Latest Odisha News

ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ

କଟକ: ନୀରବି ଗଲେ ନିରିମାଖୀ କୁଆଁରୀ ବିନୋଦିନୀ ଦେବୀ । ଅନୁଗୁଳସ୍ଥିତ ତାଙ୍କ ସାନ ପୁଅଙ୍କ ବାସଭବନରେ ଆଜି ସକାଳୁ ପ୍ରଖ୍ୟାତ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା ବିନୋଦିନୀ ଦେବୀ । ସେ ପ୍ରସିଦ୍ଧ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଭଉଣୀ ଥିଲେ ।

କଟକ ତିଗିରିଆରେ ୧୯୩୭ ମସିହାରେ ଜନ୍ମ ନେଇଥିଲେ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ସୁଜନପୁର ଗ୍ରାମରେ ବିବାହ କରିଥିଲେ । ଓଡ଼ିଆ ସୁଗମ ଏବଂ ଚଳଚ୍ଚିତ୍ର ସଂଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ ସେ । ସେ ଥିଲେ ଓଡିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ଗୀତିକାର । ୧୯୫୮ ମସିହାରୁ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକବି ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୬୫ରେ ମୁକ୍ତିଲାଭ କରିଥିବା ‘ମଲାଜହ୍ନ’ ଚଳଚ୍ଚିତ୍ରରୁ ସେ ଆରମ୍ଭ କରିଥିଲେ ତାଙ୍କର ଗୀତ ରଚନା । ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଅନ୍ୟ ପ୍ରସାରଣ ମାଧ୍ୟମ ପାଇଁ ଗୀତ ରଚନା କରିଛନ୍ତି ।

ତାଙ୍କ ରଚିତ ସିନେମାଗୀତଗୁଡ଼ିକ ମଧ୍ୟରେ ‘ମଲାଜହ୍ନ’ ଚଳଚ୍ଚିତ୍ରର ‘ରକତ ଟଳମଳ ଖଇର ପାଞ୍ଚପଳ’, ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରର ‘କାଳିଆ ଆସିଲା ଭାଇ କାଳିଆ ଆସିଲା’ ଓ ‘ସେ ତ ଭକତ ଭାବରେ ବନ୍ଧା’, ‘ତଅପୋଇ’ ଚଳଚ୍ଚିତ୍ରର ‘ନିରିମାଖୀ କୁଆଁରୀ ମୁଁ’ ଏବଂ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରର ‘ନଟ ହେ ମଞ୍ଜି ପୋତିଲ ତୁମେ’ ଗୀତ ବେଶ୍ ଲୋକପ୍ରିୟ। ତାଙ୍କ ରଚିତ ଅନ୍ୟାନ୍ୟ ଗୀତ ଗୁଡିକ ହେଉଛି ମୁଁ ତୁମ ବଧୁ ନୁହେଁ ବନ୍ଧୁ, ଏଇ କଳା ମୋର କଳଙ୍କ, ନଦୀ ତ ନେଇଛି ତାର ଆପଣା ଗତି, ଏଇ ଝିଅଟି ଘର କେଉଁଠି, ଆ ଖିଲି ପାନ ବଣ କୁ ଯିବା ଇତ୍ୟାଦି । ସେହିପରି ତାଙ୍କ ରଚିତ ‘ଖୋକାଟିଏ ଖୋକିଟିଏ’ (ଶିଶୁଗୀତି ସଙ୍କଳନ), ‘ଅମୃତା’ (ଭକ୍ତିଗୀତି ସଙ୍କଳନ), ଟିକି ଟିକି ନାଲି କାଇଁଚ (ଶିଶୁଗୀତି ସଙ୍କଳନ), ‘ଏଇ କଳା ମୋର କଳଙ୍କ’ (ଆଧୁନିକ ଗୀତ ସଂକଳନ) ଆଦି ବେଶ୍ ଚର୍ଚ୍ଚିତ।

ଲୋକକଳ୍ପନାକୁ ବିନିଯୋଗ କରି ଚଳଚ୍ଚିତ୍ର ଗୀତରେ ସାଧାରଣ ପଦ୍ୟ ଭାଷା କିନ୍ତୁ ଅସାଧାରଣ ଭାବର ସ୍ପଷ୍ଟ ଓ ସ୍ୱଚ୍ଛନ୍ଦ ନିୟମ ନିର୍ମାଣ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା ବିନୋଦିନୀ ଦେବୀଙ୍କ ଆଜି ସକାଳେ ପରଲୋକ ଘଟିଛି। ସେ ଅନୁଗୁଳଠାରେ ରହୁଥିବା ସାନପୁଅଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ କରାଯିବ। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

Comments are closed.