Latest Odisha News

BREAKING NEWS

ଆୟରଲ୍ୟାଣ୍ଡରେ ସୁରକ୍ଷିତ ନୁହଁନ୍ତି ଭାରତୀୟ!

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ହୋଇଛି ଜଣେ ଛଅ ବର୍ଷର ଝିଅ। ଯିଏକି ଭାରତୀୟ ବଂଶୋଦ୍ଭବ।

ସୂଚନା ଅନୁଯାୟୀ, କେରଳର କୋଟ୍ଟାୟମର ବାସିନ୍ଦା ନିଆ ନବୀନ ଦକ୍ଷିଣ-ପୂର୍ବ ଆୟରଲ୍ୟାଣ୍ଡର ୱାଟରଫୋର୍ଡ ସହରରେ ତାଙ୍କ ଘର ବାହାରେ ଖେଳୁଥିଲେ। ସେହି ସମୟରେ ୧୨ରୁ ୧୪ ବର୍ଷ ବୟସର କିଛି ପିଲା ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ‘ଗାଳି ଗୁଲଜ’ କରିବା ସହ “ଭାରତ ଫେରିଯିବା”କୁ କହିଥିଲେ। ଝିଅଟିର ମାଆ ୮ ବର୍ଷ ଧରି ଆୟରଲ୍ୟାଣ୍ଡରେ ରହୁଥିବା ବେଳେ ସେ ପେଶାରେ ଜଣେ ନର୍ସ।

ମା ଅନୁପା ଅଚ୍ୟୁତନଙ୍କ ଅନୁଯାୟୀ, ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ଝିଅଟି ତାଙ୍କ ଘର ବାହାରେ ଖେଳୁଥିଲା। ଆଉ ସେ ତାଙ୍କ ୧୦ ମାସର ପୁଅକୁ ଖୁଆଇବା ପାଇଁ ଘର ଭିତରକୁ ନେଇଥିଲେ। କିଛି ସମୟ ପରେ ଝିଅ କାନ୍ଦି କାନ୍ଦି ଘରକୁ ଫେରିଥିଲା। ସେ ଏତେ ଭୟଭୀତ ହୋଇଯାଇଥିଲା ଯେ ସେ କିଛି କହିପାରିନଥିଲା। ଝିଅ ସହ ଖେଳୁଥିବା ଅନ୍ୟ ଛୁଆ ମାନେ ଘଟଣା ସମ୍ପର୍କରେ ତାଙ୍କୁ କହିଥିଲେ। ସେହି ବଦମାସ୍ ପିଲା ମାନେ ତାଙ୍କ ଝିଅର ମୁହଁକୁ ମୁଥ ମାରିବା ସହ ପ୍ରାଇଭେଟ୍ ପାର୍ଟକୁ ସାଇକେଲରେ ଆଘାତ କରିଥିଲେ। ତାଙ୍କ ବେକକୁ ମୁଥ ମାରିବା ସହ କେଶକୁ ମଧ୍ୟ ଟାଣିଦେଇଥିଲେ। ତେବେ ଅନୁପା ଅଚ୍ୟୁତନଙ୍କ ପରିବାର ଜାନୁଆରୀରେ ଉକ୍ତ ଘରକୁ ଆସିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଜଣେ ଭାରତୀୟ ହୋଇଥିବାରୁ ଗର୍ବିତ କିନ୍ତୁ ଜଣେ ଆୟର୍ଶ ନାଗରିକ ହୋଇଥିବାରୁ ମଧ୍ୟ ଖୁସି। “ଏହା ମୋର ଦ୍ୱିତୀୟ ଦେଶ। ମୁଁ ଜଣେ ଆୟର୍ଶ ନାଗରିକ ହୋଇଥିବାରୁ ବହୁତ ଖୁସି କିନ୍ତୁ ଏବେ ମୁଁ ଅନୁଭବ କରୁଛି ଯେ ମୁଁ ଏଠାରେ ସୁରକ୍ଷିତ ନୁହେଁ।

ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ଆୟରଲ୍ୟାଣ୍ଡରେ ଭାରତୀୟ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ସମ୍ପ୍ରତି, ଡବଲିନରେ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବରେ ମାଡ଼ ମାରିବା ସହିତ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଦୁଇଜଣ ବ୍ୟକ୍ତି ବୋତଲରେ ଆକ୍ରମଣ କରିଥିଲେ। ଏହି ସମସ୍ତ ଘଟଣାରେ ଲୋକମାନଙ୍କୁ ସେମାନଙ୍କ ଦେଶକୁ ଫେରିଯିବାକୁ କୁହାଯାଇଥିଲା। ତେବେ ଆୟରଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କୁ ସତର୍କ ରହିବାକୁ କହିଛି।

 

Comments are closed.