Latest Odisha News

BREAKING NEWS

ଜେଲ ଭିତରୁ ମୋଦିଙ୍କୁ ସିସୋଦିଆଙ୍କ ଟାର୍ଗେଟ, ଶିକ୍ଷାଗତ ଯୋଗ୍ୟତା ନେଇ ଚିଠିରେ ଉଠାଇଲେ ଅନେକ ପ୍ରଶ୍ନ

ନୂଆଦିଲ୍ଲୀ : ଜେଲରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଉ ସିସୋଦିଆଙ୍କ ଏହି ଚିଠିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ସିସୋଦିଆ। କହିଛନ୍ତି, ପ୍ରଧାନମନ୍ତ୍ରୀ କମ୍ ଶିକ୍ଷିତ ହେବା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ।

ଚିଠିରେ ମନୀଷ ସିସୋଦିଆ ଲେଖିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଦେଶରେ ୬୦ ହଜାର ସ୍କୁଲ ବନ୍ଦ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ବିଜ୍ଞାନ ବୁଝନ୍ତି ନା ଶିକ୍ଷାର ମହତ୍ତ୍ୱ । ତେଣୁ ଭାରତର ପ୍ରଗତି ପାଇଁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ରହିବା ଅତ୍ୟନ୍ତ ଜରୁରୀ ।ମୋଦିଙ୍କୁ କଟାକ୍ଷ କରି ସେ କହିଛନ୍ତି, ଆଜି ଆମେ ଏକବିଂଶ ଶତାବ୍ଦୀରେ ବାସ କରୁଛୁ । ସାରା ବିଶ୍ୱରେ ବିଜ୍ଞାନ ଓ ଟେକ୍ନୋଲୋଜିରେ ପ୍ରତିଦିନ ନୂଆ ବିକାଶ ଘଟୁଛି | ଯେବେ ସାରା ବିଶ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଚର୍ଚ୍ଚା କରୁଛି | ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମଇଳା ଡ୍ରେନ ବା ନଳାରେ ପାଇପ୍ ଲଗାଇ ମଇଳା ଗ୍ୟାସରୁ ଚା’ ଓ ଖାଦ୍ୟ ରନ୍ଧା ଯାଇପାରିବ ବୋଲି କହିବା ଶୁଣି ମୋ‌ତେ ବେଶ୍ ଲଜ୍ଜା ଅନୁଭବ ହେଉଛି ।

ବେବଳ ଏତିକିରେ ଅଟକି ନାହାଁନ୍ତି ସିସୋଦିଆ, କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ କୁହନ୍ତି ଯେ ରାଡାର ମେଘ ପଛରେ ଉଡ଼ୁଥିବା ବିମାନକୁ ଧରିପାରିବ ନାହିଁ, ସେତେବେଳେ ସେ ସମଗ୍ର ବିଶ୍ୱର ଲୋକଙ୍କ ପରିହାସର ପାତ୍ର ହୁଅନ୍ତି | ସ୍କୁଲ୍ ଓ କଲେଜରେ ପଢ଼ୁଥିବା ପିଲାମାନେ ତାଙ୍କୁ ପରିହାସ କରନ୍ତି | ତାଙ୍କର ଏପରି ବୟାନ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହାର ଅନେକ କୁପ୍ରଭାବ ଅଛି | ସମଗ୍ର ବିଶ୍ୱ ଜାଣେ ଭାରତର ପ୍ରଧାନମନ୍ତ୍ରୀ କେତେ ଶିକ୍ଷିତ ଓ ବିଜ୍ଞାନ ବିଷୟରେ ତାଙ୍କର ସାଧାରଣ ଜ୍ଞାନ ନାହିଁ।

ସିସୋଦିଆ ଆହୁରି ଲେଖିଛନ୍ତି, ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆଲିଙ୍ଗନ କରନ୍ତି, ସେଥିପାଇଁ ସେମାନେ ବଡ଼ ମୂଲ୍ୟ ହାସଲ କରି ଚାଲିଯାଆନ୍ତି ।‌‌ ବଦଳରେ ସେମାନେ କେଜାଣି କେତେ କାଗଜରେ ଦସ୍ତଖତ ନିଅନ୍ତି ତାହା ଆମ ପ୍ରଧାନମନ୍ତ୍ରୀ ଜାଣିପାରନ୍ତି ନାହିଁ, କାରଣ ସେ କମ୍ ଶିକ୍ଷିତ ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ଗିରଫ କରିବା ପରେ ବର୍ତ୍ତମାନ ମନୀଷ ସିସୋଦିଆ ଏବେ ତିହାର ଜେଲରେ ଅଛନ୍ତି। ସେପଟେ ତାଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସିବିଆଇ ଠାରୁ ଜବାବ ମାଗିଛନ୍ତି। ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ ହେବ ।

Leave A Reply

Your email address will not be published.