Latest Odisha News

BREAKING NEWS

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ଜଣଙ୍କ ଜୀବନ

ଦେଓଘର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ ଜଣଙ୍କ ଜୀବନ । ଝାଡଖଣ୍ଡର ନେଓଘର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କି ସଫା କରିବା ବେଳେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପୂରା ଇଲାକାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ମୃତକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଦେଓଘରର ଦେବୀପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଏକ କୋଠାରେ ନିର୍ମାଣଧୀନ ପାଇଖାନା ଟାଙ୍କି ଭିତରେ ପସି ଜଣେ ଶ୍ରମିକ କାମ କରୁଥିଲେ। ହେଲେ କିଛି ସମୟ ପରେ ସେ ବେହୋସ ହୋଇ ଯାଇଥିଲେ। ସେ ବାହାରକୁ ନଆସିବାରୁ ତାଙ୍କୁ ବଞ୍ଚାଇବା ପାଇଁ କାମ କରାଉଥିବା ଠିକାଦାର ଏବଂ ତାଙ୍କର ଅନ୍ୟ ଦୁଇ ଶ୍ରମିକ ମଧ୍ୟ ଟାଙ୍କି ଭିତରକୁ ଯାଇଥିଲେ। ହେଲେ ସେମାନେ ମଧ୍ୟ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ବେହୋସ ହୋଇ ଟାଙ୍କିରେ ଫସି ଯାଇଥିଲେ। ଅଚେତ ହୋଇ ପଡିଥିବା ଏହି ଲୋକମାନଙ୍କୁ ବଞ୍ଚାଇବା ପାଇଁ ଶୌଚାଳୟର କାମ କରାଉଥିବା ଦୁଇ ଭାଇ ବ୍ରଜେଶ ବରନଓ୍ଵାଲ ଓ ମିଥଲେଶ ବରନଓ୍ଵାଲ ମଧ୍ୟ ଟାଙ୍କି ଭିତରକୁ ପଶିଥିଲେ। ଏହି ପରି ଦେଖୁ ଦେଖୁ ଛଅ ଜଣ ଟାଙ୍କି ଭିତରେ  ବେହୋସ୍ ହୋଇ ଫସି ଯାଇଥିଲେ।

ଶୌଚାଳୟରେ ଲୋକେ ଫସି ରହିବା ପରେ ତୁରନ୍ତ ଜେସିବି ଡକାଯାଇଥିଲା। ଏହାରି ଜରିଆରେ ଟାଙ୍କି ଭାଙ୍ଗି ଛଅ ଜଣଙ୍କୁ ବାହାର କରାଯାଇଥିଲା। ସମସ୍ତଙ୍କୁ ଆମ୍ବୁଲାନ୍ସ ଜରିଆରେ ଦେଓଘର ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ସମସ୍ତ ଛଅ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଦେଓଘର ଡେପୁଟୀ କମିଶନର ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିଜନକୁ କ୍ଷତିପୂରଣ ଯୋଗାଇ ଦେବାକୁ କହିଛନ୍ତି।

Leave A Reply

Your email address will not be published.