Latest Odisha News

ମହାନଦୀରେ ଛୋଟ ବନ୍ୟା ଆଶଙ୍କା,ଫୋକସରେ ଜିରୋ କାଜୁଆଲଟି

ଭୁବନେଶ୍ବର: ସାରା ରାଜ୍ୟରେ ଲଗାଣ ବର୍ଷା ଏବେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ଉପୁଜାଇଲାଣି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି। ଆଖୁଆପଦା ଓ ଆନନ୍ଦପୁରରେ ବୈତରଣୀରେ ବିପଦ ସଂକେତଠାରୁ ଉଚ୍ଚରେ ପାଣି ବହୁଛି। ରାତି ୧୧ଟା ବେଳକୁ ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ୧୯.୬୬ମିଟର ରହିଥିଲା।

ସେହିପରି ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ମିଟର ଥିବାବେଳେ ଏବେ ୪୦ମିଟରରେ ପାଣି ବହୁଛି। ଏବେବି ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ୁଛି। ସେହିଭଳି ବ୍ରାହ୍ମଣୀ ମଧ୍ୟ ଫୁଲିବା ଆରମ୍ଭ କଲାଣି। କେବଳ ସେତିକି ନୁହେଁ, ଆଜି ଭଳି ଆସନ୍ତାକାଲି ମଧ୍ୟ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଏହି ବର୍ଷା ମହାନଦୀ ଅବବାହିକାରେ ଛୋଟ ଧରଣର ବନ୍ୟା ଆଣିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିବାବେଳେ ଏହାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଏସଆରସି | ଏଥିରେ ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଅଛନ୍ତି | ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ବର୍ତ୍ତମାନ ମୁଣ୍ଡଳୀରେ ୭ ଲକ୍ଷ ୯୮ ହଜାର ୫୯୯ କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ଜଳସ୍ତର ଅପ ଷ୍ଟ୍ରିମରେ ୯୨ ଫୁଟ ଓ ଡାଉନ ଷ୍ଟ୍ରିମରେ ୮୮ ଫୁଟ ରହିଛି | ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବ |

ବିଶେଷ କରି ଆଜି ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟାକୁ ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି | ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା | ସେପଟେ କରଞ୍ଜିଆ ଦେଓବନ୍ଧ ଡ୍ୟାମର ୩ଟି, ଉଦଳା ସୁନେଇର ୪ଟି, ରାଉରକେଲା ମନ୍ଦିରାର ୮ଟି, ସୁବର୍ଣ୍ଣପୁର ହରିହରଯୋରର ୬ଟି, ନୂଆପଡ଼ା ଲୟୋର ଇନ୍ଦ୍ରର ୩ଟି ଓ ଅନୁଗୁଳ ଡେରଜାଙ୍ଗର ୩ଟି ଗେଟ ଖୋଲାଯାଇଛି । ଜିରୋ କାଜୁଆଲଟିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ ଓ ଉପଖଣ୍ଡ ଅଧିକାରୀମାନେ କ୍ଷେତ୍ରାଞ୍ଚଳରେ ପହଞ୍ଚି ସାରିଲେଣି । ବିଭିନ୍ନ ସ୍ଥାନରେ ୩୩ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଗୁରୁତ୍ବ ଦେଉଛି ପ୍ରଶାସନ ।

Comments are closed.