Latest Odisha News

ଅମର ରହିବ ‘ରାମୁ’, ସଂରକ୍ଷିତ ହେବ ହାତୀର କଙ୍କାଳ

ଭୁବନେଶ୍ୱର: ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ଗତକାଲି (ସୋମବାର) ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ଭରତପୁର ଜଙ୍ଗଲ ଭିତରେ ରାମୁ ହାତୀର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଥିଲା। ଅନେକ ରାଜ୍ୟବାସୀ ଏହି ଖବରକୁ ସହଜରେ ଗ୍ରହଣ ଗ୍ରହଣ କରି ପାରୁନାହାନ୍ତି।

ଚନ୍ଦକା ଡିଭିଜନ ତରଫରୁ ହାତୀ ମୃତ୍ୟୁର କାରଣ ଏବଂ କେଉଁମାନେ ଏଥିପାଇଁ ଦାୟୀ ସେନେଇ ତଦନ୍ତ କରି ଉଚିତ ଦଣ୍ଡ ବିଧାନ କରାଯାଉ ବୋଲି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ରାଜ୍ୟର ବନ୍ୟପ୍ରାଣୀ ପିସିସିଏଫ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦଙ୍କୁ ଇମେଲ ଜରିଆରେ ଅନୁରୋଧ କରିଛନ୍ତି।

‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯିବ। ତାହାକୁ ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଯାହା ରାମୁକୁ ଜନମାନସରେ ଚିରଦିନ ପାଇଁ ଅମର କରି ରଖିବ। ଓଡ଼ିଶାରେ ଆଗରୁ ହାତୀ କଙ୍କାଳକୁ ସଂରକ୍ଷଣ କରାଯାଇଛି । ଭୁବନେଶ୍ଵରରେ ଥିବା ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମରେ ଶଙ୍କର ହାତୀର କଙ୍କାଳକୁ ବୈଜ୍ଞାନିକ ଉପାୟରେ ସଂରକ୍ଷଣ କରାଯାଇ ଦର୍ଶକ ମାନଙ୍କ ପାଇଁ ସଚେତନତା ପାଇଁ ପ୍ରଦର୍ଶିତ କରାଯାଇଛି ।

ଯେଉଁ ବୈଜ୍ଞାନିକ ଶଙ୍କର ହାତୀର କଙ୍କାଳକୁ ଯୋଡି ତାହାକୁ ପ୍ରଦର୍ଶନ ଯୋଗ୍ୟ କରିଥିଲେ, ତାଙ୍କରି ସହାୟତାରେ ରାମୁର କଙ୍କାଳକୁ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରି ଚନ୍ଦକାରେ ଥିବା ଗୋଡିବାରୀ ଠାରେ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଶୁଭେନ୍ଦୁ ମଲ୍ଲିକ । ଯେଉଁ ବୈଜ୍ଞାନିକ ଶଙ୍କର ହାତୀ କଙ୍କାଳ ହାଡ ସବୁ ଯୋଡିବା ସହିତ ତିମି କଙ୍କାଳ ମଧ୍ୟ ଯୋଡ଼ିଥିଲେ ସେ ଡଃ ଶିବ ପ୍ରସାଦ ପରିଡା । ଅଧୁନା ସେ ଜଟଣୀ ସ୍ଥିତ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି ।

ଶୁଭେନ୍ଦୁଙ୍କ ପ୍ରସ୍ତାବରେ ପିସିସିଏଫ ସହମତି ପ୍ରଦାନ କରିଛନ୍ତି। ‘ରାମୁ’ର ଅକାଳ ମୃତ୍ୟୁରେ ହୋଇଥିବା ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ ଗତକାଲି କହିଥିଲେ। ରାମୁ କଙ୍କାଳକୁ ମଧ୍ୟ ଡ. ପରିଡ଼ାଙ୍କ ନିର୍ଦ୍ଦେଶନାରେ ଯୋଡ଼ାଯିବ ବୋଲି ଜଣାପଡିଛି।

Comments are closed.