ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କର ଆଜି ୬ଷ୍ଠ ଦିନ । ୧୨୦ଘଣ୍ଟାରୁ ଅଧିକ ଦିନ ସୁଡଙ୍ଗ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଏତେ ସମୟ ସୁଡଙ୍ଗ ଭିତରେ ରହିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚିନ୍ତା ବଢିଛି । ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଥାଇଲାଣ୍ଡ ଏବଂ ନରୱେର ବିଶେଷଜ୍ଞ ଟିମ ଲାଗିଛନ୍ତି । ୨୦୧୮ରେ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସିଥିବା ପିଲାମାନଙ୍କୁ ସଫଳତାର ସହ ଉଦ୍ଧାର କରିଥିବା ଏକ ଟିମ ମଧ୍ୟ ଏହି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି ।
ଉଦ୍ଧାରକାରୀ ଟିମ ଆବର୍ଜନା ଖୋଳୁଛନ୍ତି । ବର୍ତ୍ତମାନ ସୁ୍ଦ୍ଧା ୨୪ ମିଟର ଖୋଳା ଯାଇଛି । ଶ୍ରମିକଙ୍କୁ ପାଇପ ଦ୍ୱାରା ଅକ୍ସଜେନ, ଖାଦ୍ୟ ଯୋଗାଣ ହେଉଛି । ଏଥିପାଇଁ ୪ଟି ପାଇପ ଲଗା ଯାଇଛି । ଡାକ୍ତରମାନେ ତୁରନ୍ତ ସେମାନଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି । କାରଣ ଏପରି ଜାଗାରେ ଦୀର୍ଘଦିନ ବନ୍ଦୀ ଭାବେ ରହିଲେ ଶ୍ରମିକଙ୍କ ଶାରୀରିକ ତଥା ମାନସିକ ସନ୍ତୁଳନ ଭାରସାମ୍ୟ ହରାଇବା ଆଶଙ୍କା ରହିଛି ।
ନଏଡା ଫୋର୍ଟିସ ଡାକ୍ତରଖାନାର ଡାକ୍ତର ଡା.ଅଜୟ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଅକ୍ସିଜେନ ଏବଂ କାର୍ବନ ଡାଇଅକ୍ସାଇଡ ସ୍ତର ଶରୀର ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ମାଟିତଳେ କମ ତାପମାତ୍ରାରେ ଏତେ ସମୟ ରହିବା ଫଳରେ ହାଇପୋଥର୍ମିୟା ହେବାର ସମ୍ଭାବନା ରହିଛି । ଶ୍ରମିକମାନେ ବେହୋଶ ହୋଇପାରନ୍ତି ବୋଲି ସେ କହିଛନ୍ତି ।
ନୂଆଦିଲ୍ଲୀରୁ ଆସିଥିବା ଆମେରିକାନ ଆଗର ମେଶିନ ସାହାଯ୍ୟରେ ଆବର୍ଜନା ଖୋଳାଯାଉଛି । ଏହାଦ୍ୱାରା ଉଦ୍ଧାର କାର୍ଯ୍ୟରେ ଆଶାଜନକ ଉନ୍ନତି ଦେଖା ଦେଇଛି । ୧୨ରୁ ୧୫ ଘଣ୍ଟା ମଧ୍ୟରେ ୭୦ ମିଟର ଚଟାଣ କାଟିବାର ଆଶା ରଖାଯାଇଛି । ଏହି ମେଶିନ ପ୍ରତି ଘଣ୍ଟାରେ ୫ ମିଟର ଗତିରେ କାମ କରୁଛି ।
Comments are closed.