Latest Odisha News

BREAKING NEWS

ରୂପା ନିବେଶକଙ୍କ ପ୍ରଥମ ପସନ୍ଦ;ଚଳିତବର୍ଷ ଏଯାଏଁ ଦେଲାଣି ୧୧% ରିଟର୍ଣ୍ଣ

ଭୁବନେଶ୍ବର:ପୁଞ୍ଜି ବଜାରରେ ଅନିଶ୍ଚିତତା ମଧ୍ୟରେ ରୂପା ଏକ ଆକର୍ଷଣୀୟ ବିନିଯୋଗ ବିକଳ୍ପ ପାଲଟିଛି । ଚଳିତ ବର୍ଷ ଏହା ପ୍ରାୟ ୧୧% ରିଟର୍ଣ୍ଣ ଦେଇଛି । ବିଶେଷଜ୍ଞ ଅନୁସାରେ ରୂପା ଆଗାମୀ ୨-୩ବର୍ଷ ମଧ୍ୟରେ ନିବେଶକମାନଙ୍କୁ ଆହୁରି ଭଲ ରିଟର୍ଣ୍ଣ ଦେଇପାରେ ।

ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ସୁନା ଅପେକ୍ଷା ରୂପାର ମୂଲ୍ୟରେ ଅଧିକ ପରିବର୍ତ୍ତନ ହୁଏ। ଏହାର କାରଣ ହେଉଛି ଏହି ଧାତୁ ଇନଭେଷ୍ଟମେଣ୍ଟ ଆସେଟ ସହ ଶିଳ୍ପ କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ ।  ଏହା ସୁନା ଅପେକ୍ଷା ଅଧିକ ସୁଲଭ ଅଟେ, ଯାହା ଛୋଟ ନିବେଶକମାନଙ୍କ ପାଇଁ କିଣିବା ସହଜ କରିଥାଏ ।

ମେହତା ଇକ୍ୟୁଟିଜ୍ ଲିମିଟେଡର ଉପାଧ୍ୟକ୍ଷ ରାହୁଲ କଲନ୍ତ୍ରୀ କହିଛନ୍ତି ଯେ, ଦେଶରେ ରୂପାର ଫ୍ୟୁଚର ମୂଲ୍ୟ ୧୭.୫୦ ପ୍ରତିଶିତ ବଢିଛି । ଏହା ବିଗତ ୧୦ ବର୍ଷରେ ହାରାହାରି ରିଟର୍ଣ୍ଣ ୯.୫୬ ପ୍ରତିଶତ ଠାରୁ ଅଧିକ । ଗତ ଦୁଇ ବର୍ଷ ମଧ୍ୟରେ ଏହା ମଜବୁତ ପ୍ରଦର୍ଶନ କରିଛି ଏବଂ ଚଳିତ ବର୍ଷ ମଧ୍ୟ ଏହା ୧୧ ପ୍ରତିଶତ ବୃଦ୍ଧି ପାଇଛି ।

ଆହୁରି ମଧ୍ୟ ସେ କହିଛନ୍ତି, ରୂପା ମୂଲ୍ୟରେ ବୃଦ୍ଧି ହେବାର କାରଣ ହେଉଛି ଆମେରିକାରେ ସୁଧ ହାରରେ ହ୍ରାସ, ଯାହା ମୂଲ୍ୟବାନ ଧାତୁକୁ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଆକର୍ଷିତ କରିଛି। ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନରେ ନୀତିଗତ ଅନିଶ୍ଚିତତା ତଥା ବିଶ୍ବସ୍ତରରେ ଉତ୍ତେଜନା ବୃଦ୍ଧି ଭଳି କାରଣ ମଧ୍ୟ ଏହାର ମୂଲ୍ୟ ବୃଦ୍ଧି କରୁଛି। ଏହା ସହିତ କ୍ରମାଗତ ଦ୍ୱିତୀୟ ବର୍ଷ ରୂପା ପାଇଁ ଶିଳ୍ପ ଚାହିଦା ବଳବତ୍ତର ରହିଛି ।

 

 

 

 

Comments are closed.