Latest Odisha News

BREAKING NEWS

ଓଡିଶାର ପ୍ରଥମ କଥାକୁହା ସିନେମା ଓ ମୋହନ ସୁନ୍ଦର ଦେବ ଗୋସ୍ଵାମୀ

ଏପ୍ରିଲ ମାସ ୧୯୩୬ ମସିହା, ଓଡିଶା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ। ଏପ୍ରିଲ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇଥିବା ବେଳେ ୨୮ ଏପ୍ରିଲରେ ଓଡିଶାର ପ୍ରଥମ କଥାକୁହା ସିନେମା “ସୀତା ବିବାହ” ମୁକ୍ତିଲାଭ କରିଥିଲା। ରାଜନୈତିକ ଇତିହାସରେ ରାଜ୍ୟ ଗଠନ ଯେମିତି ଏକ ସ୍ଵର୍ଣ୍ଣିମ ଘଟନା, ସାଂସ୍କୃତିକ ଇତିହାସରେ ପ୍ରଥମ ସିନେମା ନିର୍ମାଣ ସେମିତି ଏକ ବିରଳ ଅନୁଭବ। ରାଜ୍ୟ ଗଠନରେ ଅବଦାନ ଥିବା ବ୍ୟକ୍ତିତ୍ବମାନଙ୍କୁ ଆମେ ନବ ଉତ୍କଳର ନିର୍ମାତା ବୋଲି ପୂଜା କରିଆସୁଛୁ, ହେଲେ ଓଡିଶାରେ ସାଂସ୍କୃତିକ ନବ ଜାଗରଣର ଅଗ୍ରଦୂତ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କୁ ନବ ଉତ୍କଳର ନିର୍ମାତା ତାଲିକାରେ ଆମେ କେବେ ଦେଖିଛୁ କି? ଓଡିଶାର ବରପୁତ୍ର ତାଲିକାରେ ଯେଉଁମାନଙ୍କ ଛବିରେ ଆମେ ମାଳ ଚଢାଉ, ସେଥିରେ ଗୋସ୍ଵାମୀ ପ୍ରାୟ ନଥାନ୍ତି। ତାଙ୍କୁ କେବେ କେମିତି ସିନେମା ଉତ୍ସବରେ ଆମେ ମନେ ପକାଇ ଆମର ଦାୟିତ୍ଵ ସରିଗଲା ବୋଲି ଭାବୁ। ତେବେ ବାସ୍ତବ ଦୃଷ୍ଟିରୁ ଦେଖିଲେ, ଯଦି ୧୯୩୬ରେ ପ୍ରଥମ ଓଡିଆ ସିନେମା ମୁକ୍ତିଲାଭ କରିନଥାନ୍ତା, ତାହେଲେ ନୂଆ ଓଡିଶାର ଛବି ଏତେ ଉଜ୍ଜଳ ଦିଶିନଥାନ୍ତା। ମୋହନ ସୁନ୍ଦର ଦେବ ଗୋସ୍ଵାମୀ ହେଉଛନ୍ତି ଓଡିଶାର ସେହି ମହାନାୟକ ଯାହାଙ୍କୁ ଓଡିଆ ଜାତି ଆଜି ମଧ୍ୟ ସଠିକ ଭାବରେ ଚିହ୍ନି ନାଇଁ। ଗୋସ୍ଵାମୀ (୮,ଅଗଷ୍ଟ,୧୮୯୨-୧୧,ଜାନୁଆରୀ ୧୯୪୮)ଙ୍କ ୫୬ ବର୍ଷର ଜୀବନକାଳ ହେଉଛି, ଓଡିଶାର ସାଂସ୍କୃତିକ ଇତିହାସରେ ସବୁଠୁ ବଡ ପରିବର୍ତ୍ତନର ସମୟ।

ଯେତିକି ପାରମ୍ପରିକ ସେତିକି ଆଧୁନିକ

ମୋହନ ସୁନ୍ଦର ଗୋସ୍ଵାମୀ ମୂଳତଃ ଗୌଡୀୟ ବୈଷ୍ଣବ ପରମ୍ପରାର ଉତ୍ତରାଧିକାରୀ। ମହାପ୍ରଭୁ ଶ୍ରୀ ଚୈତନ୍ୟ ଙ୍କ ପରମ ସଖା ମହାପ୍ରଭୁ ନିତ୍ୟାନନ୍ଦଙ୍କର ବଂଶଧର ଭାବରେ ତାଙ୍କର ଅଲଗା ପ୍ରତିଷ୍ଠା ରହିଥିଲା। ସେ ଲକ୍ଷ ଲକ୍ଷ ବୈଷ୍ଣବଙ୍କର ପରମ ପୂଜ୍ୟ ଗୁରୁ। କୃଷ୍ଣଭକ୍ତି କୁ ଅଭିନୟ ମାଧ୍ୟମରେ ପ୍ରକଟିତ କରିବାର ଏକ ଭିନ୍ନ ଚିନ୍ତା ତାଙ୍କ ମନକୁ ଆସିଥିଲା ଆଉ ଜଣେ ବୈଷ୍ଣବ ସାଧୁଙ୍କ ପ୍ରେରଣାରୁ। ବଙ୍ଗଳାର ପ୍ରସିଦ୍ଧ ଗାୟକ ଓ ନାଟ୍ୟବିତ ବିଶ୍ଵରୂପ ଗୋସ୍ଵାମୀଙ୍କ ସହିତ ମୋହନ ସୁନ୍ଦରଙ୍କ ସାକ୍ଷାତ ପରେ ତାଙ୍କର ଜୀବନର ଗତି ବଦଳି ଯାଇଥିଲା। ବିଶ୍ଵରୂପ ଗୋସ୍ଵାମୀ ମୋହନ ସୁନ୍ଦରଙ୍କୁ ମର୍ଦ୍ଦଳ ବାୟନ ଓ ହିନ୍ଦୁସ୍ତାନୀ ଗାୟନ ଶିଖାଇଥିଲେ। ବିଶ୍ଵରୂପଙ୍କ ଧ୍ରୁପଦୀ ଗାୟନ ସହିତ ଓଡିଶୀ ଗାୟନ ପରମ୍ପରାର ମିଶ୍ରଣରେ ସେ ଆରମ୍ଭ କରିଥିଲେ ଓଡିଶାରେ “ରାସ ଆନ୍ଦୋଳନ”।

ରାସ ପରିବେଷଣକୁ ପେଷାଦାର ରଙ୍ଗମଞ୍ଚର ପ୍ରତିଷ୍ଠା ଦେବାରେ ତାଙ୍କର ବିଶେଷ ଭୂମିକା ରହିଥିଲା। ସେତେବେଳେ ରାସ ଦେଖିବାକୁ ପ୍ରଥମ ଶ୍ରେଣୀ ଚୌକି ପାଇଁ ୧ ଟଙ୍କା, ଦ୍ଵିତୀୟ ଶ୍ରେଣୀ ବେଞ୍ଚ ଲାଗି ୪୦ ପଇସା ଓ ତୃତୀୟ ଶ୍ରେଣୀରେ ଦେଖିବା ଲାଗି ଏକ ଅଣା ର ଟିକେଟ କିଣିବାକୁ ପଡୁଥିଲା। ଗୋସେଇଁଙ୍କ ରାସ ମଣ୍ଡଳୀ ଯେଉଁଠିକି ଯାଉଥିଲେ, ସେଠାରେ ତାଙ୍କୁ ସାକ୍ଷାତ ଗୁରୁଙ୍କର ସମ୍ମାନ ମିଳୁଥିଲା। ଏ ସମ୍ପର୍କରେ ପ୍ରଖ୍ୟାତ ଅଭିନେତା ଦୀନବନ୍ଧୁ ଦାସ “ଟିମା” ତାଙ୍କ ଆତ୍ମଜୀବନୀ “କଳାକାରର କାହାଣୀ”ରେ ଲେଖିଛନ୍ତି- “ଅଭିନୟ ଆରମ୍ଭ ହେଲା ଏବଂ ତା ଆଗରୁ ଗୋସେଇଁ ମାହାପୁରୁ ମୁଖ୍ୟ ପରଦା ସାମ୍ନାରେ ଠିଆହୋଇ ନିଜର ପୃଥୁଳ ଉଦରରେ ହାତ ବୁଲେଇ ଆରମ୍ଭ କଲେ ଭାଷଣ। ଖୁବ ରସରସିଆ ଭାଷଣ ସେ।ଗୋସ୍ଵାମୀଙ୍କର ଆଡମ୍ବରପୂର୍ଣ୍ଣ କଥା ଶୁଣିବାକୁ କେତେକ ଦର୍ଶକ ସ୍ଵେଚ୍ଚ୍ହାକୃତଭାବେ ପ୍ରେକ୍ଷାଳୟକୁ ଟାଣି ହୋଇଆସୁଥିଲେ।“

ରାସ ପରମ୍ପରାରେ ଅନେକ ନୂଆ ପ୍ରୟୋଗ ସହିତ ସବୁ କଳାକାରଙ୍କୁ ପାଉଣା ଦେବାର ପରମ୍ପରା ଗୋସେଇଁ ଆରମ୍ଭ କରିଥିଲେ। ଯିଏ ଭଲ ଗାଇଲା କି ବଜାଇ ଜାଣିଲା, ତାକୁ ଗୋସେଇଁ ନିଜ ପାଖକୁ ନେଇ ଆସୁଥିଲେ। ସେତେବେଳେ ତାଙ୍କ ଘର ଥିଲା ଓଡିଶୀ ପ୍ରତିଭାର ସବୁଠୁ ବଡ କର୍ମଶାଳା।

ଓଡିଶୀ ଗାୟନ ଓ ନର୍ତ୍ତନର ଏନ୍ତୁଡିଶାଳ

ଗୋସେଇଁଙ୍କ ଘରେ ସ୍ଵାଭାବିକ ଭାବରେ ନାମ ସଙ୍କୀର୍ତ୍ତନ ହେଉଥିଲା, ହେଲେ ତାଠୁ ଅଧିକ ଚାଲିଥିଲା ଅଭିନୟର ଆଖଡା। ପ୍ରତିଦିନ କଳାକାରମାନେ ସେ ଘରେ ଗାଇବା, ବଜାଇବା, ନାଚିବା ଓ ଅଭିନୟ ଶିଖୁଥିଲେ। ସେଇ ଘରେ ଓଡିଶାର ବହୁ କିମ୍ବଦନ୍ତୀ ପୁରୁଷ ନିଜ କଳାକାର ଜୀବନର ଖଡି ଛୁଇଁଛନ୍ତି। ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଲୁଚରଣ ମହାପାତ୍ର, ପ୍ରଖ୍ୟାତ ହାସ୍ୟ ଅଭିନେତା ଦୀନବନ୍ଧୁ ଦାସ ପ୍ରମୁଖ ଗୋସେଇଁ ଙ୍କ ପାଦ ଚିପି ଅଭିନୟ ଶିଖିଥିଲେ। ଗୋସେଇଁ ଙ୍କ ରାସ ଦଳର ଅଭିନୟ ଓ ତାର ପ୍ରଭାବ ବିଷୟରେ ଓଡିଶାର ଅନ୍ୟତମ ବିଶିଷ୍ଟ ମଞ୍ଚପୁରୁଷ ସ୍ଵର୍ଗତ ଦୁର୍ଲ୍ଲଭଚନ୍ଦ୍ର ସିଂ ଲେଖିଛନ୍ତି- “ମୋହନ ଗୋସ୍ଵାମୀଙ୍କର ରାସଶିକ୍ଷା ଦେବାର ରୀତି ଓ ଢଙ୍ଗ ଅତି ଉଚ୍ଚକୋଟୀର ଥିଲା। ବିଶେଷ କରି ତାଙ୍କ ରାସରେ ରାଧିକା ଭୂମିକାରେ ପୁରୀର ସ୍ଵର୍ଗତ ଗଉରହରି ଦାସଙ୍କର ଭାବପ୍ରବଣ ଅଭିନୟ ଓ ସଙ୍ଗୀତ ଗୁଡିକ ସେତେବେଳେ ଦର୍ଶକମାନଙ୍କୁ ଭାବ ବିହ୍ଵଳ କରି ଦେଉଥିଲା। …ମୋହନ ଗୋସ୍ଵାମୀ ନିଜେ ସବୁ ଶିକ୍ଷା ପ୍ରଦାନ କରୁଥିଲେ। ଏ ଦଳଟି ତାଙ୍କର ସଂପୂର୍ଣ୍ଣ ନିଜସ୍ଵ ଥିଲା। ବହୁ ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ଦେଶରେ ଯଥେଷ୍ଟସୁନାମ ମଧ୍ୟ ଅର୍ଜନ କରିଥିଲେ ଗୋସ୍ଵାମୀ ମହାପ୍ରଭୁ।“

ବ୍ୟକ୍ତିତ୍ବ ଓ ନେତୃତ୍ଵ

ଗୋସେଇଁ ଯଦିଓ ଆଧ୍ୟାତ୍ମିକ ପରମ୍ପରାର ଦାୟାଦ ଥିଲେ, ତାଙ୍କର ପ୍ରବୃତ୍ତିରେ ଥିଲେ ପୁରୁଣାକୁ ଅତିକ୍ରମ କରି ନୂଆ କିଛି ତିଆରି କରିବାର ଏକ ବିଚିତ୍ର ନିଶା। ତାଙ୍କ ବ୍ୟକ୍ତିତ୍ବରେ ନିରନ୍ତର ଅନ୍ଵେଷଣର ଏକ ପ୍ରଚ୍ଛନ୍ନ ଆଗ୍ରହ ଥିଲା। ତାଙ୍କୁ ଦେଖିଥିବା ଲୋକେ, ତାଙ୍କୁ ଦେଖି ମୁଗ୍ଧ ଓ ପ୍ରେରିତ ହେଉଥିଲେ। ଗୋସେଇଁଙ୍କୁ ପ୍ରଥମ ଦେଖାରେ ବର୍ଣ୍ଣନା କରିବାକୁ ଯାଇ ଦୀନବନ୍ଧୁ ଦାସ ଲେଖିଛନ୍ତି- “ପୁରୀରେ କୁଣ୍ଢେଇବେଣ୍ଟ ସାହିର ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ରାସ, ସେତେବେଳେ ଓଡିଶାରେ ଖୁବ ପ୍ରସିଦ୍ଧି ଲାଭ କରିଥାଏ।,……….ଗୋସ୍ଵାମୀଙ୍କର ଚେହେରା ମନ୍ଦ ନୁହେଁ। ବେଶ ପୃଥୁଳ ଗୌର ବର୍ଣ୍ଣ, ଲଣ୍ଡିତ ମୁଣ୍ଡ, କଣ୍ଠରେ ତୁଳସୀ ମାଳୀ, ନାକ ଉପରୁ କପାଳ ପର୍ୟନ୍ତ ଗୌଡୀୟ ତିଳକ ଚିତା,କାନ୍ଧରେ ପଇତା।“ ଏଇ ପରମ ବୈଷ୍ଣବ ଜଣକ ଯେ ଓଡିଆ ସିନେମାର ପ୍ରଥମ ନିର୍ଦ୍ଦେଶକ ଏ କଥା କିଏ ବିଶ୍ଵାସ କରିବ? ଭାରତରେ କଥାକୁହା ସିନେମା ଆରମ୍ଭ ହୋଇଛି ୧୯୩୧ରେ। ଆର୍ଦେଶୀର ଇରାନୀଙ୍କର “ଆଲାମ ଆରା” ୧୪, ମାର୍ଚ୍ଚ ୧୯୩୧ରେ ମୁକ୍ତିଲାଭ କରୁ କରୁ ଓଡିଆ ଭାଷାରେ ଏହି ମାଧ୍ୟମର ପ୍ରୟୋଗ ପାଇଁ ଜଣେ ବୈଷ୍ଣବ ଯେ ଉଦ୍ୟମ କରିବେ, ସେକଥା ଆଜି ବିଶ୍ଵାସ ବି କରି ହେଉନାହିଁ ।

ରାସରୁ ଗୋସେଇଁ ଭଲ ଉପାର୍ଜନ କରୁଥିଲେ। ଭଲ ସୁନାମ ବି ଥିଲା। ହଠାତ ପ୍ରଥମ ଓଡିଆ ସିନେମା କରିବାର ନିଶା ତାଙ୍କୁ ଆର୍ଥିକ ଭାବରେ କେବଳ କ୍ଷତିଗ୍ରସ୍ତ କଲାନାହିଁ, ସେଥିଲାଗି ତାଙ୍କୁ ପ୍ରଚୁର ମନସ୍ତାପ ଓ ଅବାଞ୍ଛିତ ସମାଲୋଚନା ଭୋଗିବାକୁ ପଡିଲା।

ସୀତା ବିବାହ, ଏକ ବିଚିତ୍ର ଆରମ୍ଭ

୧୯୩୨ରେ ଗୋସେଇଁ କାମପାଳ ମିଶ୍ରଙ୍କ ଚର୍ଚ୍ଚିତ ପୌରାଣିକ ନାଟକ “ସୀତା ବିବାହ” କୁ ନେଇ ଏକ କଥାକୁହା ସିନେମା ନିର୍ମାଣ କରିବାର ନିଷ୍ପତ୍ତି ନେଲେ। ତେବେ କଣ ଏଇ କଥାକୁହା ସିନେମା, ସେକଥା କାହାକୁ ଜଣାନଥିଲା। ଏଥିରେ ଯେଉଁମାନେ ଅଭିନୟ କରିବେ, ସେମାନେ ସିନେମା ମାଧ୍ୟମ ବିଷୟରେ କିଛି ଜାଣନ୍ତି ନାଇଁ। ସେଯାଏ ମଞ୍ଚରେ ପୁରୁଷମାନେ ନାରୀ ଭୂମିକା ତୁଲାଇ ଆସୁଛନ୍ତି। ସିନେମାରେ ଅଭିନେତ୍ରୀ କାହାନ୍ତି? ବଙ୍ଗଳାରୁ ଅଭିନେତ୍ରୀ ମିଳିବେ, ହେଲେ ସେମାନଙ୍କୁ ବି କ୍ୟାମେରା ଆଗରେ ଅଭିନୟ ଜଣା ନାଇଁ। କ୍ୟାମେରା, ସାଉଣ୍ଡ, ଲାଇଟ …ଏସବୁ ତ କେହି ଦେଖି ନଥିଲେ କି ଶୁଣି ନଥିଲେ। ସେଇ ଅଦେଖା ମାଧ୍ୟମରେ ପ୍ରଥମ ଓଡିଆ ଛବି କରିବାର ଦୁଃସାହସ ଓଡିଶାରେ ଏକ ନୂଆ ଇତିହାସ ତିଆରି କଲା। କଲିକତାରେ ଏହାର ଶୁଟିଙ୍ଗ ଓ ପ୍ରସେସିଂ ହେଲା। ୨୮, ଏପ୍ରିଲ, ୧୯୩୬ ରୁ ୨୮, ମଇ, ୧୯୩୬, ମାସେ କାଳ ପୁରୀର ଲକ୍ଷ୍ମୀ ଟକିରେ ଏହା ଚାଲିଲା। ଦର୍ଶକଙ୍କୁ କୁହାଗଲା “ ଗୋଟିଏ ଖର୍ଚ୍ଚରେ ପୁରୀ ଚନ୍ଦନ ଯାତ୍ରା ଓ ଓଡିଆ କଥାକୁହା ସିନେମା ଦେଖିବେ”। ସିନେମାରେ ରାମା ଭୂମିକାରେ ଅଭିନୟ କଲେ ମାଖନଲାଲ ବାନାର୍ଜୀ, ଲକ୍ଷ୍ମଣ ଭୂମିକାରେ ଅଦ୍ଵୈତ ଚରଣ ମହାନ୍ତି, ସେଟା ଭୂମିକାରେ ପ୍ରଭାବତୀ ଦେବୀ ଓ ବିଶ୍ଵାମିତ୍ର ଭୂମିକାରେ ସ୍ଵୟଂ ମୋହନ ସୁନ୍ଦର ଦେବା ଗୋସ୍ଵାମୀ।

ସିନେମା କରି ସର୍ବସ୍ଵାନ୍ତ

କୁହାଗଲା, ସିନେମାରେ ଖର୍ଚ୍ଚ ହେବ, ପ୍ରାୟ ୨୨ ହଜାର ଟଙ୍କା। ୧୯୩୨ ମସିହାରେ ଏ ଅର୍ଥରାଶି କଳ୍ପନାର ବାହାରେ।କଲିକତାର ଜଣେ ପ୍ରଯୋଜକ ଅର୍ଥ ଦେବା କଥା ସ୍ଥିର ହେଲା। ତେବେ ସିନେମା ସରିଲା ବେଳକୁ ଖର୍ଚ୍ଚ ୪୦ ହଜାର ଟପି ସାରିଛି। ଗୋସେଇଁ ଘର ବନ୍ଧା ପକେଇ ସିନେମା କରିଛନ୍ତି। ଅର୍ଥ ସହିତ ମନୋବଳ ବି ଭାଙ୍ଗିଛି। ଏତେ ବଡ କାମ କରି ସାରିବା ପରେ ଓଡିଶାର ଖବର କାଗଜ ଗୁଡିକ ଗୋସେଇଁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଥମ କଥାକୁହା ସିନେମା କାହିଁକି ପୌରାଣିକ ହେଲା, ଅଭିନେତାମାନେ ଅଭିନୟ ଜାଣି ନାହାନ୍ତି ଇତ୍ୟାଦି ନାନା ସମାଲୋଚନା। କେହି ଭାବିଲେ ନାଇଁ ଯେ, ସିନେମା ବିଷୟରେ କିଛି ଜାଣିନଥିବା ଓଡିଆଙ୍କ ଲାଗି ସିନେମା ତିଆରି କରି ଗୋସେଇଁ କେତେ ବଡ ଅବଦାନ ଦେଇଛନ୍ତି।

୨୭, ଅଗଷ୍ଟ ୧୯୩୫ ରେ “ନବୀନ” ସଂବାଦପତ୍ର “ଓଡିଆରେ ସବାକ ଚଳଚ୍ଚିତ୍ର” ର ସମୀକ୍ଷା କରି ଲେଖିଲେ – ‘ନିକଟରେ ଓଡିଆରେ କଥାକୁହା ଚଳଚ୍ଚିତ୍ର ବାହାରିବା ପାଇଁ ଯୋଗାଡ ଚାଲିଛି। ଶ୍ରୀଯୁକ୍ତ ମୋହନ ସୁନ୍ଦର ଦେବା ଗୋସ୍ଵାମୀ ଓ କବିରାଜ ରାଧାରମଣ ରାୟ ଏଥିପାଇଁ କଲିକତା କାଳୀ ଫିଲ୍ମ କମ୍ପାନୀ ସହିତ ଏଗ୍ରୀମେଣ୍ଟ କରି ସାରିଲେଣି। ସମୁଦାଯ ୨୨ ହଜାର ଟଙ୍କା ଖର୍ଚ୍ଚ ହେବ। ସ୍ଵର୍ଗତ କାମପାଳ ମିଶ୍ରଙ୍କ “ସୀତା ବିବାହ” ନାଟକର ଫିଲ୍ମ ଉଠାଯିବ। ଭଲ ଭଲ ଅଭିନେତା ଓ ଅଭିନେତ୍ରୀ ଯୋଗାଡ କରିବାକୁ କମ୍ପାନୀ ତରଫରୁ ଏମାନେ ୫ ଶତ ଟଙ୍କା ଅଗ୍ରୀମ ପାଇଥିବାର ପ୍ରକାଶ।“

ଏହି ଲେଖାଟିର ପରବର୍ତ୍ତୀ ଭାଗରେ ଗୋସ୍ଵାମୀଙ୍କ ଉଦ୍ୟମକୁ ପ୍ରବଳ ସମାଲୋଚନା କରାଯାଇଛି। “ନାଟକ ବିଷୟରେ ମଧ୍ୟ ଆମ୍ଭେ ଦୁଇ ଚାରି ପଦ କହିବା ଯୁକ୍ତି ସଙ୍ଗତ ମନେ କରୁ। ସ୍ଵର୍ଗତ କାମପାଳ ମିଶ୍ରଙ୍କ “ସୀତା ବିବାହ” ନାଟକ ଓଡିଶାରେ ସୁପରିଚିତ ଓ ଅନେକ ସ୍ଥାନରେ ବହୁବାର ଅଭିନୀତ ହୋଇ ସାରିଲାଣି। ନାଟକର ଭାଷା ଭଲ। କିନ୍ତୁ ଅନେକସ୍ଥାନରେ ବ୍ୟକ୍ତିବିଶେଷଙ୍କ ଅଭିବ୍ୟକ୍ତି ଗୁଡିକ ଅତି ଲମ୍ବା ଓ ଚଉଦ ଅକ୍ଷରୀ ଅମିତ୍ରାକ୍ଷର ଛନ୍ଦରେ ଲିଖିତ ହୋଇଥିବାରୁ ନାଟକୀୟ ଭାଷା ଅପେକ୍ଷା ବହୁ ପରିମାଣରେ କାବ୍ୟ ପରି ପ୍ରତୀୟମାନ ହୁଏ।“

ଏମିତି ବହୁ ସମାଲୋଚନା ଗୋସେଇଁ ଙ୍କୁ ସେତେବେଳେ ଭୋଗିବାକୁ ପଡିଛି।

ଏବେ ବି ଅନ୍ଧକାରର ମହାନାୟକ

ଗୋଟେ ଜାତିକୁ ଗୋଟେ ନୂଆ ମାଧ୍ୟମ ଦେଇ ସର୍ବସ୍ଵାନ୍ତ ହୋଇଥିବା ଗୋସେଇଁଙ୍କୁ ଆମେ ସତରେ ମନେ ରଖିଛୁ କି? ଓଡିଶାର ପ୍ରଥମ ସିନେମା ନିର୍ମାତାଙ୍କ ସମ୍ପର୍କରେ ଆମର ପ୍ରାମାଣିକ ବହି ଖଣ୍ଡିଏ ନାହିଁ। ଗତ ଦଶନ୍ଧି ଯାଏ ଗୋସେଇଁ ଙ୍କୁ ଦେଖିଥିବା ଜାଣିଥିବା ଲୋକେ ବଞ୍ଚିଥିଲେ। ସେମାନଙ୍କ ଅନୁଭବରୁ ଅନେକ କିଛି ଲେଖା ଯାଇପାଇଥାନ୍ତା। ସେତକ ଆମେ କଲୁ ନାଇଁ। ଅନେକ ସିନେମା ଲେଖକ ଗୋସେଇଁ ଙ୍କ ଜୀବନ ଓ “ସୀତା ବିବାହ” ର ମୁକ୍ତିଲାଭ ସମୟକୁ ନେଇ ବିଭ୍ରାନ୍ତି ତିଆରି କଲେ। ଓଡିଶା ସରକାର ଗୋସେଇଁଙ୍କ ନାମରେ ଗୋଟେ ପୁରସ୍କାର ଓ ପୁରୀରେ ମୂର୍ତ୍ତିଟିଏ ବସେଇ ଦେଇ ନିଜ ଦାୟିତ୍ଵ ସାରିଦେଲେ। ଆଉ ସିନେମା କରୁଥିବା ଲୋକଙ୍କ କଥା ନ କହିବା ଭଲ। ଓଡିଆ ସିନେମାର ଜନ୍ମଦାତାଙ୍କ ଜୟନ୍ତୀ ବା ଶ୍ରାଦ୍ଧ ପାଳିବା କଥା ଆମ ସିନେମାର ଲୋକେ ଭାବି ପାରନ୍ତି ନାଇଁ।

ମୋହନ ସୁନ୍ଦର ଗୋସ୍ଵାମୀ ଗୋଟେ କ୍ରାନ୍ତିର ନାୟକ। ତାଙ୍କୁ ଯେତେ ଅନ୍ଧକାରରେ ରଖାଯିବ,  ଏ ଜାତି ସେତେ ଦରିଦ୍ର ଦିଶିବ।

Leave A Reply

Your email address will not be published.