Latest Odisha News

BREAKING NEWS

ସିମ୍‌ ବକ୍ସ ଜବତ ଘଟଣା: ମାଷ୍ଟର ମାଇଣ୍ଡ ଜଣଙ୍କ ହେଉଛନ୍ତି ବାଂଲାଦେଶୀ ନାଗରିକ

ଭୁବନେଶ୍ୱର: ଭୁବନେଶ୍ବରରୁ ଜଣେ ସନ୍ଦିଗ୍ଧଙ୍କ ଘରୁ ସିମ୍‌ ବକ୍ସ ଜବତ ଘଟଣାରେ ବଡ଼ ଖୁଲାସା କଲା କମିସନରେଟ ପୋଲିସ l ଏହି ସିମ ବକ୍ସକୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିବା ନେଇ ସୂଚନା ଦେଇଛନ୍ତି କମିସନରେଟ ପୋଲିସ l ପୋଲିସର କହିବା ଅନୁସାରେ, ସାଧାରଣତଃ ସାଇବର ଫ୍ରଡ୍‌, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ସିମ ବକ୍ସ ବ୍ୟବହୃତ ହୁଏ l ମାତ୍ର ଏହି ସିମ ବକ୍ସ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ତାହା ଏଯାବତ ଜଣାପଡ଼ିନି l ତେବେ ମାଷ୍ଟର ମାଇଣ୍ଡ ଜଣଙ୍କ ହେଉଛନ୍ତି ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ l ବେଙ୍ଗଲର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ବ୍ୟବହାର କରୁଥିଲା ମାଷ୍ଟର ମାଇଣ୍ଡ l

କମିସନରେଟ ପୋଲିସ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଅକ୍ଟୋବର ୨୧ରେ ଭାରତରେ ପହଞ୍ଚିଥିଲା ଆଶାଦ୍ଦୁର ଜମାନ l ଭୁବନେଶ୍ବର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା l କେଶୁରାରେ ଭଡ଼ା ଘର ନେଇ ସିମ୍‌ ବକ୍ସ ରାକେଟ୍‌ ଚଳାଇ ଆସୁଥିଲେ ଦୁହେଁ l ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲା l ଗତକାଲି ଜବତ ବକ୍ସ ମଧ୍ୟରୁ ୫ଟି ଅପରେସନାଲ ସିମ୍‌ ବକ୍ସ ଅଛି l ସେଥିରୁ ୨୫୫ ଆକ୍ଟିଭ ରହିଛି l ସେହିପରି ପ୍ରାୟ ୧ ହଜାର ସିମ୍‌ ମିଳିଛି l ସେଥିରୁ ୫୮ଟି ଅବ୍ୟବହୃତ ସିମ୍‌ ମିଳିଛି l ତେବେ ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ ବୋଲି କହିଛନ୍ତି ସିପି l

ସୂଚନା ଅନୁସାରେ, ଗତକାଲି ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ ଜଣେ ସନ୍ଦିଗ୍ଧଙ୍କ ଘରୁ ୭ଟି ସିମ୍‌ବକ୍ସ ଠାବ କରିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଳ ସ୍କ୍ୱାର୍ଡ l ଗତ ୭ରୁ ୮ ମାସ ହେଲା ଲକ୍ଷ୍ମୀସାଗର ଅଂଚଳରେ ଜଣେ ବ୍ୟକ୍ତି ଘର ଭଡ଼ା ନେଇ ରହୁଥିଲେ। ବ୍ୟକ୍ତି ଜଣଙ୍କ ସପ୍ତାହକୁ ଥରେ ମାତ୍ର ଘରକୁ ଆସି କିଛି ସମୟ ପରେ ପୁଣି ପଳାଉଥିଲେ। ତାଙ୍କ ଚାଲି ଚଳଣକୁ ସନ୍ଦେହ କରି କିଛି ସ୍ଥାନୀୟ ଲୋକେ କମିଶନରେଟ୍‌ ପୋଲିସରେ ସୂଚନା ଦେଇଥିଲେ। ତା’ପରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଳ ସ୍କ୍ୱାର୍ଡକୁ ନେଇ ସ୍ୱତନ୍ତ ଟିମ୍‌ ଗଠନ କରାଯାଇ ଉକ୍ତ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଥିଲା। ଗତକାଲି ଅଭିଯୁକ୍ତ ଘରେ ଥିବା ବେଳେ ପୋଲିସ ଚଢାଉ କରି ଉକ୍ତ ବ୍ୟକ୍ତିକୁ ଗିରଫ କରିବା ସହ ୭ଟି ସିମ୍‌ବକ୍ସ ଜବତ କରିଥିଲା । ୭ଟା ସିମ୍‌ ବକ୍ସରେ ୫୦୦ରୁ ଅଧିକ ସିମ୍‌ ଲାଗିଥିଲା। ତେବେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

Comments are closed.