ପୁରୀ: ଏମାର ମଠରୁ ବାହାରି ଥିବା ରୂପା ଇଟାକୁ କେଉଁଠି ରଖାହେବ ସେନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରୁପା ଇଟା ଏମାର ମଠର ସମ୍ପତ୍ତି । ସିଦ୍ଧ ମଠର ଜଜମେଣ୍ଟ ଅନୁଯାଇ ମଠର ସମ୍ପତ୍ତି ଜଗନ୍ନାଥଙ୍କର । ସେହି ଦୃଷ୍ଟିକୋଣରୁ ଏମାର ମଠର ସମସ୍ତ ସ୍ବାଧିକାର ସତ୍ତ୍ୱ ଶ୍ରୀ ଜଗନ୍ନାଥଙ୍କର ହେବା କଥା । ସେ ବାବଦରେ ଆଇନଗତ ପ୍ରକ୍ରିୟା ରହିଛି, ତାକୁ ଦୂର କରିବା ପାଇଁ ପଦକ୍ଷେପ ନିଆଯିବ। ଆମେ ଚାହୁଁଛୁ ଏବଂ ସମସ୍ତଙ୍କର ଇଚ୍ଛା ରହିଛି ରୁପା ଇଟାକୁ ରତ୍ନଭଣ୍ଡାରକୁ ଅଣାଯାଉ ।
ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଥିଲେ, ଏମାର ମଠରୁ ଉଦ୍ଧାର ହୋଇଥିବା ରୁପା ଇଟା ମାମଲା ହାଇକୋର୍ଟରେ ଅଛି । ସେହିପରି ପୋଲିସ ବାରାକରେ ଥିବା ଏମାର ମଠରୁ ଉଦ୍ଧାର ରୁପା ଇଟା କିଭଳି ମହାପ୍ରଭୁଙ୍କ ଅଧୀନକୁ ଆସିବ ସେ ନେଇ ଆଲୋଚନା ଚାଲିଛି । ନିୟମ ଅନୁସାରେ ରୁପା ଇଟା ଅଣାଯିବା ପାଇଁ ପ୍ରକ୍ରିୟା କରିବ ଶ୍ରୀମନ୍ଦିର ପ୍ରଶାସନ ।
ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାର ଗଣତିମଣତି ନେଇ ଖୁବଶୀଘ୍ର ଏସଓପି ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ । ସେ କହିଛନ୍ତି, ମାର୍ଗଦର୍ଶିକା ଆସିବା ପରେ ରତ୍ନଅଳଙ୍କାର ଗଣତିମଣତି ତାରିଖ ଧାର୍ଯ୍ୟ ହେବ । ସବୁ ଅଳଙ୍କାରର ଡିଜିଟାଲାଇଜେସନ୍ ପାଇଁ ଯୋଜନା କରାଯାଇଛି । ଏଥି ସହିତ ୧୯୭୮ର ଗଣତି ସହ ଅଳଙ୍କରକୁ ମେଳ କରାଯିବ ।
Comments are closed.