Latest Odisha News

ବିଶ୍ୱବ୍ୟାପୀ ପ୍ରଦୂଷଣ କମାଇବାରେ ସ୍ଲରି ପାଇପ୍‌ଲାଇନ୍ ସହାୟକ ହେଉଛି: ସୋଆ କର୍ମଶାଳା

ଭୁବନେଶ୍ୱର: ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି ଏବଂ ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୁହାଯାଇଛି।

ସୋଆର ପରିକଳ୍ପନା, ନିର୍ମାଣ ଏବଂ ପରିଚାଳନା ଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ ଆନ୍ତର୍ଜାତିକ କର୍ମଶାଳାରୁ ଏନେଇ କୁହାଯାଇଥିଲା।

କୋଲକାତା ସ୍ଥିତ ଆଥା ଗ୍ରୁପ୍‌ର ମିଳିତ ସହଭାଗିତାରେ ଜାନୁଆରୀ ୮ ଏବଂ ୯ ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ସାରା ବିଶ୍ୱରୁ ୮୦୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ପାଇପଲାଇନ୍‌ର ପରିକଳ୍ପନା, ଇଞ୍ଜିନିୟରିଂ ଓ ନିର୍ମାଣ କାର‌୍ୟ୍ୟଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା ।

ଏହି ସମ୍ମିଳନୀରେ ଉପସ୍ଥିତ ବକ୍ତା ମାନେ ସୂଚନା ଦେଇଥିଲେ ଯେ ଏପର‌୍ୟ୍ୟନ୍ତ ୭୩୮ କିଲୋମିଟର ଦୈର୍ଘ୍ୟ ଓ ବାର୍ଷିକ ୨୪ ଲକ୍ଷ ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ କରାଯାଇଛି । ୩୫୦୦ କିଲୋମିଟର ଦୈର୍ଘ୍ୟର ଓ ବାର୍ଷିକ ୨ କୋଟି ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ରଖାଯାଇ ଥିବା ବକ୍ତା ମାନେ ସୂଚନା ଦେଇଛନ୍ତି ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱବ୍ୟାପୀ ୩୦ କୋଟି ଟନ୍‌ର ଖଣିଜ ପଦାର୍ଥ ଏବଂ କୋଇଲା ସ୍ଲରି ପାଇପ୍‌ଲାଇନ୍ ଦ୍ୱାରା ପରିବହନ କରାଯାଉଛି । ବାତ୍ୟା, ବନ୍ୟା, ଭୂମିକମ୍ପ ଏବଂ ଅନ୍ୟାନ୍ୟ ମଣିଷ କୃତ ସମସ୍ୟା ଯୋଗୁଁ ଏହି ପରିବହନ ଉପରେ କୌଣସି ପ୍ରଭାବ ପଡୁନାହିଁ । ଏପରିକି ଏହି ପରିବହନ ସମୟରେ ବ୍ୟବହାର ହେଉଥିବା ୮୫ ରୁ ୯୦ ପ୍ରତିଶତ ଜଳ ପୁଣି ଥରେ ବ୍ୟବହାର ହୋଇପାରିବ ବୋଲି ବକ୍ତାମାନେ ସୂଚନା ଦେଇଛନ୍ତି ।

ସାରା ବିଶ୍ୱର ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଯେପରିକି ଆଇରନ୍ ପଥର, କୋଇଲା, ବକ୍‌ସାଇଟ୍‌, ଲିଡ୍‌, ଜିଙ୍କ୍‌, କପର୍‌, ରକ୍ ଫସ୍‌ପେଟ, ଫ୍ଲାଇଆସ୍ ଏବଂ ଖଣିରୁ ବାହାରିଥିବା ପଦାର୍ଥ ଏହି ପାଇପ୍‌ଲାଇନ୍ ଦ୍ୱାରା ପରିବହନ କରାଯାଇପାରିବ ।

ଦୂରଗାମୀ ପାଇପ୍‌ଲାଇନ୍ ଦ୍ୱାରା ଖଣିଜ ପଦାର୍ଥ ର ହାଇଡ୍ରୋଲିକ୍ ପରିବହନ କିଭଳି ହୋଇପାରିବ ତା’ ର ବିଭିନ୍ନ ଦିଗ ଉପରେ ଅଧିକ ଜ୍ଞାନ ଆହରଣ କରିବା ସହ ଶିଳ୍ପାନୁଷ୍ଠାନ, ଗବେଷଣା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ
ଆଲୋଚନାକୁ ସୁଯୋଗ ଦେବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର(ଡଃ)ଡି.ଏନ୍‌.ଥାଟୋଇ ସୂଚନା ଦେଇଛନ୍ତି।

୨୪ ଜଣ ବକ୍ତାଙ୍କ ମଧ୍ୟରୁ ୟୁଏସ୍‌ଏ, କାନାଡା, ବ୍ରାଜିଲ୍‌, ଚିଲି, ଜର୍ମାନୀ, ଦ ନେଦରଲ୍ୟାଣ୍ଡସ ଏବଂ ଅଷ୍ଟ୍ରେଲିଆରୁ ୧୪ ଜଣ ଯୋଗ ଦେଇଥିବା ବେଳେ ଅନ୍ୟ ସମସ୍ତ ବିଶେଷଜ୍ଞ ମାନେ ଭାରତୀୟ ଥିଲେ ବୋଲି ପ୍ରଫେସର ଥାଟୋଇ ସୂଚନା ଦେଇଛନ୍ତି।

Comments are closed.