୍ ଯୋଗାଣ କରିବା ନେଇ ଅସମର୍ଥତା ଦର୍ଶାଇଛି ସେରମ । ବିଦେଶକୁ ଭ୍ୟାକ୍ସିନ୍ ରପ୍ତାନୀ ନେଇ ଥିବା ନୀତି ଏବଂ ଅନ୍ୟ ଦେଶର ଭ୍ୟାକ୍ସିନ୍ ଆବଶ୍ୟକତା ଦେଖି ସେରମ ଏଭଳି ଚିଠି ଲେଖିଛି ।

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମୁଖ୍ୟ ଅଦର ପୁନୱାଲା ବ୍ରାଜିଲ୍, ମୋରୋକୋ ଏବଂ ସାଉଦି ଆରବକୁ ଚିଠି ଲେଖିଛନ୍ତି । ଭ୍ୟାକ୍ସିନ୍ ପଠାଇବାରେ ବିଳମ୍ବ ନେଇ ଜଣାଇଛନ୍ତି । ବ୍ରାଜିଲ୍ ୨୦ ମିଲିୟନ୍ କୋଭିଡ୍ ଟିକା ପାଇଁ ଅର୍ଡର ଦେଇଥିବା ବେଳେ ମାତ୍ର ୪ ମିଲିୟନ୍ ଭ୍ୟାକ୍ସିନ୍ ପାଇଛି । ସେହିଭଳି ମୋରୋକୋ ୨୦୨୦ ଅଗଷ୍ଟରେ ୨୦ ମିଲିୟନ୍ ଭ୍ୟାକ୍ସିନ୍ ନେଇ ଚୁକ୍ତି କରିଥିବା ବେଳେ ପାଇଛି ୭ ମିଲିୟନ୍ ଭ୍ୟାକ୍ସିନ୍ । ସାଉଦି ଆରବ ୨୦ ମିଲିୟନ୍ ଡୋଜ୍ ଲାଗି ଅର୍ଡର ଦେଇଥିବା ବେଳେ ମିଳିଛି ୩ ମିଲିୟନ୍ ଡୋଜ୍ ।

ଏହାଛଡ଼ା ସେରମ୍ ଅତିରିକ୍ତ ଭାବେ ସରକାରଙ୍କ ଛଡ଼ା ଆଷ୍ଟ୍ରାଜେନକା ସହ ଚୁକ୍ତି କରିଛି । ଉକ୍ତ ଅତିରିକ୍ତ ଯୋଗାଣକୁ ନିଶ୍ଚିତ କରିବା ଲାଗି ସେରମ୍ ଉତ୍ପାଦନ ମଧ୍ୟ ବୃଦ୍ଧି କରିଥିବା କହିଛି । କିଛିଦିନ ତଳେ ସେରମର ପୁରୁଣା ବିଲ୍ଡିଂରେ ନିଆଁ ଲାଗିଥିଲା । ଏହା ମଧ୍ୟ ଭ୍ୟାକ୍ସିନ୍ ଉତ୍ପାଦନ ଓ ଯୋଗାଣକୁ ପ୍ରଭାବିତ କରିଛି ।

ତେବେ, ଜାନୁଆରୀରେ ଅଗ୍ନିକାଣ୍ଡ ପରେ ସେରମର ମୁଖ୍ୟ ଅଦର ପୁନୱାଲା କହିଥିଲେ- ଏହା ଭ୍ୟାକ୍ସିନ୍ ଉତ୍ପାଦନକୁ ପ୍ରଭାବିତ କରିବ ନାହିଁ । ନିଆଁ ନୂତନ ଭାବେ ନିର୍ମାଣାଧୀନ ବିଲ୍ଡିଂରେ ଲାଗିଛି । ଅଗ୍ନିକାଣ୍ଡ ଘଟିଥିବା କୋଠାରେ କୌଣସି ଭ୍ୟାକ୍ସିନ୍ ଉତ୍ପାଦନ ହେଉନାହିଁ । ଆମେ ଭାଗ୍ୟବାନ ଯେ ନିଆଁ ଲାଗିଥିବା ବିଲ୍ଡିଂରେ ଭ୍ୟାକ୍ସିନ୍ ନାହିଁ । ଏଥିସହ ୧ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ନେଇ ସୂଚନା ଦେଇଥିଲେ ପୁନୱାଲା । ଅଗ୍ନିକାଣ୍ଡରେ ଟିକା ଉତ୍ପାଦନ ପ୍ରଭାବିତ ହୋଇନଥିବା ଏବଂ ଗଚ୍ଛିତ ଭ୍ୟାକ୍ସିନ୍ ସୁରକ୍ଷିତ ଥିବା କୁହାଯାଇଥିଲା ।

ଏବେ ସେରମ ଅନେକ ଦେଶ ସହ ଭ୍ୟାକ୍ସିନ୍ ଯୋଗାଣ ନେଇ କରିଥିବା ଚୁକ୍ତି ଏବଂ ଯୋଗାଣରେ ବିଳମ୍ବ ହେଉଛି । ଅନେକ ଦେଶ ଭ୍ୟାକ୍ସିନ୍ ପାଇଁ ଅର୍ଥ ଦେଇ ସାରିଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି । କୂଟନୀତିଜ୍ଞଙ୍କ ଅନୁସାରେ ଏହା ଆଗାମୀ ଦିନରେ ରାଜନୀତିକ ସମସ୍ୟା ସୃଷ୍ଟି କରିବ ।

ବ୍ରାଜିଲରେ ଦୈନିକ କରୋନା ମୃତ୍ୟୁ ୩୦୦୦ ପାଖାପାଖି ରହିଛି । ଭ୍ୟାକ୍ସିନର ଚାହିଦାକୁ ଦେଖି ବ୍ରାଜିଲ୍ ଚୀନଠାରୁ ୪ ମିଲିୟନ୍ ଭ୍ୟାକ୍ସିନ୍ ନେଇଛି । ବ୍ରାଜିଲର ନିଜସ୍ୱ ଭ୍ୟାକ୍ସିନ୍ ମେ ସୁଦ୍ଧା ଆସିଯିବ ବୋଲି ଆଶା ରହିଛି । ମୋରୋକୋ ସେରମର କୋଭିସିଲ୍ଡ ଭ୍ୟାକ୍ସିନ୍ ଲୋକଙ୍କୁ ଦେବା ନେଇ ଯୋଜନା କରିଥିବା ବେଳେ ଏବେ ବନ୍ଦ ରହିଛି । ଏବେ ଯାଏ ଭାରତ ୮୧.୫୫ ଲକ୍ଷ ଭ୍ୟାକ୍ସିନ୍ ମାଗଣା ଦେଇଥିବା ବେଳେ ୩୪୧.୬୭ ଲକ୍ଷ ଡୋଜ୍ ବାଣିଜ୍ୟିକ ଭାବେ ରପ୍ତାନୀ କରିଛି ।

Leave A Reply

Your email address will not be published.