Latest Odisha News

BREAKING NEWS

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ସ୍ନାନ ଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ମୂଳପୀଠର କିଭଳି ବିଧି ରକ୍ଷାହେବ ସେଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ତ୍ୟାଗ କରିବାକୁ ପଡିବ ।
ବିଶେଷଭାବେ ପୁରୀରେ ଯେଭଳି କରୋନା ସଂକ୍ରମଣ ନହୁଏ ସେଥିପାଇଁ ସେ ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି ।
ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ଯେଭଳି ଶ୍ରୀଜୀଉମାନଙ୍କ ସମସ୍ତ କାର୍ଯ୍ୟ ବିନା ବାଧାରେ ହେବ ସେଥିପାଇଁ ପୁରୀର ସମସ୍ତ ବାସିନ୍ଦାଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
ଡକ୍ଟର କୁମାର କହିଛନ୍ତି ଯେ ସ୍ନାନପୂର୍ଣ୍ଣିମାରେ ନିୟୋଜିତ ସେବକଙ୍କ ମଧ୍ୟରୁ ଆଜିସୁଦ୍ଧା ୫୦ ପ୍ରତିଶତଙ୍କର କରୋନା ପରୀକ୍ଷା ସରିଥିବାବେଳେ ଅବଶିଷ୍ଟଙ୍କର ଦିନେ ଦୁଇଦିନ ମଧ୍ୟରେ ହୋଇଯିବ । ସଂକ୍ରମଣ ରୋକିବାପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ନିଶ୍ଚିତ ଭାବେ ସଫଳ ହେବ । ନିୟମ ମୁତାବକ ସାମାଜିକ ଦୂରତା ରକ୍ଷା କରାଯାଇ ସମସ୍ତ ନୀତିକାନ୍ତି କରିବାକୁ ଉଦ୍ୟମ ଅବ୍ୟାହତ ରହିଛି ।
ରଥ ତିଆରି କାର୍ଯ୍ୟରେ ମହାରଣା, ଭୋଇ ଓ ରୂପକାରଙ୍କ ସହିତ ଅନ୍ୟ ସେବକମାନଙ୍କ କାର୍ଯ୍ୟକୁ ମୁଖ୍ୟ ପ୍ରଶାସକ ପ୍ରଶଂସା କରିବା ସହିତ ସେମାନେ କିଭଳି ଦିନରାତି କାର୍ଯ୍ୟ କରୁଛନ୍ତି ତାହା ଉଲ୍ଲେଖ କରିଥିଲେ । ଏମାନଙ୍କ ତ୍ୟାଗ ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବା ସେ ସୂଚନା ଦେଇଥିଲେ ।
ରଥ ନିର୍ମାଣ ନେଇ ମିଳିଥିବା ସୂଚନା ଅନୁଯାୟୀ ଆଜି ଗରଗରା ଖାପ କାମ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଙ୍ଗ କାଯାଇ ପୋଲ ଗୟଳ ଲଗାଯାଇଛି । ଭୂଇଁ ଚଉଡା କାଠାରେ ସାଲ ସହ ବିନ୍ଧ କାମ ସରିଥିବାବେଳେ ନାଗ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।
Leave A Reply

Your email address will not be published.