ଭୁବନେଶ୍ବର/ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ସାମ୍ବାଦିକ ସଂଘ (ଏସ୍ଜେଏଫ୍ଆଇ)ର ୫୦ତମ ଜାତୀୟ ସମାରୋହ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ସୋମବାର ରାତିରେ ସମାପିତ ହୋଇଛି। ୨୩ ବର୍ଷ ପରେ ଦିଲ୍ଲୀ କ୍ରୀଡ଼ା ସାମ୍ବାଦିକ ସଂଘ (ଡିଏସ୍ଜେଏ) ଏହାକୁ ଆୟୋଜନ କରିଥିବା ବେଳେ ଘରୋଇ ଉତ୍ତରାଞ୍ଚଳ ଦଳ ଏକ ଦଶନ୍ଧିର ଲମ୍ବା ବ୍ୟବଧାନ ପରେ ଜେକେ ବୋଷ ଟ୍ରଫି ଅନ୍ତଃଜୋନ କ୍ରିକେଟ୍ ପ୍ରତିଯୋଗିତା ଜିତି ଏହାକୁ ଅଧିକ ସ୍ମରଣୀୟ କରିଛି। ଲିଗ୍ ଭିତ୍ତିକ ଏହି ପ୍ରତିଯୋଗିତାରେ ଉତ୍ତରାଞ୍ଚଳ ନିଜ ସମସ୍ତ ୩ ମ୍ୟାଚ୍ ଜିତି ଅପରାଜିତ ରହି ଶୀର୍ଷରେ ଅଭିଯାନ ଶେଷ କରିଥିଲା।
ଦୁଇଟି ବିଜୟ ସହ ପଶ୍ଚିମାଞ୍ଚଳ ଉପବିଜେତା ହୋଇଥିଲା। ସେହିଭଳି ଏସି ବାଲି ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ମୁମ୍ବାଇ କ୍ରୀଡ଼ା ସାମ୍ବାଦିକ ସଂଘକୁ ହ୍ୟାଟ୍ରିକ୍ ସଫଳତା ମିଳିଛି। ଅମୋଲ କାରାହଦକର, ଅଶ୍ବିନ ଫେରୋଙ୍କ ମୁମ୍ବାଇ ଦଳ ଦଳଗତ ଓ ଯୁଗଳ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅମୋଲ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ବି ଜିତିଥିଲେ। ବାସ୍କେଟ୍ବଲ୍ ଥ୍ରୋ ଓ ଫୁଟ୍ସାଲ୍ ଫ୍ରି କିକ୍ରେ ମଧ୍ୟ ମୁମ୍ବାଇ ଦଳ ବିଜେତା ହୋଇ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରତି ସଂଧ୍ୟାରେ ଅନୁଷ୍ଠିତ କ୍ରୀଡ଼ା ସମାରୋହରେ ‘ଦିଲ୍ଲୀ ରକ୍ସ’ ଉନ୍ମୋଚିତ ହୋଇ ପାରମ୍ପରିକ ଧାରାକୁ ଜାରି ରଖିଥିଲା।

ସବୁଠାରୁ ବଡ଼ କଥା ହେଲା ସୋମବାରର ଉଦ୍ଯାପନୀ ଉତ୍ସବରେ ଡିଡିସିଏ ସଭାପତି ରୋହନ ଜେଟଲୀ ବିଜେତା ଉତ୍ତରାଞ୍ଚଳ ଦଳ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ଅବସରରେ ବିଶ୍ବକପ୍ ବିଜୟିନୀ ମହିଳା କ୍ରିକେଟର୍ ପ୍ରତୀକା ରାୱଲଙ୍କୁ ମଧ୍ୟ ୫୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ସମ୍ମାନିତ କରିଥିଲା ଡିଡିସିଏ। ଏସ୍ଜେଏଫ୍ଆଇକୁ ପୁନଃଜୀବନ ପ୍ରଦାନ କରିଥିବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସଭାପତି ସନ୍ଦୀପ ମିଶ୍ର, ସମ୍ପାଦକ ସୁରେଶ ସ୍ବାଇଁଙ୍କ ସହ ଦୀପ୍ତି ରଂଜନ ସାମଲ, ବିମଳ କୁମାର ରାଉଳ, ତୁଷାର ସେନାପତି ଏହି ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ସନ୍ଦୀପ, ବିମଳ, ତୁଷାର ଜେକେ ବୋଷ ଟ୍ରଫିରେ ପ୍ରଥମ ପଦାର୍ପଣ କରିଥିଲେ।
ମାର୍ଚ୍ଚ ୧୩ ତାରିଖରେ ଉଦ୍ଘାଟିତ ଏହି ୪ଦିନିଆ ଉତ୍ସବର ବିଭିନ୍ନ ଦିବସରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେ, ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ଆଇସିସି ଅଧ୍ୟକ୍ଷ ଜୟ ଶାହ, ଭାରତୀୟ ଅଲିମ୍ପିକ୍ ସଂଘ ସଭାନେତ୍ରୀ ପିଟି ଉଷା, ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା, ତୀରନ୍ଦାଜ ଜ୍ୟୋତି ସୁରେଖା ଭେନ୍ନମ, ବିଶ୍ବକପ୍ ପଦକ ବିଜୟିନୀ ସ୍କ୍ବାସ୍ ଖେଳାଳି ଅନାହତ ସିଂହ, ପଞ୍ଜାବ କିଙ୍ଗ୍ସ ମାଲିକ ନେସ ୱାଡିଆ ପ୍ରମୁଖ ଅତିଥି ଯୋଗ ଦେଇ ଖେଳାଳି, ଖେଳ ପ୍ରଶାସକ, ଖେଳ ସାମ୍ବାଦିକଙ୍କ ସମ୍ପର୍କ ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇଥିଲେ। ଡିଏସ୍ଜେଏ ସଭାପତି ଅଭିଷେକ ତ୍ରିପାଠୀ, ସମ୍ପାଦକ ସବୁ ହୁସେନ, ଏସ୍ଜେଏଫ୍ଆଇ ସଭାପତି ସରଜୁ ଚକ୍ରବର୍ତ୍ତୀ, ସମ୍ପାଦକ ଭି ରମେଶଙ୍କ ତତ୍ତ୍ବାବଧାନରେ ଜାତୀୟ ସମ୍ମିଳନୀ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲା।